ନୂଆଦିଲ୍ଲୀ: ଦିନେ ଦଳର ମାତ୍ର ୨ ସାଂସଦ ଥିଲେ । ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ । କେବଳ କେନ୍ଦ୍ରରେ କ୍ଷମତା ହାସଲ କରିଛି ତାହା ନୁହେଁ, ଦେଶର ଅଧିଂକାଶ ରାଜ୍ୟ ମଧ୍ୟ ହୋଇଛି ଗେରୁଆମୟ । କେନ୍ଦ୍ରୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବିର୍ଭାବ ହେଉ ହେଉ ଦଳ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି । ଆଜି ଭାରତୀୟ ଜନତା ପାର୍ଟି ହାସଲ କରିଛି ଏକ ସ୍ୱତନ୍ତ୍ର ପରିଚୟ । 


COMMERCIAL BREAK
SCROLL TO CONTINUE READING

ତେବେ ଏହି ସ୍ତରରେ ପହଞ୍ଚିବା ପାଇଁ ଭାରତୀୟ ଜନତା ପାର୍ଟିକୁ ବେଶ୍ ସଂଘର୍ଷ ମଧ୍ୟ କରିବାକୁ ପଡିଛି । ରାତି ପରେ ଦିନ ହେବା ପରି ଗେରୁଆ ଦଳର ଭାଗ୍ୟ ବଦଳିଛି । ଆଜି ଭାରତୀୟ ଜନତା ପାର୍ଟିକୁ ପୁରିଛି ୪୦ ବର୍ଷ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲୋକଙ୍କୁ କିପରି ସାଥିରେ ନେଇ ଆଗକୁ ଯାଏ ହୁଏ, ସେ କଳା ଦଳ ଭଲ ଭାବେ ଜାଣିଯାଇଛି । 


ତେବେ ଗେରୁଆ ଦଳର ସମ୍ପୁର୍ଣ୍ଣ ସଂଘର୍ଷ ବିଷୟରେ ଜାଣିବାକୁ ହେଲେ, ଆମକୁ ଇତିହାସର ପୃଷ୍ଠା ଓଲଟାଇବାକୁ ପଡ଼ିବ । ବିଜେପିର ଜନ୍ମ ଭାରତୀୟ ଜନସଂଘରୁ ହୋଇଥିଲା । ଏହା କୁହାଯାଇପାରିବ, ଜନ୍ମ ପୂର୍ବରୁ ବିଜେପି ଭାରତୀୟ ଜନସଂଘ ନାମରେ ପରିଚିତ ଥିଲା । ଭାରତୀୟ ଜନସଂଘର ସ୍ଥାପନା ୧୯୫୧ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ କରିଥିଲେ । 


ସପ୍ତମ ଲୋକସଭା ନିର୍ବାଚନରେ ଜନସଂଘ ଅସ୍ତିତ୍ୱ ହରାଇଥିଲା । ପରେ ୬ ଏପ୍ରିଲ ୧୯୮୦ରେ ବିଜେପି ସୃଷ୍ଟି ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର ନେତୃତ୍ୱ ନେଇଥିଲେ । ତେବେ ବିଜେପିର ମଧ୍ୟ ଓପନିଂ ନୈରାଶ୍ୟଜନକ ଥିଲା । ୧୯୮୪ ଲୋକସଭା ନିର୍ବାଚନରେ ମାତ୍ର ୨ଟି ଆସନ ପାଇଥିଲା ଗେରୁଆ ଦଳ(ବିଜେପି) । ଆଉ ଏହାପରେ ନିଜ ରଣନୀତିରେ ପରିବର୍ତ୍ତନ ଆଣିବାକୁ ଦଳର ବରିଷ୍ଠ ନେତାମାନେ ଗୁରୁତ୍ୱାରୋପ କରିଥିଲେ । ଯେପରିକି କଂଗ୍ରେସ ଉପରେ ଅଧିକ ଆକ୍ରମଣାତ୍ମକ ହେବା ଏବଂ ଜାତି ଏବଂ ଧର୍ମ ଆଧାରରେ ଦଳକୁ ମଜଭୁତ କରିବା । 


ଆଉ ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ, ବୋଫର୍ସ ଦୁର୍ନୀତିକୁ ନେଇ କଂଗ୍ରେସ ଉପରେ ଜୋରସୋର ହମଲା କରିଥିଲା ବିଜେପି । ୧୯୮୬ରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀ ଦଳର ମଙ୍ଗ ଧରିଥିଲେ । ୧୯୮୯ ନିର୍ବାଚନରେ ବିଶ୍ୱନାଥ ପ୍ରତାପ ସିଂଙ୍କ ନେତୃତ୍ୱରେ ଜନତା ଦଳର ସରକାର ବନାଇବା ପାଇଁ ବିଜେପି ସମର୍ଥନ ଦେଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଏହି ନିର୍ବାଚନରେ ବିଜେପିକୁ ୮୯ ସିଟ ମଧ୍ୟ ମିଳିଥିଲା । 


କେମିତି ହୋଇଥିଲା ସର୍ବବୃହତ ଦଳ ?


ପ୍ରଥର ଥର ପାଇଁ ୮୯ ସିଟ ପାଇବା ପରେ ଦଳୀୟ ନେତାଙ୍କ ମନୋବଳ ବଢିଥିଲା । ତେଣୁ ଜନତା ଦଳକୁ ବାହ୍ୟ ସମର୍ଥନ ଅପେକ୍ଷା ନିଜେ ସରକାର ଚଳାଇବା ଉପରେ ବିଜେପି ଗୁରୁତ୍ୱାରୋପ କରିଥିଲା । ପରବର୍ତ୍ତୀ ସମୟରେ ୧୯୯୦ରେ ଆଡୱାଣୀଙ୍କ ନେତୃତ୍ୱରେ ରାମମନ୍ଦିର ମୁଦ୍ଦାକୁ ଆଗକୁ ବଢ଼ାଇଥିଲା ଦଳ । ସୋମନାଥର ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ବାହାରିଥିଲା । କୁହାଯାଇ, ଏହି ସମୟରେ ଦଳର ଲୋକପ୍ରିୟତା ବେଶ୍ ବଢ଼ିଥିଲା । ଲୋକଙ୍କ ନିକଟତର ହୋଇପାରିଥିଲା ବିଜେପି । 


ଏହା ଏପରି ଏକ ସମୟ ଥିଲା, ଯେତେବେଳେ ରାମମନ୍ଦିର ମୁଦ୍ଦାକୁ ନେଇ ଦେଶ ମଧ୍ୟରେ ଏକ ମାହୋଲ ଥିଲା । ଆଡୱାଣୀଙ୍କ ରଥଯାତ୍ରା ଏହି ମାହୋଲକୁ ଆହୁରି ସରଗରମ କରିଥିଲା । ଫଳସ୍ୱରୂପ ୧୯୯୧ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ୧୨୦ ଆସନ ମିଳିଥିଲା । ମାତ୍ର ବହୁମତ ପାଇଁ ଏହା ପର୍ଯ୍ୟାପ୍ତ ନଥିଲା । ତେଣୁ ସରକାର ଗଢ଼ିବାର ସ୍ୱପ୍ନ ପୁରା ହୋଇପାରିନଥିଲା । ତେବେ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଏହା ନୂଆ ଉନ୍ମାଦନଟିଏ ସୃଷ୍ଟି କରିବାରେ ଏହା ସଫଳ ହୋଇଥିଲା । 


ପରବର୍ତ୍ତୀ ସମୟରେ ୧୯୯୬ରେ ନିର୍ବାଚନରେ ସର୍ବବୃହତ ଦଳ ଭାବେ ଉଭା ହେଲା ବିଜେପି । ଦଳକୁ ୧୬୧ ଆସନ ମିଳିଥିଲା । ରାଷ୍ଟ୍ରପତି ଆମନ୍ତ୍ରଣ କରିବାରୁ ପ୍ରଥମ ଥର ପାଇଁ ଦଳ ସରକାର ମଧ୍ୟ ଗଢ଼ିଥିଲା । ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ହେଲେ ମାତ୍ର ୧୬ ଦିନରେ ଏହି ସରକାର ଭାଙ୍ଗିଯାଇଥିଲା । ସେହିପରି ୧୯୯୮ରେ ଦଳ ଦ୍ୱିତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ୧୮୨ ଆସନ ଦଳକୁ ମିଳିଥିଲା । କିନ୍ତୁ ଏହି ସରକାର ମଧ୍ୟ ଟର୍ମ ସମ୍ପୁର୍ଣ୍ଣ କରିପାରିନଥିଲା । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରୁ ବାଜପେୟୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । 



୧୯୯୯ରେ ଗଠନ ହୋଇଥିବା ସରକାର ୫ ବର୍ଷ ପରା କରିଥିଲା


୧୯୯୯ରେ ୨୦ରୁ ଅଧିକ ଦଳ ମିଶି ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରୀକ ସାମୁଖ୍ୟ(ଏନଡିଏ) ଗଠନ କରିଥିଲେ । ସେହିବର୍ଷ ନିର୍ବାଚନରେ ଏହି ମେଣ୍ଟକୁ ୨୯୪ ଆସନ ମିଳିଥିଲା । କେବଳ ବିଜେପି ୧୮୨ ଆସନ ହାସଲ କରିଥିଲା । ଏହି ସମୟରେ ଅଟଳ ବିହାରୀ ବାଜପେୟୀ ସରକାର ୫ ବର୍ଷ ସମ୍ପୁର୍ଣ୍ଣ କରିଥିଲେ । ତେବେ ୨୦୦୪ରେ ବିଜେପି ପୁଣି ପରାଜୟବରଣ କରିଥିଲା । ମାତ୍ର ୧୩୮ ଆସନ ଦଳକୁ ମିଳିଥିଲା । କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ ସରକାର ଗଢିଥିଲା । ୨୦୦୯ରେ ମଧ୍ୟ ପୁଣିଥରେ କଂଗ୍ରେସ ହିଁ ମେଣ୍ଟ ସରକାର ଗଢ଼ିବାରେ ସଫଳ ହୋଇଥିଲା ।  ବିଜେପି ମାତ୍ର ୧୧୬ ଆସନ ପାଇବାରେ ସକ୍ଷମ ହୋଇଥିଲା । ତେବେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ରାଜନୀତିକୁ ଏଣ୍ଟ୍ରି ଦଳର ରୂପରେଖକୁ ବଦଳାଇଦେଇଛି ।


୨୦୧୪ ସାଧାରଣ ନିର୍ବାଚନରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ସେହି ସମୟରେ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ଗୁଜୁରାଟର ବିକାଶକୁ ପୁରା ଦେଶ ଦେଖୁଥିଲା । ଦେଶବାସୀଙ୍କ ବହୁ ସ୍ୱପ୍ନ ମଧ୍ୟ ଦେଖାଇଥିଲେ ମୋଦି । ଫଳସ୍ୱରୂପ ଏହି ନିର୍ବାଚନରେ ଦଳ ପ୍ରଚଣ୍ଡ ବହୁମତ ପାଇଥିଲା । ୨୮୨ ଆସନ ସହ ସରକାର ଗଢ଼ିଥିଲା ବିଜେପି । ସେହିପରି ୨୦୧୯ ନିର୍ବାଚନରେ ମଧ୍ୟ ପୁଣିଥରେ ନରେନ୍ଦ୍ର ମୋଦି ସରକାର ଗଢ଼ିଛନ୍ତି । ପୂର୍ବାପେକ୍ଷା ଆହୁରି ଭଲ ପ୍ରଦର୍ଶନ କରିଛି ବିଜେପି । ସତ ହୋଇଛି ମୋଦିଙ୍କ ଅବକି ବାର, ୩ଶହ ପାର ନାରା । ଏବେ ବିଜେପି ବିଶ୍ୱର ସର୍ବବୃହତ ଦଳର ମାନ୍ୟତା ପାଇଛି । ଦିନେ ଗେରୁଆ ଦଳର ଅଙ୍କକୁ ନେଇ ତାତ୍ସଲ୍ୟ କରୁଥିବା କଂଗ୍ରେସ ନିଜେ ସମାନ ଦଶା ଭୋଗୁଛି ।