ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବିଶ୍ୱସ୍ତରୀୟ ଐତିହ୍ୟ ସହର ଏବଂ ପ୍ରସିଦ୍ଧ ତୀର୍ଥସ୍ଥଳୀ ଭାବେ ପୁରୀକୁ ଭିନ୍ନ ରୂପରେ ସଜାଇବାକୁ ସରକାରଙ୍କ ମାଷ୍ଟରପ୍ଲାନ । ଅବଢ଼ା ସ୍କିମ ଜରିଆରେ ପୁରୀକୁ ଭିନ୍ନ ରୂପ ଦେବା ପାଇଁ ଅବଢ଼ା ସ୍କିମକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ପୁରୀକୁ ଐତିହ୍ୟ ସହରରେ ପରିଣତ କରିବାକୁ ୩୨୦୮ କୋଟି ଟଙ୍କାର ଯୋଜନା ଏବଂ ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ପୁରୀ ସହରକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବାକୁ ଯୋଜନା କରାଯାଇଛି । ଫନୀ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଥିବାବେଳେ ଏଥିପାଇଁ ଏଭଳି ବିଶାଳ ଯୋଜନା  କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଆସନ୍ତା ତିନିବର୍ଷ ମଧ୍ୟରେ ଏ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ସହ ପୁରୀ ନୂଆ ରୂପ ପାଇବ ବୋଲି ନିଷ୍ପତ୍ତି ହୋଇଛି । ଏହି ଯୋଜନାରେ ୨୦୧୯-୨୦ ପାଇଁ ୭୧୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୨୦-୨୧ ପାଇଁ ୧୪୦୨ କୋଟି ଏବଂ ୨୦୨୦-୨୨ ପାଇଁ ୧୦୮୭ କୋଟି ଟଙ୍କା ଖର୍ଚ୍ଚ ନିର୍ଦ୍ଧାରିତ ହୋଇଛି । ଅବଢ଼ା ପ୍ରକଳ୍ପରେ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଏବଂ ଐତିହ୍ୟ କ୍ଷେତ୍ରର ବିକାଶ, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁଚଳ କାର ପାର୍କିଂ, ପୁରୀ ହ୍ରଦ ଉନ୍ନତୀକରଣ ଯୋଜନା, ଗୃହ ନିର୍ମାଣ ଏବଂ ଭେଣ୍ଡର ଦୋକାନ ଆଦି ବହୁ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏଥିସହିତ ମୋଟ ୧୦ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରୁଛି । ରେସିଡେନ୍ସ, ରୋଜଗାର, ଜାତି ଏବଂ ଉତ୍ତରାଧିକାରୀ ଆଦି ପ୍ରମାଣପତ୍ର ପାଇଁ ପୂର୍ବରୁ ଥିବା ସମସ୍ତ ଦେୟକୁ ଛାଡ଼ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏପରିକି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ବେସାମରିକ ବିମାନ ଚଳାଚଳ ଶାଖାକୁ ବାଣିଜ୍ୟ ପରିବହନ ବିଭାଗ ଅଧୀନକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ପୁରୀର ଗୋବର୍ଦ୍ଧନ ମଠର ପରିଚାଳନା ଦାୟିତ୍ୱ ଓଡ଼ିଶା ଦେବୋତ୍ତରଙ୍କୁ ବାଦ ଦିଆଯାଇ ମଠର ପରିଚାଳନା ଦାୟୀତ୍ୱ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି । 


ଓଡ଼ିଶା ଶ୍ରମ ସେବା ନିୟମ ୨୦୧୯ର ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପୂର୍ବରୁ ଥିବା ଓଡ଼ିଶା ଶ୍ରମ ସେବା ନିୟମ ୧୯୮୪କୁ ରଦ୍ଦ କରାଯାଇ ନୂତନ ନିୟମ ପ୍ରଣୟନ ଉପରେ ମୋହର ଲାଗିଛି । ଏହାଦ୍ୱାରା ଶ୍ରମ ବିଭାଗର ତଳସ୍ତରର ପୋଷ୍ଟ ରୁରାଲ ଲେବର ଇନସ୍ପେକ୍ଟର ବଦଳରେ ଆସିଷ୍ଟାଣ୍ଟ ଲେବର ଅଫିସର ନିଯୁକ୍ତି ଦିଆଯିବ। ପ୍ରତି ବ୍ଲକରେ ଏମାନେ ନିଯୁକ୍ତ ହେବେ। ଉକ୍ତ କ୍ୟାଡରରେ ୨୯୬ଟି ନୂଆ ପୋଷ୍ଟ ସୃଷ୍ଟି କରାଯାଇ ଏହି ସଂଖ୍ୟାକୁ ୫୩୯କୁ ବୃଦ୍ଧି କରାଯାଇଛି। ଏହି ପୋଷ୍ଟରେ ୯୦ ପ୍ରତିଶତ ସିଧାସଳଖ ନିଯୁକ୍ତି ପାଇବା ସହ ସେମାନେ ଚାରୋଟି ପ୍ରୋମୋସନ ପାଇବେ । ଏଥିସହିତ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଓଡ଼ିଶା ଅମଲା ସେବା ନିୟମାବଳୀ ୨୦୧୯ରେ ସଂଶୋଧନ ନିଷ୍ପତ୍ତି ଉପରେ ମୋହର ଲାଗିଛି । ନୂଆ ନିୟମ ଅନୁଯାୟ ଏମାନଙ୍କ କ୍ୟାଡରରେ ପରିବର୍ତ୍ତନ କରାଯାଇ ରାଜ୍ୟସ୍ତରୀୟ କ୍ୟାଡର କରାଯିବା ସହ ଅମଲା ମୂଳ ପଦବୀଗୁଡିକ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପୂରଣ କରାଯିବ ।