Dhamnagar Bypoll:


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ବିଜ୍ଞପ୍ତି ପରେ ଏବେ ରାଜ୍ୟ ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି। ଧାମନଗର ଆସନ ହାତେଇବା ପାଇଁ ତିନି ଦଳ ବେଶ ଜୋର ଲଗାଇ ଦେଇଛନ୍ତି। ରାଜ୍ୟ ରାଜନୀତିରେ ଶିଥିଳ ପଡ଼ିଯାଇଥିବା କଂଗ୍ରେସ ମଧ୍ୟ ଏହି ନିର୍ବାଚନକୁ ନେଇ ବେଶ ସକ୍ରିୟ ହୋଇ ପଡ଼ିଛି। ଏପରିକି ପ୍ରାର୍ଥୀ ଚୟନ ପାଇଁ ଦୁଇଟି ଟିମ ମଧ୍ୟ ଗଠନ କରି ସାରିଛି। ସେପଟେ ବିଜେପି ଏନେଇ ସମନ୍ୱୟ କମିଟି ବୈଠକ ବସିସାରିଲାଣି। ବିଜେପି ପ୍ରାର୍ଥି ଚୟନ ଦାୟିତ୍ୱ ସଂସଦୀୟ ଦଳ ଉପରେ ଛାଡ଼ିଛି। ଶାସକ ବିଜେଡି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛି। ତିନି ପ୍ରମୁଖ ଦଳ ଭଲ ପ୍ରାର୍ଥୀ ଚୟନ ସହ ଜିତିବାକୁ ପ୍ରସ୍ତୁତ ହେଉଥିବାବେଳେ ବିଜେଡି କିନ୍ତୁ ଭିତିରିଆ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି।


ଧାମନଗର କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। କେଉଁ ଆଧାରରେ ଦଳଗୁଡିକ ପ୍ରାର୍ଥୀ ଚୟନ କରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା। ବିଜେପି ନିଜ ଆସନକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ଯୋଜନା କରୁଛି। ଧାମନଗର ଦିବଂଗତ ବିଧାୟକ ବିଷ୍ଣୁ ସେଠିଙ୍କ ପୁଅକୁ ବିଜେପି ଧାମନଗରେ ବିଧାୟକ ପ୍ରାର୍ଥୀ କରିବ ବୋଲି ଆଶଙ୍କା ରହିଛି। ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳର ସମନ୍ୱୟ ବୈଠକ ବସିଛି। ସଂସଦୀୟ କମିଟି ଶେଷ ନିଷ୍ପତ୍ତି ନେବ କିଏ ପ୍ରାର୍ଥୀ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ସମ୍ମାନ ସ୍ଥିତିରେ ଜିତିବ ବୋଲି ଦଳ ପକ୍ଷରୁ କୁହାଯାଇଛି।


କଂଗ୍ରେସ କହିଛି ଯେ ଦଳ ପାଇଁ ପ୍ରାର୍ଥୀ ଖୋଜିବା ଦାୟିତ୍ୱ ଦୁଇଟି ଟିମ ଉପରେ ନ୍ୟସ୍ତରହିଛି। ଭଦ୍ରକ ଜିଲା ସଭାପତିଙ୍କୁ ପ୍ରାର୍ଥୀ ନାମ ଦେବା ପାଇଁ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଧାମନଗର ଉପନିର୍ବାଚନ ପାଇଁ ସର୍ଭେ କରିବା ପରେ ପ୍ରାର୍ଥୀଙ୍କ ନାମ ଦେବେ। କଂଗ୍ରେସ ପ୍ରାର୍ଥୀ ଦୌଡ଼ରେ ଅନନ୍ତ ସେଠି, ତାଙ୍କ ଝିଅ ମଧୁମିତା ସେଠି,ହୃଦାନନ୍ଦ ସେଠି,ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ଭଳି ପ୍ରମୁଖ ନେତାଙ୍କ ନାଁ ଚର୍ଚ୍ଚା ହେଉଛି। 


ତେବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଶାସକ ବିଜେଡ଼ି କାହାକୁ ପ୍ରାର୍ଥି କରୁଛି। ଏହାରି ଉପରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ନଜର ରହିଛି। ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇବ ନା ନୂଆ ମୁହଁ ବାଛିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଧାମନଗର ନିର୍ବାଚନରେ ଦଳ କାହାକୁ ପ୍ରାର୍ଥି କରିବେ ତାହା ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି ଦଳୀୟ ନେତା ଟୁପୁରୁଟାପୁରୁ ହେଉଛନ୍ତି। ଅନ୍ୟ ବିରୋଧୀମାନେ ଉପନିର୍ବାଚନ ପାଇଁ ସ୍କ୍ରିପ୍ଟ ଲେଖୁଥିବା ବେଳେ ବିଜେଡ଼ି ନିଜର ରଣନୀତି ପ୍ରସ୍ତୁତ କରିସାରିଲାଣି ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜୋର ଧରିଛି।