3 RJD MLA defied the party whip before Trust Vote: ଫେବୃଆରୀ ୧୨ ତାରିଖ ସୋମବାର ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୋମବାର ବିଧାନସଭାରେ ଅନୁଷ୍ଠିତ ହେଉଥିବା ବହୁମତ ସାବ୍ୟସ୍ତ ପରୀକ୍ଷାକୁ ନେଇ ସରଗରମ ହୋଇଉଠିଛି ବିହାର ବିଧାନସଭା। ହେଲେ ବହୁମତ ସାବ୍ୟସ୍ତ ପୂର୍ବରୁ ଏକ ବଡ଼ ଧରଣର ରାଜନୈତକ ଘୋଡ଼ାବେପାର ହୋଇଥିବାର କୁହାଯାଉଛି। ସୋମବାର ବିଧାନସଭାରେ ଆସ୍ଥା ଭୋଟ ହେବା ପୂର୍ବରୁ ଜାରି ରହିଛି ବିତର୍କ। ପ୍ରଥମେ ବାଚସ୍ପତି ଆସନରେ ବସିଥିବା ଅବଧ ବିହାର ଚୌଧୁରୀ ଅନାସ୍ଥା ପ୍ରସ୍ତାବ ଆଗତ କରି ତାଙ୍କୁ ହଟାଯାଇ ସାରିଛି। ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ୨ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା, ବିରୋଧି ଦଳ ନେତା ତେଜସ୍ୱୀ ଯାଦବ, ମନ୍ତ୍ରୀ ବିଜୟ ଚୌଧୁରୀ ସେମାନଙ୍କର ଅଭିଭାଷଣ ରଖି ସାରିଛନ୍ତି। ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ରାଷ୍ଟ୍ରୀୟ ଜନତା ଦଳର ୩ ବିଧାୟକ ଦଳୀୟ ହ୍ୱିପ୍ ଅବମାନନା କରିଥିବାର ଖବର ଆସିଛି।


COMMERCIAL BREAK
SCROLL TO CONTINUE READING

ଆସ୍ଥା ଭୋଟ ପୂର୍ବରୁ ଲାଲୁ ଯାଦବଙ୍କ ପାର୍ଟି ଆରଜେଡି ଏକ ଜବରଦସ୍ତ ଝଟକା ପାଇଛି। ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଲାଗି ଭୋଟିଂ ହେବା ପୂର୍ବରୁ ୩ ଆରଜେଡି ବିଧାୟକ ପଟ ପରିବର୍ତ୍ତନ କରିଛନ୍ତି। କାହିଁକି ସେହି ୩ ଆରଜେଡି ବିଧାୟକ ଦଳୀୟ ହ୍ୱିପ୍ ଅବମାନନା କଲେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦଳୀୟ ହ୍ୱିପ୍ ଅବମାନନା କରିଥିବା ବିଧାୟକଙ୍କ ବିରୋଧରେ କେଉଁ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ? ଏହି ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇଯିବ କି?  ଦଳୀୟ ହ୍ୱିପ୍ କ'ଣ ଏବଂ ଏହାକୁ ଉଲଂଘନ କରୁଥିବା ବିଧାୟକଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ? 


ଦଳୀୟ ହ୍ୱିପ୍ କ'ଣ? 
ଦଳୀୟ ହ୍ୱିପ୍ କହିଲେ କୌଣସି ଦଳ ପକ୍ଷରୁ ଏହାର ସାଂସଦ କିମ୍ବା ବିଧାୟକଙ୍କ ଲାଗି ଜାରି ହୋଇଥିବା ଲିଖିତ ଆଦେଶକୁ ବୁଝାଏ। ଯାହା ଅଧିନରେ କୌଣସି ଦଳ ପକ୍ଷରୁ ହ୍ୱିପ୍ ଜାରି ହେବା ପରେ ଦଳୀୟ ସାଂସଦ କିମ୍ବା ବିଧାୟକଙ୍କୁ ସଂସଦ ଅଥବା ବିଧାନସଭାରେ ଉପସ୍ଥିତ ରହି ଦଳ ସମର୍ଥନରେ ମତଦାନ କରିବାକୁ ନିର୍ଦ୍ଦେଶ ଜାରି ହୋଇଥାଏ। ହ୍ୱିପ୍ ଜାରି ହେବା କୌଣସି ଦଳର ସାଂସଦ କିମ୍ବା ବିଧାୟକ ଜାଣିପାରିବେ ଯେ ସଂସଦ କିମ୍ବା ବିଧାନସଭାରେ ଉପସ୍ଥିତ ରହି କେଉଁ ପ୍ରସଙ୍ଗରେ କାହାକୁ ଭୋଟ୍ ଦେବାକୁ ହେବ। ଦଳୀୟ ହ୍ୱିପ୍ ଜାରି ହେବା ପରେ କୌଣସି ଦଳର ସାଂସଦ କିମ୍ବା ବିଧାୟକ ନିଜ ଦଳ ବିରୋଧରେ ଯାଇ ପାରିବେ ନାହିଁ। ସେମାନଙ୍କ ପାଇଁ ଦଳୀୟ ହ୍ୱିପ୍ ପାଳନ କରିବା ବାଧ୍ୟତାମୂଳକ ହୋଇଯାଏ। 


କିଏ ଜାରି କରିଥାଏ ହ୍ୱିପ୍?
ସଂସଦ କିମ୍ବା ବିଧାନସଭାରେ ପ୍ରତ୍ୟେକ ଦଳ ପକ୍ଷରୁ ଜଣେ ଜଣେ ସଦସ୍ୟଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଯାଏ। ମୁଖ୍ୟ ସଚେତକ ଦଳୀୟ ହ୍ୱିପ୍ ଜାରି କରିଥାନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ଦଳର ମୁଖ୍ୟ ସଚେତକଙ୍କ ପକ୍ଷରୁ ଦଳୀୟ ହ୍ୱିପ୍ ଜାରି ହୋଇଥାଏ। ଦଳୀୟ ହ୍ୱିପ୍ ହେଉଛି ସେହି ଲିଖିତ ଆଦେଶ ଯାହା ଜାରି ହେବା ମାତ୍ରେ କୌଣସି ଦଳର ଲୋକସଭା, ରାଜ୍ୟସଭା ଏବଂ ବିଧାନସଭା ସଦସ୍ୟ ଦଳୀୟ ଆଦେଶ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି। 


ଦଳୀୟ ହ୍ୱିପ୍ ଅବମାନନା କଲେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ?
ଆପଣ ଜାଣି ରଖନ୍ତୁ ଯେ ଦଳୀୟ ହ୍ୱିପ୍ ସାହାଯ୍ୟରେ କୌଣସି ଦଳର ସଦସ୍ୟଙ୍କ ଲାଗି ଏକ ନିର୍ଦ୍ଦେଶ ଜାରି ହୋଇଥାଏ। ଯଦି ଦଳର କୌଣସି ସଦସ୍ୟ ଦଳୀୟ ହ୍ୱିପ୍ ବିରୋଧରେ ଯାଇ ମତଦାନ କରନ୍ତି  ତାହେଲେ ତାଙ୍କର ସଦସ୍ୟତା ଚାଲି ଯାଇପାରେ। ଦଳୀୟ ହ୍ୱିପ୍ ବିରୋଧରେ ଯାଇ ମତଦାନ କରିଥିବା ସଦସ୍ୟଙ୍କ ବିରୋଧରେ କୌଣସି ଦଳ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଆପଣଙ୍କୁ କହିରଖୁଛୁ ଯେ ସୋମବାର ବିହାର ବିଧାନସଭାରେ ଆସ୍ଥାଭୋଟ ହେବା ପୂର୍ବରୁ ୩ ଆରଜେଡି ବିଧାୟକ ପ୍ରହ୍ଲାଦ ଯାଦବ, ଚେତନ ଆନନ୍ଦ ଏବଂ ନୀଲମ ଦେବୀ ଦଳୀୟ ହ୍ୱିପ୍ ଅବମାନନା କରି ପଟ  ପରିବର୍ତ୍ତନ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଆରଜେଡ଼ି ଦଳୀୟ ହ୍ୱିପ୍ ଅବମାନନା କରିଥିବା ସେହି ୩ ବିଧାୟକଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।