Richest comedian: କପିଲ ଶର୍ମା ନୁହେଁ, ୪୯୦ କୋଟି ସମ୍ପତ୍ତି ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି ଏହି କମେଡ଼ିଆନ୍
Richest comedian in India: କପିଲ ଶର୍ମା ସାରା ଦେଶରେ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଭାବେ ବେଶ ଜଣାସୁଣା । ‘ଦି କପିଲ ଶର୍ମା ସୋ’ରେ ଲୋକଙ୍କୁ ହସାଇ ହସାଇ ବେଦମ କରିଥାଆନ୍ତି କମେଡ଼ି କିଙ୍ଗ କପିଲ ଶର୍ମା । କିନ୍ତୁ କ’ଣ ଆପଣ ଜାଣନ୍ତି କି? କପିଲ ଦେଶର ସବୁଠାରୁ ଧନୀ ହାସ୍ୟ ଅଭିନେତା ନୁହଁନ୍ତି, ଏମିତି କି ଜନି ଲିଭର, ପରେଶ ରାୱଲ କିମ୍ବା ରାଜପାଲ ଯାଦବ ମଧ୍ୟ ଏକ ନମ୍ବର ସ୍ଥାନରେ ନାହାନ୍ତି । ତେବେ ଏକ ନମ୍ବର ସ୍ଥାନରେ ଥିବା ଏହି ହାସ୍ୟ ଅଭିନେତା ଜଣଙ୍କ କିଏ ଆସନ୍ତୁ ଜାଣିବା ।
ଏଠାରେ ଆମେ ସାଉଥ ସିନେମାର ସେହି ହାସ୍ୟ ଅଭିନେତାଙ୍କ ବିଷୟରେ କହୁଛୁ ଯାହାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ଯ ସାମିଲ ରହିଛି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲୋକପ୍ରିୟ କମେଡ଼ିଆନ୍ ବ୍ରହ୍ମାନନ୍ଦମ୍ । ଯିଏକି ପ୍ରତ୍ୟେକ ସାଉଥ ଫିଲ୍ମରେ ନଜର ଆସିଥାଆନ୍ତି ।
ବ୍ରହ୍ମାନନ୍ଦମ୍ ଙ୍କ ମୋଟ ସମ୍ପତ୍ତି ମୂଲ୍ୟ କପିଲ ଶର୍ମାଙ୍କଠାରୁ ଦେଢ ଗୁଣା ଅଧିକ ଅଟେ । ସିନେମାରେ ଅଭିନୟ ପାଇଁ ସେ ମୋଟା ଅଙ୍କର ଫି ନେଇଥାଆନ୍ତି । ଅଭିନେତା ପ୍ରତ୍ୟେକ ପ୍ରୋଜେକ୍ଟ ପାଇଁ ମାସିକ ୨ କୋଟିରୁ ଅଧିକ ବେତନ ନିଅନ୍ତି। ତାଙ୍କ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ କାରବାରରେ କୋଟି କୋଟି ଟଙ୍କା ଅନ୍ତର୍ଭୁକ୍ତ।
୧୦୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ଏହି ୬୭ ବର୍ଷୀୟ ମେଗାଷ୍ଟାରଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ଯ ସ୍ଥାନ ପାଇଛି । କଳା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ୨୦୨୨ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦେଶରେ ସର୍ବାଧିକ ପାରିଶ୍ରମିକ ପାଉଥିବା ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ସେ ଅନ୍ୟତମ । ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା 'ଆହାଃ ନା ପେଲାଣ୍ଟା' (Aha! Naa Pellanta) ସିନେମା ଜରିଆରେ ସେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । 'ମନି', 'ଆନ୍ନା', 'ଅନଗନାଗା ଓକା ରୋଜୁ', 'ବିନୋଦମ୍', 'ରେଡ୍ଡୀ' ଏଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।
ବ୍ରହ୍ମାନନ୍ଦମ୍ ଙ୍କ ନିକଟରେ ଅଡି଼ R8, ଅଡି଼ Q7, ମର୍ସିଡିଜ୍-ବେଞ୍ଜ୍ ଭଳି ଅନେକ ବିଳାସପୂର୍ଣ୍ଣ କାରର ରହିଛି। ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୬୦ ମିଲିୟନ୍ ଡଲାର୍ ଅର୍ଥାତ୍ ୪୯୦ କୋଟି ଟଙ୍କା ଅଟେ । କପିଲ ଶର୍ମାଙ୍କ ନେଟ୍ ୱର୍ଥ ୩୫ ମିଲିୟନ୍ ଡଲାର ଅର୍ଥାତ୍ ୨୮୫ କୋଟି ଟଙ୍କା ବୋଲି କୁହାଯାଉଛି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନି ଲିଭରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୭୭ କୋଟି ଟଙ୍କା ହୋଇଥିବା ବେଳେ ରାଜପାଲ ଯାଦବଙ୍କ ନିକଟରେ ୫୦ କୋଟିର ସମ୍ପତ୍ତି ଥିବା ଜଣାଯାଇଛି। ସେହିପରି ଭାରତୀ ସିଂଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୩-୨୫ କୋଟି ଟଙ୍କା ଅଟେ।