ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଅଙ୍କୁଶ ଲଗାବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବୈଠକ ବସିଛି। ବ୍ରହ୍ମପୁର ସର୍କିଟ ହାଉସରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ.ଗୋପବନ୍ଧୁ ଦାସ, ରଙ୍ଗେଇଲୁଣ୍ଡା ବ୍ଲକ ବିଜଡି ସଭାରପତି ଅଜିତ ଦାସ ଓ ଗୋପାଳପୁର ନିର୍ବାଚନ ମଣ୍ତଳୀର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ବୈଠକରେ ପ୍ରଦୀପ ଦେଇଥିବା ମନ୍ତବ୍ୟକୁ ଦଳ ବିରୋଧ କରିଛି।


COMMERCIAL BREAK
SCROLL TO CONTINUE READING

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁ ବନ୍ଦ କରିବାକୁ ବିଜେଡି ଯୋଜନା କରିଛି। ଏଥିପାଇଁ ରଙ୍ଗେଇଲୁଣ୍ଡା ବ୍ଲକ ବିଜଡି ସଭାପତି ଅଜିତ ଦାସଙ୍କ ନେତୃତ୍ୱରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ.ଗୋପବନ୍ଧୁ ଦାସ, ଗୋପାଳପୁର ନିର୍ବାଚନ ମଣ୍ତଳୀର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରଦୀପଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଏପରି କି ଆଗାମୀ ଦିନରେ ବିଧାୟକଙ୍କ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶନିବାର ଗୋପାଳପୁର ବିଧାୟକ ପଞ୍ଚମା ମନ୍ଦିର ଯିବା କାର୍ଯ୍ୟକ୍ରମ ରହିଛି।


Also Read; ଉଦ୍ଧବଙ୍କ ଗାଦି ବଞ୍ଚାଇବାକୁ ସଫଳ ହେବେ ଶରଦ ପାୱାର? ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ


ସୂଚନାଯୋଗ୍ୟ, ଦୀର୍ଘ ମାସର ବିରତି ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଇଦାନକୁ ଫେରିଛନ୍ତି। ଗୁରୁବାର ସିନ୍ଧିଗାଁ ଗ୍ରାମସ୍ଥିତ ହନୁମାନ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ସେ କହିଛନ୍ତି ଯେ, ଦୀର୍ଘ ଦିନ ହେଲା ସେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି କି ତାଙ୍କୁ କିଏ ନିମନ୍ତ୍ରଣ କରିନାହାନ୍ତି। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସେବା କରିବାର ସମୟ ଆସିଛି। ତାଙ୍କୁ କୌଣସି ସରକାରୀ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇନାହିଁ। ଲୋକେ ତାଙ୍କୁ ଭୋଟ ଦେଇ ଅଞ୍ଚଳର ବିକାଶ ପାଇଁ ନିର୍ବାଚିତ କରିଥିବାରୁ ସେ କୃତଜ୍ଞ ବୋଲି ବିଧାୟକ ପାଣିଗ୍ରାହୀ କହିଛନ୍ତି।


ଗୋପାଳପୁର ବିଧାୟକ କହିଛନ୍ତି, 'ମୋତେ ଜିଲ୍ଲା କିମ୍ବା ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। ନିନିୟମ ଅନୁସାରେ ଲୋକ ପ୍ରତିନିଧିଙ୍କୁ ଜଣାଇବା କଥା, କେହି ଜଣାଉନାହାନ୍ତି। ବିଧାନସଭା ୱେବସାଇଟ୍‌ରେ ୨୬ ନଂରେ ଥିବା ନାଁ ବିଜେଡିରୁ କଟାଯାଇନାହିଁ। ଗତ ଏପ୍ରିଲ ୨ରେ ବିଧାନସଭା ୱେବସାଇଟ୍ ଅପଡେଟ୍ ହୋଇଛି। ଏବେ ବି ତାଲିକାରେ ନାଁ ଅଛି କିନ୍ତୁ ମିଡିଆରେ ବହିଷ୍କୃତ ହୋଇଛି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଯଦି ମତେ ଭଲ ପାଉ ନ ଥାନ୍ତେ, ତେବେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ।'


Also Read; ମଇଦାନକୁ ଫେରିଲେ ପ୍ରଦୀପ ପାଣିଗ୍ରାହୀ, ବିଜେଡି ଉପରେ ଆଣିଲେ ଏମିତି ଅଭିଯୋଗ


ସୂଚନାଯୋଗ୍ୟ, ଠକେଇ ଓ ସାଇବର ଅପରାଧ ମାମଲାରେ ୨୦୨୦ ଡିସେମ୍ବରରେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ନିଲମ୍ବିତ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ନାମରେ ସେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଗିରଫ ପରେ ନବୀନ ସରକାରର ପୂର୍ବତନ ମନ୍ତ୍ରୀଙ୍କୁ ଝାରପଡା ଜେଲକୁ ପଠାଯାଇଥିଲା। ଗତବର୍ଷ ଜୁନ ୧୧ ତାରିଖରେ ପ୍ରଦୀପଙ୍କୁ ଜାଲିଆତି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। 


ଜାମିନରେ ଆସିବା ପରେ ମଧ୍ୟ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର କୌଣସ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଇନଥିଲା। ଏପରିକି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଗୋପବନ୍ଧୁ ଦାସଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏବେ ମଇଦାନକୁ ଓହ୍ଲାଉଥିବା ନେଇ ପ୍ରଦୀପ ପାଣିଗ୍ରାହୀ ଘୋଷଣା କରୁଛନ୍ତି। ତେବେ ପ୍ରଦୀପଙ୍କୁ ବିଜେଡି ବହିଷ୍କୃତ ବୋଲି ଦାବି କରୁଥିବା ବେଳେ ଆଗାମୀ ଦିନରେ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।