BJD Supremo Naveen Pattnaik: ନବୀନଙ୍କୁ ବଦନାମ କରିବାକୁ ବିଜେଡି ଭିତରେ କିଛି ଅସନ୍ତୁଷ୍ଟ ନେତା ଉଦ୍ୟମ କରୁଛନ୍ତି କି? ଦଳ ଭିତରେ କିଛି ଷଡଯନ୍ତ୍ର ଚାଲିଛି କି? ରାଜନୈତିକ ମହଲରେ ଏମିତି ଏକ ଚର୍ଚ୍ଚା ଜୋରଦାର ଚାଲିଛି। ଦୀର୍ଘ ୨୫ ବର୍ଷର ରାଜନୈତିକ କ୍ୟାରିଅର ଏବଂ ୨୨ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ଭିତରେ ନବୀନଙ୍କ ଦେହରେ ବିରୋଧୀ ଦାଗ ଲଗେଇ ବଦନାମ କରିପାରି ନାହାନ୍ତି। ବିଭିନ୍ନ ପ୍ରସଙ୍ଗରେ ବିରୋଧି ନବୀନଙ୍କୁ କାଠଗଡକୁ ଟାଣିବାକୁ ଉଦ୍ୟମ କରିଛନ୍ତି। ହେଲେ ଲୋକେ ତାକୁ ଗ୍ରହଣ କରିନାହାଁନ୍ତି। ଏହା ହିଁ ନବୀନଙ୍କ ସ୍ୱତନ୍ତ୍ରତା। ହେଲେ ଏବେ କିଛି ଭିନ୍ନ କଥା ଦେଖିବାକୁ ମିଳୁଛି। 


COMMERCIAL BREAK
SCROLL TO CONTINUE READING

ଖୋଦ ନିଜ ଦଳର ପ୍ରମୁଖ ନେତାମାନେ ନବୀନଙ୍କୁ ବଦନାମ କରିବାକୁ ଲାଗିପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନବୀନଙ୍କ ବିରୋଧରେ ଦଳ ଭିତରେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଚର୍ଚ୍ଚା ହେଉଛି। ଯାହାର ବଡ଼ ଉଦାହରଣ ହେଉଛି ବିଜେଡିର କିଛି ପ୍ରମୁଖ ନେତା ଦିଲ୍ଲୀ ବିମାନ ବନ୍ଦରରେ ମଦ ପିଇ ପାଇଲଟଙ୍କ ସହ ଗଣ୍ଡଗୋଳ କରିବା ଓ ଅପମାନିତ ହେବା। ଜୀବନବ୍ୟାପୀ ସାଧନା ପାଇଁ ନବୀନ ଦିଲ୍ଲୀରେ ସମ୍ମାନିତ ହେବା ଓ ଏହାକୁ ନେଇ ରାଜ୍ୟବ୍ୟାପି ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଜେଡି ନେତାଙ୍କ ଏହି କାର୍ଯ୍ୟ ଦଳ ଓ ନବୀନଙ୍କୁ ବଦନାମ କରିଛି ବୋଲି ଚର୍ଚ୍ଚା ହେଉଛି। ନବୀନଙ୍କ ସମ୍ମାନିତ କରାଯିବା ପରେ ଦିଲ୍ଲୀରେ ସମ୍ବର୍ଦ୍ଧନା ଦେବାକୁ ଯାଇଥିବା ବିଜେଡି ନେତାଙ୍କ ଏଭଳି ଉନ୍ମତ୍ତ କାଣ୍ଡ ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ସୁପରିକଳ୍ପିତ ଯୋଜନା ବୋଲି ଚର୍ଚ୍ଚା ହେଉଛି। 


ଦଳର କିଛି ଅସନ୍ତୁଷ୍ଟ ନେତା ଦଳ ଓ ନବୀନଙ୍କ ବିରୋଧରେ ଖୋଲା ଖୋଲି ବିଦ୍ରୋହ କରିପାରୁ ନ ଥିବାରୁ ଭିତିରିଆ ନବୀନଙ୍କୁ ବଦନାମ କରିବାକୁ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତାଙ୍କ ଏହି କାଣ୍ଡ ବୋଲି କୁହାଯାଉଛି। ଏପରିକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା କିଛି ପ୍ରମୁଖ ନେତା ନବୀନଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏପରିକି କିଛି ଅଫିସରଙ୍କ ନବୀନଙ୍କ ଉପରେ ମାତ୍ରାଧିକ ପ୍ରଭାବକୁ ନେଇ କ୍ଷୁବ୍ଧ କିଛି ବରିଷ୍ଠ ନେତା। ତେଣୁ ସ୍ୱାମୀ ପଛେ ମରୁ ସଉତୁଣୀ ରାଣ୍ଡ ହେଉ ନ୍ୟାୟରେ ଏହି ନେତା ଦଳରେ ଥାଇ ଭିତିରିଆ ନବୀନଙ୍କୁ ବଦନାମ କରିବା ସହ କ୍ଷମତାଚ୍ୟୁତ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଓ ପଦପଦବୀରୁ ହଟାଯାଇଥିବା ବହୁ ନେତା ଗୁପ୍ତ ସ୍ଥାନରେ ବୈଠକ କରି ନବୀନଙ୍କୁ ପାନେ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି। 


ସେପଟେ ବର୍ତ୍ତମାନ ଦଳର ଦାୟୀତ୍ୱ ନେଇଥିବା ଯୁବ ନେତା ଓ ସେମାନଙ୍କ କାର୍ଯ୍ୟଶୈଳୀକୁ ନେଇ ଏହି ନେତାମାନେ ପ୍ରବଳ ଅସନ୍ତୁଷ୍ଟ ବୋଲି କୁହାଯାଉଛି। ଏଥର ଆଉ ଚୁପ ନ ରହି ଖୋଦ ନବୀନଙ୍କୁ ପାନେ ଚଖେଇବାକୁ ଦଳର ଗୋଟେ ବଡ଼ ପ୍ରଭାବଶାଳୀ ଗୋଷ୍ଠୀ ସବୁ ପ୍ରକାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଏପରିକି ସେମାନେ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ସହ ଯୋଗାଯୋଗରେ ରହି ଗୃହ ଶତ୍ରୁର ଭୂମିକା ନିର୍ବାହ କରୁଥିବା ଚର୍ଚ୍ଚା ହେଉଛି। ନବୀନଙ୍କ ସବୁଠୁ ବଡ଼ ଶକ୍ତି ହେଲା ତାଙ୍କର ଦାଗମୁକ୍ତ ଚେହେରା। ଯେଉଁ ଚେହେରାରେ ଦୀର୍ଘ ବର୍ଷର ଉଦ୍ୟମ ପରେ ମଧ୍ୟ ବିରୋଧୀ ଦାଗ ଲଗେଇ ପାରି ନାହାନ୍ତି। କିନ୍ତୁ ଏବେ ଖୋଦ ନିଜ ଦଳର କିଛି ପ୍ରମୁଖ ନେତା ସେ କାର୍ଯ୍ୟରେ ଲାଗି ପଡିଥିବା ଚର୍ଚ୍ଚା ଜୋର ଧରିଛି। କେବଳ ବିମାନବନ୍ଦରରେ ମଦ ପିଇ ପାଇଲଟଙ୍କ ସହ ଗଣ୍ଡଗୋଳ ପ୍ରସଙ୍ଗ ନୁହେଁ ଦଳର ବହୁ ପ୍ରଭାବଶାଳୀ ନେତାଙ୍କ ବିରୋଧରେ ହତ୍ୟା, ଅପହରଣ, ନାରୀ ନିର୍ଯ୍ୟାତନା ଭଳି ଘଟଣାରେ ଅଭିଯୋଗ ରହିଛି। ବିରୋଧୀ ଏ ସବୁକୁ ପ୍ରସଙ୍ଗ କରିଛନ୍ତି। କିନ୍ତୁ ନବୀନ ଉଚିତ ସମୟରେ କଠୋର ନିଷ୍ପତ୍ତି ନେଇ ନିଜ ଭାବମୂର୍ତ୍ତିକୁ ଉଜ୍ବଳ କରିଛନ୍ତି।


କିନ୍ତୁ ଦଳ ଭିତରେ କିଛି ନେତା ଖୋଦ ମୁଖିଆଙ୍କ ବିରୋଧରେ ବଡ଼ ଷଡଯନ୍ତ୍ର କରୁଥିବାରୁ ସ୍ଥିତି ଜଟିଳ ହେଉଥିବା ଚର୍ଚ୍ଚା ହେଉଛି। ଗୃହଶତ୍ରୁ ବିଭୀଷଣ ଭଳି ବିଜେଡିର କିଛି ନେତାଙ୍କ ଏଭଳି କାର୍ଯ୍ୟକୁ ମୁଖିଆ ଜାଣିପାରୁଛନ୍ତି କିମ୍ବା ନାହିଁ ତାକୁ ନେଇ ରାଜନୈତିକ ମହଲ ଚର୍ଚ୍ଚା କରୁଛି। ସେପଟେ ଆଗକୁ ନିର୍ବାଚନ ଥିବାବେଳେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବାକୁ ଯୋଜନା କରୁଛି। ଏଭଳି ସ୍ଥିତିରେ ସିଧାସଳଖ ନବୀନଙ୍କ ସହ ଲଢେ଼ଇ କରି ଦଳ ସଫଳ ହେଉ ନ ଥିବାବେଳେ ଖୋଦ ବିଜେଡି ଭିତରୁ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କୁ ହାତ କରି ନବୀନଙ୍କୁ ବଦନାମ କରି ବିଜେଡିକୁ ବର୍ବାଦ କରିବାକୁ ବଡ଼ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀ ପାଇଁ ଆଶା କରି ବିଫଳ ହୋଇଥିବା ବିଜେଡି ନେତାମାନେ ମଧ୍ୟ ଅସନ୍ତୁଷ୍ଟଙ୍କ ସହ ହାତ ମିଳାଉଥିବା ଚର୍ଚ୍ଚା ହେଉଛି। ଆଗାମୀ ନିର୍ବାଚନରେ 60 ରୁ 70 ବିଧାୟକଙ୍କ ଟିକେଟ କଟିବ ବୋଲି ଚର୍ଚ୍ଚା ହେଉଥିବାରୁ ବିଧାୟକ ମାନେ ମଧ୍ୟ ନିଜ ପାଇଁ ସୁରକ୍ଷିତ ଜାଗା ଖୋଜିବା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଅସନ୍ତୁଷ୍ଟ ଓ ବିରୋଧୀମାନେ ସେମାନଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। 


କିଛି ଦିନ ତଳେ ମହାରାଷ୍ଟ୍ରରେ ଏକନାଥ ସିନ୍ଧେଙ୍କ କାରନାମା ସମସ୍ତେ ଦେଖିଛନ୍ତି। ଶିବସେନା ବିଧାୟକଙ୍କୁ ନେଇ ସେ ଯେଭଳି ମହାରାଷ୍ଟ୍ର ରାଜନୀତିରେ ଗୋଟେ ବିସ୍ଫୋରଣ କଲେ ଏହାକୁ ଓଡିଶା ରାଜନୈତିକ ଦୃଶ୍ୟପଟ ସହ ଯୋଡିବାକୁ କିଛି ରାଜନୀତି ସମୀକ୍ଷକ ଉଦ୍ୟମ କରିଛନ୍ତି। ପୂର୍ବରୁ ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ ଅପରେସନ ମନରୁ ଲିଭି ନ ଥିବା ବେଳେ ଦଳ ବିରୋଧୀଙ୍କ ଭିତିରିଆ ଯୋଜନା ରାଜ୍ୟ ରାଜନୀତିକ ବାତାବରଣକୁ ଉଷ୍ମ କରିଛି। କିନ୍ତୁ ସବୁବେଳେ ବିରୋଧୀଙ୍କ ଉଦ୍ୟମକୁ ପଣ୍ଡ କରୁଥିବା ନବୀନଙ୍କ ବିରୋଧରେ ଏ ଚାଲ କେତେ ସଫଳ ହେବ ତାକୁ ନେଇ ଚର୍ଚ୍ଚା। ଏପରିକି ନବୀନଙ୍କ ବିରୋଧରେ ଚାଲ କରି ନେତାମାନେ ଯେଉଁ ଦଶା ଭୋଗିଛନ୍ତି ତାହା କାହାକୁ ଅଛପା ନାହିଁ। ଏଭଳି ସ୍ଥିତିରେ ଦଳ ଭିତରେ ଅସନ୍ତୁଷ୍ଟ ବିରୋଧୀ ସବୁ କିଛି ମାପିଚୁପି କରୁଥିବା ଚର୍ଚ୍ଚା ହେଉଛି।