BJD Candidate List 2024: କୁଆଡ଼େ ଗଲା ବିଜେଡିର ‘ନାରୀଶକ୍ତି’ ଅଭିଯାନ? ୩୩ ପ୍ରତିଶତ ଆସନ ହୋଇପାରିଲାନି ସଂରକ୍ଷଣ
BJD Candidate List 2024: ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏଥର ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ୭୨ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ରହିଛି। ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୧୧।
ଭୁବନେଶ୍ୱର: ୨୦୧୯ ଲୋକସଭା ଆସନ ଘୋଷଣା ସମୟରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରରିଥିବା ବିଜେଡି ଏଥର ପଛଘୁଞ୍ଚା ଦେଇଛି। ନା ଲୋକସଭା ନା ବିଧାନସଭାରେ ମହିଳାଙ୍କୁ ନେଇ ‘ନାରୀଶକ୍ତି’ର ସ୍ୱପ୍ନ ଦେଖିପାରିନି ବିଜୁ ଜନତା ଦଳ। ବିଧାନସଭା ପାଇଁ ଘୋଷଣା କରାଯାଇଥିବା ୭୨ ଆସନ ଭିତରୁ ମାତ୍ର ୧୧ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ ଭାବେ ସ୍ଥିର କରିଥିବା ବେଳେ ଦଳ ୯ ଲୋକସଭା ଆସନରୁ ମାତ୍ର ୨ଟିରେ ମହିଳାଙ୍କୁ ପ୍ରାର୍ଥୀ କରିଛି। ପୁଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେଉଁ ଆସ୍କା ନିର୍ବାଚନ ମଣ୍ଡଳୀରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରି ଦଳ ପ୍ରଶଂସା ସାଉଁଟିଥିଲା ଏଥର ତାଙ୍କୁ ପ୍ରାର୍ଥୀ ବି କରାଇ ନାହିଁ।
ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏଥର ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ୭୨ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ରହିଛି। ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୧୧। ସେମାନେ ହେଲେ ରାୟଗଡ଼ାରୁ ଅନୁସୟା ମାଝି, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ବସ୍ତାରୁ ସୁବାସିନୀ ଜେନା, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଯାଜପୁରରୁ ସୁଜାତା ସାହୁ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନବରଙ୍ଗପୁରରୁ କୌଶଲ୍ୟୃା ପ୍ରଧାନୀ, ଭବାନୀ ପାଟଣାରୁ ଲତିକା ନାୟକ, କବିସୂର୍ଯ୍ୟ ନଗରରରୁ ଲତିକା ପ୍ରଧାନ ଏବଂ ସୋରଡ଼ାରୁ ସଙ୍ଘମିତ୍ରା ସ୍ୱାଇଁ।
ଏ ସମସ୍ତ ମହିଳା ପ୍ରାର୍ଥୀଙ୍କ ଭିତରୁ ୫ ଜଣ ପ୍ରାର୍ଥୀଙ୍କୁ ପୁଣିଥରେ ଟିକଟ ଦେଇଛି ବିଜେଡି। ଦୁଇଟି ଆସନରେ ଏବେକାର ବିଧାୟକଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଦୁଇ ଆସନ ହେଲା ନବରଙ୍ଗପୁର ଏବଂ ସୋରଡ଼ା। ନବରଙ୍ଗପୁରରେ ସଦାଶୀବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ପ୍ରାର୍ଥୀ ହୋଇଥିବାବେଳେ ସୋରଡ଼ାରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଙ୍ଘମିତ୍ରା ସ୍ୱାଇଁ ଏଥର ବିଜେଡି ପାଇଁ ଭୋଟ ଆକର୍ଷଣ କରିବେ। ଅନ୍ୟ ୪ ଜଣ ନୂଆ ମୁହଁ। ସେମାନେ ହେଲେ ରାୟଗଡ଼ାରୁ ଅନୁସୟା ମାଝି, ବସ୍ତାରୁ ସୁବାସିନୀ ଜେନା, ଯୌାଜପୁରରୁ ସୁଜାତା ସାହୁ ଏବଂ ଭବାନୀ ପାଟଣାରୁ ଲତିକା ନାୟକ।
ରାୟଗଡ଼ାରେ ୨୦୧୯ ନିର୍ବାଚନରେ ଦଳ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କଠାରୁ ବିଜେଡି ହାରିଥିଲା। ଏଥର ମହିଳାଙ୍କୁ ପ୍ରାର୍ଥୀ କରି ରଣନୀତି ବଦଳାଇଛି।
ଯାଜପୁରରେ ପ୍ରଣବ ପ୍ରକାଶ ଦାସ ବିଧାୟକ ରହିଛନ୍ତି। ତାଙ୍କୁ ଏଥର ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ରଙକ୍ ବିରୁଦ୍ଧରେ ଲଢ଼ିବାକୁ ପ୍ରାର୍ଥୀ କରାଯାଇଛି। ହେବି ଓ୍ୱେଟ୍ ଗଲା ପରେ ଏଥର ଯାଜପୁରରେ ବିଜୟ ହାସଲ ଲାଗି ଦଳ ମହିଳାଙ୍କୁ ପ୍ରାର୍ଥୀ କରିଛି।
ଭବାନୀ ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେପି ୨୦୧୯ରେ ହାରିଥିଲା। ଏଥର ବିଜେପି ସିଟ୍କୁ ଅକ୍ତିଆର କରିବା ଲାଗି ମହିଳାଙ୍କୁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ଲତିକା ନାୟକ। ନୂଆ ମୁହଁ ଭାବେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାହିଁଛି ବିଜେଡି।
ମୋଟା ମୋଟି ଭାବେ କହିବାକୁ ଏହି ୭୨ ଜଣ ପ୍ରାର୍ଥୀଙ୍କ ଭିତରୁ ମାତ୍ର ୧୫ ପ୍ରତିଶତ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବାରେ ସକ୍ଷମ ହୋଇଛି। ସମୁଦାୟ ଆସନରେ ୩୩% ମହିଳାଙ୍କୁ ପ୍ରାର୍ଥୀ କଲେ ୪୯ ଆସନରେ ମହିଳା ଲଢ଼ିବେ। ଏବେ ଅପେକ୍ଷା ବାକି ୭୫ ଆସନରେ ଏହି ପ୍ରତିଶୃତି ପୂରଣ କରି ପାରୁଛି କି ନା।
ସାଂସଦ ପ୍ରାର୍ଥୀଙ୍କ କଥା ଦେଖିଲେ ଦଳ ୯ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଗତଥର ୩୩% ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରଖି ଚହଳ ସୃଷ୍ଟି କରିଥିଲା ଦଳ। ଏଥର କିନ୍ତୁ ଏ ବିଷୟକୁ ଧ୍ୟାନ ଦିଆଯାଇ ନାହିଁ। ଏହି ୯ ଜଣଙ୍କ ଭିତରେ ରହିଛନ୍ତି ମାତ୍ର ଦୁଇଜଣ ମହିଳା। ସେମାନେ ହେଲେ, କୋରାପୁଟ ପାଇଁ କୌଶଲ୍ୟା ହିକକା ଏବଂ ଆସ୍କା ପାଇଁ ରଞ୍ଜିତା ସାହୁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ୯ ଆସନରୁ ବିଜେଡି ୨୦୧୯ ମସିହାରେ ମାତ୍ର ୩ଟିରେ ବିଜୟ ଲାଭ କରିଥିଲା। ସେହି ଆସନଗୁଡ଼ିକ ହେଉଛି ଆସ୍କା, ନବରଙ୍ଗପୁର ଏବଂ କେନ୍ଦ୍ରାପଡ଼ା। ଅନ୍ୟ ଛଅ ଆସନରୁ ୫ଟିରେ ବିଜେପି ପ୍ରାର୍ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳା ଜଣେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିଲେ।