ନୂଆଦିଲ୍ଲୀ: କିଏ ଇଏ ? କୋରୋନାକୁ ନେଇ ଇଏ ଗଦଗଦ କାହିଁକି ? ମାନବ ସମାଜ ପ୍ରତି କ'ଣ ଏହାର ଏତେ ରାଗ ! କୋରୋନା ତାଣ୍ଡବ ରଚୁଛି, ଆଉ ଇଏ ଦାନ୍ତ ଦେଖାଇ ହସୁଛି । ଆହୁରି ସୁନ୍ଦର ହେବାକୁ କହୁଛି । ସେମିତି ତ ସୁନ୍ଦର, ଫିର୍ କହୁଛି ଆହୁରି ସୁନ୍ଦର ହେବି । ଭାଇରସ୍ ଭୟରେ ଲୋକେ ଘରେ ବସିଥିବା ବେଳେ ୟାକୁ ମଜା ଲାଗୁଛି । ଏବେ ଆପଣଙ୍କ ଭିତରେ ଉତ୍ସୁକତା ଆସୁଥିବ, ସତରେ କିଏ ଇଏ ? 


COMMERCIAL BREAK
SCROLL TO CONTINUE READING

ନିଶ୍ଚୟ କହିବୁ । ୟାର ପରିଚୟ ଦେବୁ । ହେଲେ ୟା ପୂର୍ବରୁ ଏ ଦୃଶ୍ୟ ବି ଟିକେ ଦେଖି ନେବା । ଦିନେ ଯେଉଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା, ସେଠିକାର ଆକାଶ ଏବେ ନିର୍ମଳ । କେବଳ ଦିଲ୍ଲୀ କାହିଁକି, ସମଗ୍ର ବିଶ୍ୱର ବାୟୁମଣ୍ଡଳ ଗୋଟିଏ ପ୍ରକାର ସୁଦ୍ଧ ହୋଇଯାଇଛି । ଯାବତୀୟ ଜିନିଷ ଯୋଗୁଁ ମୃତ୍ତିକା ପ୍ରଦୂଷଣ ହେଉଥିବା ବେଳେ ତାହା ବି କମିଯାଇଛି । ଜଳ ଓ ଶବ୍ଦ ପ୍ରଦୂଷଣ ବି ସେତେମାତ୍ରାରେ ନାହିଁ । କୋରୋନା ସଙ୍କଟ ମଧ୍ୟରେ କିଛି ସମୟ ପାଇଁ ପ୍ରକୃତିର ଅସଲ ସୌନ୍ଦର୍ଯ୍ୟକୁ ଅନୁଭବ କରୁଛି ମାନବ ସଭ୍ୟତା । କୋଣ ଅନୁକୋଣରେ କୋରୋନା, କାହାଣୀ କହୁଛି ପ୍ରକୃତି । ହଁ...ଦିନେ ମୁଁ ଏମିତି ଥିଲି, ମୋତେ ଏମିତି ରହିବାକୁ ଦିଅ



ଏକବିଂଶ ଶତାବ୍ଦୀରେ କେମିତି ଏହା ସମ୍ଭବ ହେଲା ? କେମିତି ଟିକିଏ ପଛକୁ ଫେରିଗଲା ପ୍ରକୃତି ? ଏହା ସମ୍ଭବ ହୋଇଛି, କାହିଁକିନା ପ୍ରକୃତି ଉପରେ ଅତ୍ୟାଚାର କମିଯାଇଛି । ବିଶ୍ୱର କୋଟି କୋଟି ଯାନ ବାହାନ, କଳ କାରଖାନା, ଦୋକାନ ବଜାର ବନ୍ଦ ହୋଇଗଲା । ବିନା କାମରେ ଦାମି ଗାଡ଼ି ଧରି ଘାଇଁ ଘାଇଁ ହୋଇ ବୁଲୁଥିବା ଚିଣ୍ଟୁ ଘରେ ମୁହଁ ମାଡ଼ି ମୋବାଇଲ କେଞ୍ଚିଲା । ରାସ୍ତାରେ ଟୋକି ଦେଖିଲେ କାଳେ ଅନାଇବ ଭାବି ୨୨ ଥର ହର୍ଣ୍ଣ ମାରୁଥିବା ପିଣ୍ଟୁ ଭାଇରସ୍ ନାଁ ଶୁଣି ଚିହିକି ଗଲା । ବାଣ, ରୋଷଣୀ ଆଉ ହଜାରେ ଲୋକଙ୍କୁ ଧରି ବାହା ହୋଇ ଯିବାକୁ ସ୍ୱପ୍ନ ଦେଖିଥିବା କେଳୁ କୋରୋନା ଯୋଗୁଁ ୨୦ ଲୋକରେ କାମ ଚଳାଇଦେଲା । ପ୍ରେମିକା ବର୍ଥ ଡ଼େରେ ଆଡମ୍ବରପୂର୍ଣ୍ଣ ଆୟୋଜନ କରୁଥିବା ଜକି ଏଥର Happy Birth Day ଜାନୁ ମ୍ୟାସେଜଟିଏ କରି ଶୋଇପଡ଼ିଲା । ଫଳରେ ବାୟୁ, ଜଳ, ମୃତ୍ତିକା, ଶବ୍ଦ ପ୍ରଦୂଷଣ ଇତ୍ୟାଦି କମିଗଲା । ସୁନ୍ଦରୀ ହୋଇଗଲା ପ୍ରକୃତି । 


କୋରୋନା ସଙ୍କଟ ବେଳେ ଏମିତି କିଛି ବାର୍ତ୍ତା ଦେବାକୁ ଚେଷ୍ଠା କରିଛି ତାଳଚେରର କୁନି ଝିଅ ପ୍ରତ୍ୟୁଷା ସାମନ୍ତରାୟ । ପ୍ରଥମ ଶ୍ରେଣୀର ଛାତ୍ରୀ । ନିଜକୁ ଧରିତ୍ରୀ ମାତା ସଜାଇ କହୁଛି ପ୍ରକୃତିର ମନ କଥା । କୋମଳମତି ବୟସ, ଆଉ ତା ସାଙ୍ଗକୁ କଅଁଳିଆ ସ୍ୱର । ଅତି ଚମତ୍କାର ଢଙ୍ଗରେ କହିଛି ପ୍ରକୃତି ଉପରେ ହେଉଥିବା ମଣିଷର ଅତ୍ୟାଚାରର କାହାଣୀ । କୋରୋନା ସଙ୍କଟ ବେଳେ ବହୁତ କିଛି ଶିଖିବାକୁ ବି ଅନୁରୋଧ କରୁଛି । ଏମିତି ଢଙ୍ଗରେ...



''ମୁଁ ଧରିତ୍ରୀ ମାତା କହୁଛି । ଆପଣ ସମସ୍ତଙ୍କର ପ୍ରିୟ ଧରିତ୍ରୀ ମାତା । ଏହି ସୂର୍ଯ୍ୟମଣ୍ଡଳରେ ମୁଁ ସମସ୍ତଙ୍କଠୁ ସୁନ୍ଦର । ଜଳ, ଆକାଶ, ପ୍ରକୃତି ପ୍ରଭୁତି ମୋ କୋଳରେ ଖେଳିଥାନ୍ତି । ଆପଣ ଜାଣିଛନ୍ତି, ମୋର ଏକ ବୁଦ୍ଧିମାନ ଛୁଆ ଅଛି । ମନୁଷ୍ୟ । ହେଲେ ମୋ ଉପରେ ସେ ଅତ୍ୟାଚାର କରୁଛି । ସମଗ୍ର ଦୁନିଆକୁ ବଶୀଭୂତ କରିବାକୁ ଚାହୁଁଛି । ପ୍ରକୃତି ପ୍ରଦୂଷଣରେ ମୁଁ ପୁରା ଥକି ଯାଇଥିଲି । ଆଉ ଠିକ୍ ସେହି ସମୟରେ କୋରୋନା ଭାଇରସ୍ ଆସିଛି । ସମସ୍ତଙ୍କୁ ଘରେ ବସାଇଛି । ମୋ ଉପରେ ଅତ୍ୟାଚାର କମିଛି । ଜଳ, ଆକାଶ ଓ ପ୍ରକୃତି, ସମସ୍ତେ ଆଜି ବହୁତ ଖୁସିରେ ଅଛନ୍ତି । ହେ ମନୁଷ୍ୟ, ହେ ମୋର ପ୍ରିୟ ସନ୍ତାନ, ଏହା ତୁମକୁ ଏକ ବାର୍ତ୍ତା ଦେଉଛି । ସମସ୍ତେ ମିଳିମିଶି ରୁହ । ପରସ୍ପର ଭିତରେ ପ୍ରେମ ବଜାୟ ରଖ । ପୃଥିବୀ, ପ୍ରକୃତି ଏବଂ ଜୀବଜନ୍ତୁଙ୍କୁ ନିଜର ଅଂଶବିଶେଷ ଭାବେ ଗ୍ରହଣ କର । ତାହାଲେ ଯାଇ, ଧରିତ୍ରୀ ମାତା ଖୁସି ରହିବେ ।''


ପ୍ରତ୍ୟୁଷାଙ୍କ ଏଇ ଭିଡିଓଟି ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି, କାନ ଡେରି ଶୁଣିବା ପାଇଁ ମଧ୍ୟ ସେତିକି ଶିକ୍ଷଣୀୟ । ସଙ୍କଟ ସମୟରୁ ଆମକୁ ବହୁତ କିଛି ଶିଖିବାର ଅଛି । ଅଭିନୟ ବ୍ୟତୀତ ଡ୍ରଇଂ ମଧ୍ୟ କରିବାକୁ ଭଲ ପାଆନ୍ତି ପ୍ରତ୍ୟୁଷା । ଚିତ୍ର ମାଧ୍ୟମରେ କୋରୋନାକୁ ନେଇ ସଚେତନତାର ବାର୍ତ୍ତା ଦେବାକୁ ଚେଷ୍ଠା କରିଛନ୍ତି । ସେହିପରି ଭାଇରସରୁ ରକ୍ଷା ପାଇବା ପାଇଁ ହାତକୁ କିପରି ସଫା କରିବା, ତାହା ବି ନିଜ ଚିତ୍ରାଙ୍କନରେ ବୁଝାଇଛନ୍ତି । 



 


ଯୁଦ୍ଧ ଏକ, ଯୋଦ୍ଧା ଅନେକ । ଏଇ ଯୁଦ୍ଧକୁ କିଏ କେମିତି ଲଢ଼ୁଛି । କିଏ ଘରେ ରହି ତ ଆଉ କିଏ ଯୁଦ୍ଧଭୂମିରେ । ଆଉ ଏ ଲଢ଼େଇରେ ଧରିତ୍ରୀ ମାତାଙ୍କ ଅଭିନୟ କରି ଗଦଗଦ ହେଉଥିବା ଏଇ କୁନି ଝିଅର ଭୂମିକା ବି କିଛି କମ୍ ନୁହେଁ ।