ବର୍ଷା କ୍ଷୟକ୍ଷତି ଦେଖିଲେ, ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ନବୀନ
ବିରୋଧୀ ଦଳ ନେତା ନବୀନ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଅବସ୍ଥା ବୁଲି ଦେଖିଲେ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଗସ୍ତ କରିଛନ୍ତି ।
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତ କରିଛନ୍ତି । ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ, କଟକର ସାଲେପୁର ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ଏହି ସମୟରେ ହଜାର ହଜାର ଚାଷୀ, ମହିଳା ନବୀନଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ । ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ । ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ ଏବଂ ଅଦିନିଆ ବର୍ଷାରେ ପ୍ରତିଦିନ ରାଜ୍ୟରେ ଚାଷୀ ପ୍ରାଣ ହରାଉଥିବା ଦୁଃଖର କଥା ବୋଲି ନବୀନ କହିଥିଲେ । ଏଥିସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନବୀନ କହିଥିଲେ ଯେ, ସରକାରଙ୍କ ଉପରେ ଚାଷୀ କୁଳର ଆଉ ଭରସା ନାହିଁ । ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ନବୀନ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି ।
ଏହି ଗସ୍ତ ଅବସରରେ ଗତକାଲି ପ୍ରାଣ ହରାଇଥିବା ବାଲିକୁଦା ସାରଣ ଗାଁର ଯୁବ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଥିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ ।
Also Read- Love Case: ପ୍ରେମ ପାଇଁ ସୀମା ପାର୍ କରୁଥିବା ଭାରତୀୟ ଯୁବକ ଗିରଫ
Also Read- Video: କଶ୍ମୀରରେ ହ୍ରଦ ପାଣି ବରଫ ହେବା ପରେ ମାଛ ଅବସ୍ଥା ଦେଖନ୍ତୁ