ହାଇଦ୍ରାବାଦ: ବିଦ୍ୱେଷ ସୃଷ୍ଟିକାରୀ ଭାଷଣ (Hate Speech)ଦେବା ମାମଲାରେ AIMIM(All India Majlis-e-Ittehadul-Muslimeen)ନେତା ଅକବରୁଦ୍ଦିନ ଓୱେସିଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ଅକବରୁଦ୍ଦିନ ଓୱେସି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ସାନ ଭାଇ । ୧୦ ବର୍ଷ ତଳର ଏହି ମାମଲାରେ ଅକବରୁଦ୍ଦିନଙ୍କୁ ଦୋଷମୁକ୍ତ କରିଛନ୍ତି ହାଇଦ୍ରାବାଦର ସ୍ୱତନ୍ତ୍ର କୋର୍ଟ । ମୋଟ ୨ଟି ମାମଲାରେ କରାଯାଇଛି ଅକବରୁଦ୍ଦିନଙ୍କୁ ଦୋଷମୁକ୍ତ ।


COMMERCIAL BREAK
SCROLL TO CONTINUE READING

୨୦୧୨ରେ ଅକବରୁଦ୍ଦିନଙ୍କ ବିରୋଧରେ ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ଦେବାନେଇ ମାମଲା ଦାଏର ହୋଇଥିଲା  । ଏକ ସଭାରେ ଭାଷଣ ଦେବାବେଳେ ସାମ୍ପ୍ରଦାୟିକ ତଥା ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗତକାଲି ଏହି ମାମଲାରେ ହାଇଦ୍ରାବାଦର ସ୍ୱତନ୍ତ୍ର ସେସନ୍ କୋର୍ଟ ଶୁଣାଣି କରିଥିଲେ । ଆଜି କୋର୍ଟ ରାୟ ପ୍ରକାଶ ପାଇବା ସହ ସେ ଦୋଷମୁକ୍ତ ବୋଲି ଦର୍ଶାଇଛି କୋର୍ଟ ।


ସ୍ୱତନ୍ତ୍ର କୋର୍ଟ କହିଛନ୍ତି,  ଆକବରଉଦ୍ଦିନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ପ୍ରମାଣ ଦେବାରେ ବିପକ୍ଷ ବିଫଳ ହୋଇଛି । ତେବେ ଭବିଷ୍ୟତରେ ଯେପରି କୌଣସି ବିବାଦୀୟ ଭାଷଣ ନ ଦିଅନ୍ତି ସେଥିପାଇଁ ଧ୍ୟାନ ଦେବାକୁ କୋର୍ଟ ଆକବରଉଦ୍ଦିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ଡିସେମ୍ୱର ୨୦୧୨ରେ ତେଲେଙ୍ଗାନାର ନିଜାମାବାଦ ଏବଂ ନିର୍ମଲ ଠାରେ ଦିଆଯାଇଥିବା ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ପାଇଁ ଆକବରଉଦ୍ଦିନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମଙ୍ଗଳବାର ଦିନ କୋର୍ଟ ଉଭୟ ମାମଲାରେ ରାୟ ସଂରକ୍ଷଣ ରଖିଥିଲେ । ହେଲେ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କୋର୍ଟ ।


ଅନ୍ୟପଟେ ସାନ ଭାଇ ଅକବରୁଦ୍ଦିନ ଦୋଷ ମୁକ୍ତ ହେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବଡ଼ ଭାଇ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି । ଓୱେସି ଟ୍ୱିଟରରେ କହିଛନ୍ତି ନ୍ୟାୟର ବିଜୟ ହୋଇଛି । ଏହା ସହ ମାମଲା ଲଢ଼ିଥିବା ସମସ୍ତ ଆଇନଜୀବୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅସଦୁଦ୍ଦିନ ଓୱେସି ।