ପୁରୀ: ସରିଛି ରଥଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ମହାବାହୁ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଫେରିଛନ୍ତି। ଆଜି ହେଉଛି ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା। ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଆଜି ଅପରାହ୍ଣ ୪ଟାରୁ ଏହି ବେଶ ଆରମ୍ଭ ହେବ। 


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ରାଜବେଶ ବର୍ଷକୁ ୫ ଥର ହୁଏ। ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏବଂ ରଥ ଉପରେ ବଡ଼ ଏକାଦଶୀରେ ମହାପ୍ରଭୁ ସୁନାବେଶ ହୋଇଥାଏ। ଆଜି ସେଇ ବଡ଼ ଏକାଦଶୀ ତିଥି। ଶ୍ରୀଜିଉ ରଥ ଉପରେ ରାଜବେଶରେ ସଜ୍ଜିତ ହେବେ। ଏଇ ରାଜବେଶର ଅନ୍ୟ ନାମ ବଡ ତଡ଼ାଉ ବେଶ। 


ଏହି ବଡ଼ ଏକାଦଶୀରେ ବଡ଼ ଠାକୁର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୪ଟି ପୟର, ୪ଟି ଶ୍ରୀଭୁଜ, କୀରଟ, କାନ, ବାହାଡ଼ମାଳି, ତାବିଜ ମାଳି, ହରିଡ଼ା କଦମ୍ବ ମାଳି, ବାଘନଖି ମାଳି, କଦମ୍ବ ମାଳି, ସେବତୀ ମାଳି, ହଳ ଓ ମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ପ୍ରମୁଖ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହେବେ ଶ୍ରୀଜିଉ। 


ତେବେ ଏହି ସୁନାବେଶ ମଧ୍ୟରେ ସବୁଠାରୁ ଏକ ରୁପାର ଶଂଖ ମଧ୍ୟ ବ୍ୟବହାର ହୋଇଥାଏ। ଏହି ଶଂଖଟି କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ହିଁ ବ୍ୟବହାର କରାଯାଇଥାଏ। ତେବେ ବର୍ଷକୁ ୫ ଥର ହେଉଥିବା ରାଜବେଶ ମଧ୍ୟରୁ ମହାପ୍ରଭୁ ୪ଥର ରତ୍ନସିହାସନ ଉପରେ ରାଜବେଶ। କେବଳ ବଡ଼ ଏକାଦଶୀ ଦିନ ହିଁ ରଥ ଉପରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। 


କୋରୋନା ପାଇଁ ପୁରୀକୁ ଭକ୍ତ ତଥା ତୀର୍ଥଯାତ୍ରୀଙ୍କୁ ବାରଣ କରାଯାଇଛି। ଫଳରେ ଭକ୍ତମାନେ ଟିଭି ମାଧ୍ୟମରେ ହିଁ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେପଟେ କର୍ଫ୍ୟୁକୁ ଜିଲ୍ଲା ପ୍ରଶାସନ ସାମାନ୍ୟ କୋହଳ କରିଛନ୍ତି। ଆଜି ସକାଳ ୫ଟାରୁ ଦିନ ୩ଟା ପର୍ଯ୍ୟନ୍ତ କର୍ଫ୍ୟକୁ କୋହଳ କରାଯାଇଛି। କିନ୍ତୁ ବଡ଼ଦାଣ୍ଡରେ କର୍ଫ୍ୟୁ ପୂର୍ବଭଳି ରହିଛି।