ନୀରିହ ଶାବକଙ୍କ ଯଶୋଦା ଜୟଶ୍ରୀ
ଜୟଶ୍ରୀଙ୍କ ନିଆରା ପ୍ରେମ କାହାଣୀ...
ନୂଆଦିଲ୍ଲୀ: ମା' ଏକ ଏପରି ଶବ୍ଦ, ଯାହା ଅତୁଳନୀୟ। ମା'ର ମମତାର ମୂଲ୍ୟ କେବଳ ସେହିଁ ବୁଝି ପାରିବ, ଯାହାର ମା ନାହିଁ। ପିଲା ହିଁ ବୁଝିପାରେ ମା' କୋଳର ଗୁରୁତ୍ୱ। ତେବେ ଏହା ସବୁ କେବଳ ଅନୁଭବ। ଏହି ଅନୁଭବର ଗଭୀରତାକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ। ବିପଦ ସମୟରେ ହିଁ ପିଲା ଖୋଜିଥାଏ ତାହାର ମା'। ପାଟିରୁ ଝରିପଡ଼େ ପ୍ରଥମେ ମାର ଶବ୍ଦ। ତେବେ ଏହାକୁ ବେଶ ଭଲ ଭାବେ ବୁଝି ପାରିଛନ୍ତି ପ୍ରବାସୀ ଭାରତୀୟ ତଥା ଓଡ଼ିଆ ବୋହୂ ଡଃ ଜୟଶ୍ରୀ ନନ୍ଦ।
କଙ୍ଗାରୁଙ୍କ ସ୍ୱର୍ଗ କୁହାଯାଉଥିବା ଅଷ୍ଟ୍ରେଲିଆରେ ଭୟଙ୍କର ନିଆଁହୁଳା ମଧ୍ୟରେ ଅନେକ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି। ହଜାର ହଜାର କଙ୍ଗାରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନେକ ନିଜ ପିଲାଙ୍କୁ ହରାଇଥିବା ବେଳେ ଘଞ୍ଚ ଜଙ୍ଗଲରେ ଅନେକ ଶାବକ ସେମାନଙ୍କ ମା' ବାପାଙ୍କୁ ଖୋଜି ବୁଲୁଛନ୍ତି। ନିଆଁ ଲିଭିଛି, ଆଉ କଥା କହି ପାରୁନଥିବା ସେହି ନୀରିହ ଶାବକମାନେ ବର୍ତ୍ତମାନ ଜନବସତି ଅଭିମୁଖେ। ନୀରିହ ପଶୁ ତଥା ଶାବକଙ୍କ ଅସହାୟ ଅବସ୍ଥା ସମୟର ଚିତ୍ର ଯେ ପଶୁପ୍ରେମୀଙ୍କୁ ବିଚଳିତ କରିଥିଲା ତାହା ନୁହେଁ, ସମଗ୍ର ବିଶ୍ୱର ମାନବଜାତିର ହୃଦୟକୁ ଥରାଇ ଦେଇଥିଲା।
ତେବେ ସେହି ନିଆଁରେ ଜଳିଯାଇଥିବା ହଜାର ହଜାର କଙ୍ଗାରୁଙ୍କ ଜୀବନ ଯାଇଥିବା ବେଳେ ଏବେ ସେମାନଙ୍କ ଅନାଥ ଛୁଆଙ୍କୁ ମା'ର ମମତା ଦେବା ପାଇଁ ଆଗଭର ହୋଇଛନ୍ତି ଓଡ଼ିଆ ବୋହୂ ଜୟଶ୍ରୀ। ରୁହନ୍ତି ସୂଦୁର ଇଂଲଣ୍ଡରେ। ଏହି ନୀରିହ ଶାବକଙ୍କ ଚିତ୍ର ତାଙ୍କୁ ମଧ୍ୟ ବେଶ ବ୍ୟଥିତ କରିପକାଇଛି। ଜଣେ ପିଲାଙ୍କ ପାଇଁ ତାର ମା' ଭୂମିକା କଣ ତାହା କେବଳ ଜଣେ ନାରୀ ହିଁ ବୁଝି ପାରିବ। ସେହି କ୍ରମରେ ମା'ର ସେହି ଉଷୁମ ସ୍ପର୍ଷ ଦେବା ପାଇଁ ଜୟଶ୍ରୀ ଆରମ୍ଭ କରିଛନ୍ତି ଛୋଟ ଛୋଟ ମୁଣି। ଯେଉଁଥିଲେ ସେହି ଅନାଥ କଙ୍ଗାରୁଙ୍କୁ ସୁରକ୍ଷିତ ଭାବେ ରଖାଯାଇ ପାରିବ।
ଜୟଶ୍ରୀ ସୂଦୁର ଇଂଲଣ୍ଡରେ ରୁହନ୍ତି। ଶିକ୍ଷକତା କରନ୍ତି। କିନ୍ତୁ ସମାଜସେବାରେ ମନୋନିବେଶ କରନ୍ତି। ତେବେ ଏହି ଚିତ୍ର ସବୁ ଦେଖିବା ପରେ ନିଷ୍ପତ୍ତି ନେଇଥିଲେ। ଆଉ ସେବେଠାରୁ ଆରମ୍ଭ କରିଦେଇଥିଲେ ଉଲରେ ଛୋଟ ଛୋଟ ମୁଣା ବୁଣିବା କାର୍ଯ୍ୟ। ଲଣ୍ଡନର ପ୍ରାୟ ୨୦ ଜଣ ମହିଳାଙ୍କ ସହ ମିଶି ପ୍ରସ୍ତୁତ କରିଛନ୍ତି କଙ୍ଗାରୁ ଶାବକଙ୍କ ପାଇଁ ମୁଣା। ଏହି ମୁଣା କଙ୍ଗାରୁ ମା ପେଟରେ ଥିବା ଏହି ମୁଣି ହିଁ କଙ୍ଗାରୁ ଛୁଆଙ୍କ ପାଇଁ ସବୁ କିଛି ହୋଇଥାଏ।
ପାଖାପାଖି ୧୦୦ଟି ମୁଣା ବୁଣାଯାଇ ଅଷ୍ଟ୍ରେଲିଆ ପଠାଯାଇଥିବା ବେଳେ ଏବେ ବି ବୁଣିବାରେ ସମସ୍ତେ ବ୍ୟସ୍ତ ଅଛନ୍ତି। ୨୪ ସେଣ୍ଟିମିଟରରୁ ୩୦ ସେଣ୍ଟିମିଟରର ଏହି ମୁଣିକୁ ମେସିନ ବୁଣିପାରିନଥାଏ। ହାତରେ ଉଲ ଓ ଛୁଞ୍ଚି ଧରି ଏହି ମୁଣିକୁ ବୁଣାଯାଇଥାଏ। ଜୟଶ୍ରୀ ଇଂଲଣ୍ଡ କିଛି ମହିଳାଙ୍କୁ ନେଇ ଏହି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ମୁଣି ପ୍ରସ୍ତୁତ କରି ଅଷ୍ଟ୍ରେଲିଆ ପଠାଇଛନ୍ତି। ତେବେ ଏହି ମୁଣିକୁ ଅଷ୍ଟ୍ରେଲିଆ ପଠାଇବା ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ନିଟ ଆଣ୍ଡ ନାଟ ଏହି କାର୍ଯ୍ୟ ହାତକୁ ନେଇଛି।
ଏହି କାର୍ଯ୍ୟ କରିବା ଦ୍ୱାରା ସେ ବେଶ ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି କହିଛନ୍ତି ଜୟଶ୍ରୀ। ସେ କୁହନ୍ତି, ଘର କାମ ସରିବା ପରେ ସମସ୍ତ ମହିଳା ସ୍ୱେଚ୍ଛାସେବୀ ଏକାଠୀ ହୋଇଥାନ୍ତି। ଆଉ ପରେ ଏହି ମୁଣି ବୁଣିବା କାର୍ଯ୍ୟ ଆରମ୍ଭ କରି ଦିଅନ୍ତି। ମହିଳାମାନେ ଘରେ ସ୍ୱେଟର, ଶୀତବସ୍ତ୍ର ଆଦି ବୁଣୁଥିବା ବେଳେ ବର୍ତ୍ତମାନ ମୁଣି ବୁଣିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ଟି ମୁଣି ଅଷ୍ଟ୍ରେଲିଆକୁ ଯାଇ ସାରିଲାଣି ବୋଲି ସେ କହିଛନ୍ତି।
ଜୟଶ୍ରୀ ଓ ତାଙ୍କ ସହଯୋଗୀଙ୍କ ମୁଣି ଏବେ କିଛି ଅନାଥ କଙ୍ଗାରୁ ଛୁଆଙ୍କ ପାଇଁ ଆଶ୍ରୟର ସାହାରା ପାଲଟିଯାଇଥିବାବେଳେ ମା ଛେଉଣ୍ଡଙ୍କ ପାଇଁ ଏବେ ଯଶୋଦା ସାଜିଛନ୍ତି ଏହି ଓଡ଼ିଆ ବୋହୂ।