Assembly Election Vote Counting: ଡିସେମ୍ବର ୮ ତାରିଖ ଗୁରୁବାର ପ୍ରକାଶ ପାଇବ ୨୦୨୨ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା  ହିମାଚଳ ପ୍ରଦେଶ ଲାଗି ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ। ଗତ ନଭେମ୍ବର ୧୨ ତାରିଖରେ ରାଜ୍ୟର ସମସ୍ତ ୬୮ ବିଧାନସଭା ଆସନ ଲାଗି ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ସେହିପରି ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ମତଦାନ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୧ ତାରିଖ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮୯ ଏବଂ ୫ ତାରିଖରେ ବାକି ୯୩ ଆସନ ଲାଗି ହୋଇଥିଲା ଭୋଟ ଗ୍ରହଣ।


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି କିପରି ହେବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ପି.ଭାରତୀ କହିଛନ୍ତି। ଏନେଇ ନିର୍ବାଚନ ଅଧିକାରୀ କହିଛନ୍ତି ଗୁଜୁରାଟରେ ୩୭ କେନ୍ଦ୍ରରେ ଗୁରୁବାର ସକାଳ ଆଠଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ମତ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ୬୪.୩୩ ପ୍ରତିଶତ ମତଦାନ ହୋଇଛି।


ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ଲାଗି କୌଣସି ୯୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଗତ ୨୦୧୭ ନିର୍ବାଚନରେ ବିଜେପି ୯୯ ଆସନ ଦଖଲ କରି ରାଜ୍ୟରେ ସରକାର ଗଠନ କରିଥିଲା। ବିଗତ ୨୭ ବର୍ଷ ଧରି ଗୁଜୁରାଟ  ବିଜେପି ଦ୍ୱାରା ଶାସିତ ହୋଇ ଆସୁଛି। ରାଜ୍ୟର ଦଳର ଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ ନିର୍ବାଚନରେ ହୋଇଥିଲା। ଯେତେବେଳେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ବିଜେପି ୧୨୭ ଆସନ ଜିତିଥିଲା। ଗୁଜୁରାଟ ରାଜନୀତିର ଲଢେଇ ମୁଖ୍ୟତଃ ପାରମ୍ପରିକ ଭାବେ ବିଜେପି-କଂଗ୍ରେସ ମଧ୍ୟରେ ଚାଲିଆସିଛି। ହେଲେ ଏଥର ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜର ଭାଗ୍ୟ ପରୀକ୍ଷା କରୁଛି। ଏହି ନିର୍ବାଚନକୁ ନେଇ କରାଯାଇଥିବା  ଏକଜିଟ୍ ପୋଲ ଫଳାଫଳରୁ ଜଣାପଡ଼ିଛି ଯେ ଏଥର ବିଜେପି ଏକ ବଡ଼ ବିଜୟ ହାସଲ କରିବ। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୧୬୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୪ କୋଟି ୯୦ ଲକ୍ଷ ୮୯ ହଜାର ୭୬୫ ଜଣ ମତଦାତା।


ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ମୋଟ ୧୦ ହଜାର ସୁରକ୍ଷା କର୍ମୀ, ନିର୍ବାଚନ ଅଧିକାରୀ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଭୋଟ୍ ଗଣାଯିବ। ହିମାଚଳ ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ମନୀଷ ଗର୍ଗ ବୁଧବାର କହିଛନ୍ତି ଯେ ରାଜ୍ୟର ୫୯ ସ୍ଥାନରେ ସ୍ଥାପିତ ହୋଇଥିବା ୬୮ ମତଗଣନା କେନ୍ଦ୍ରରେ ଭୋଟ ଗଣତି କରାଯିବ। ସକାଳ ଆଠଟାରୁ ଭୋଟ୍ ଗଣନା ଆରମ୍ଭ କରାଯିବ। ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ୍ ଗଣାଯିବ। ଏହା ପରେ ଇଭିଏମ୍ ଭୋଟ ଗଣତି ସକାଳ ସାଢେ ଆଠଟାରୁ ଆରମ୍ଭ କରାଯିବ। ଏହି ନିର୍ବାଚନରେ ​​ମୋଟ ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫୫ ଲକ୍ଷ ୯୨ ହଜାର ୮୨୮ ମତଦାତା।


ଗତ ୧୨ ନଭେମ୍ବରରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ମୋଟ ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନରେ ୭୬.୪୪ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଡିସେମ୍ବର ୬ ତାରିଖ ନିର୍ବାଚନ ଅଧିକାରୀଙ୍କୁ ୫୨ ହଜାର ୮୫୯ ଡାକପତ୍ର ମିଳିଛି। ଯାହା ଗତ ୨୦୧୭ ନିର୍ବାଚନ ଠାରୁ ୧୭ ପ୍ରତିଶତ ଅଧିକ। ଗତ ଥର ମୋଟ ୪୫ ହଜାର ୧୨୬  ଡାକପତ୍ର ମିଳିଥିଲା। 


୧୯୮୫ ମସିହା ପର ଠାରୁ କୌଣସି ଦଳ ହିମାଚଳ ପ୍ରଦେଶରେ ଲଗାତାର ଭାବେ ୨ ଥର ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇ ପାରିନାହିଁ। ଯଦି ଗତ ଥର ଭଳି ଏଥର ବିଜେପି ପୁନର୍ବାର ରାଜ୍ୟରେ କ୍ଷମତାସୀନ ହୁଏ ତାହେଲେ ବିଗତ ୩୭ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାରେ ଲାଗିବ ବ୍ରେକ। ହେଲେ ଏଥର ଏହି ପାହାଡ଼ି ରାଜ୍ୟରେ କିଏ ଗଢିବ ସରକାର ତାହା ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।