ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ ଏବଂ ଜାମିଆ ବିଶ୍ୱବିଦ୍ୟାଳୟରେ ଘଟିଥିବା ଘଟଣାକୁ ବିରୋଧ କରି ଜାଫରାବାଦରେ ହିଂସା ଦେଖା ଦେଇଛି। ମଙ୍ଗଳବାର ପ୍ରାୟ ଅପରାହ୍ଣ 2ଟା ସମୟରେ ଶତାଧିକ ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇ ଆସି ପ୍ରତିବାଦ ଜଣାଇଥିଲେ। ଅପରାହ୍ଣ 2ଟା ପରେ ସିଲମପୁର ଅଞ୍ଚଳରୁ ଆନ୍ଦୋଳନକାରୀମାନେ ଏକ ଶୋଭାଯ଼ାତ୍ରା ଆରମ୍ଭ କରିଥିଲେ। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ବାହାରି ଜାଫରାବାଦକୁ ଆସିଥିଲେ। ଜାଫରାବାଦରେ ପହଞ୍ଚିବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନକୁ ଜୋରଦାର କରିଥିଲେ। ଜାମିଆ ତୁମେ ସଂଘର୍ଷ କର, ଆମେ ତୁମ ସହ ରହିଛୁ ବୋଲି ନାରା ଦେବା ସହିତ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଏବଂ ବ୍ୟାନରେ ଦେଖି ବିରୋଧ ପ୍ରଦର୍ଶନ କରିଥିଲେ।


COMMERCIAL BREAK
SCROLL TO CONTINUE READING

ସେପଟେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେଉ, ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ଭାବେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିରୋଧ ସମୟରେ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସମୟ ବଢିବା ସହିତ ଆନ୍ଦୋଳନ ମଧ୍ୟ ଉଗ୍ର ରୂପ ନେଇଥିଲା। ଫଳରେ ଓ୍ୱେଲକମ, ଜାଫରାବାଦ ଏବଂ ମୌଜପୁର ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା। ଆନ୍ଦୋଳନକାରୀମାନଙ୍କ ପଥର ମାଡ଼ରେ ଡ଼ିଟିସିର 3ଟି ବସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ଜାଫରାବାଦରେ ଏକ ପୁଲିସ ଗାଡ଼଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛ। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନଙ୍କ ଏଭଳି ଉଗ୍ରରୂପ ଦେଖି ପୋଲିସ ଲୁହବୁହା ଗ୍ୟାସ ପ୍ରଯୋଗ କରାଯାଇଥିବା ଦେଖିବାକୁ ମିଳିଛି।


ଏନେଇ ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଆଲୋକ କୁମାର କହିଛନ୍ତି କି, ସିଲମପୁର ଘଟଣାରେ ଆନ୍ଦୋଳନକାରୀମାନଙ୍କ ଉପରକୁ ଗୁଳି କରାଯାଇନାହିଁ। କେବଳ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଘଟଣା ଉପରେ ନଜର ରଖାଯାଇଛି। ତେବେ ଲୋକମାନଙ୍କ ପଥର ମାଡ଼ କାରଣରୁ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି।  


ସେପଟେ ଦିଲ୍ଲୀ ଟ୍ରାଫିକ ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ଜାରି କରିଛି। ସିଲମପୁରରୁ ଜାଫରାବାଦ ଯାଇଥିବା 66 ଫୁଟିଆ ରାସ୍ତାରେ ଯାତାଯତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛି।


ସୂଚନାଯୋଗ୍ୟ ରବିବାର ମଧ୍ୟ ନାଗରିକତା ବିଲକୁ ନେଇ ଜାମିଆରେ ମଧ୍ୟ ଆନ୍ଦୋଳନ ଦେଖାଯାଇଥିଲା। ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।   


ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମତ ପ୍ରକାଶ କରିଛନ୍ତି  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି କି, ଏହି ଘଟଣାରେ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ। ସେହିପରି ସହରରେ ଶାନ୍ତି ରକ୍ଷା କରିବା ପାଇଁ ସହରବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। କେଜରିଓ୍ୱାଲ କହିଛନ୍ତି କି, ଏଭଳି ହିଂସା ଘଟାଇ କାହାକୁ କୌଣସି ପ୍ରକାର ଲାଭ ହେବନାହିଁ। ବରଂ ସହରର ହିଁ କ୍ଷତି ଘଟିବ। ତେବେ ଆମେ ସମସ୍ତେ ଶାନ୍ତି ରକ୍ଷା କରିବାର ଆବଶ୍ୟକତା ରହିଛି।