ଭୁବନେଶ୍ୱର: ରାଜଧାନୀର ଏକ ଜନ ବହୁଳ ସ୍ଥାନରେ ସରକାରଙ୍କଠାରୁ ଶିଳ୍ପ କରିବା ନାଁରେ ଜମି ନେଇ ଏକ ଘରୋଇ କମ୍ପାନୀ ଆପାର୍ଟମେଣ୍ଟ ତିଆରି କରି ବିକିଦେଇଥିବା ଅଭିଯୋଗ ଆସିଛି। ଏ ଅଭିଯୋଗ ଖୋଦ ସରକାର କରିଛନ୍ତି। ସେ ପୁଣି ଏକ ପ୍ରଭାବଶାଳୀ ଶିଳ୍ପ ସଂସ୍ଥା ନାଁରେ, ଯାହାର ପଛରେ ଅନେକ ବିଜେଡି ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ରହିଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ହେଉଛି ବିଜେଡି ସରକାର ସମୟରେ ହୋଇଥିବା ଏହି ଦୁର୍ନୀତି ବିରୁଦ୍ଧରେ ମୋହନ ମାଝିଙ୍କ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିବେ ନା ଏଇଠୁ ବିଜେଡି ଦୁର୍ନୀତି ଉପରେ ପର୍ଦ୍ଦା ଟାଣିବା ଆରମ୍ଭ ହେବ..?


COMMERCIAL BREAK
SCROLL TO CONTINUE READING

ସେପ୍ଟମ୍ବର ୨୧ ତାରିଖରେ ନୂଆକରି କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏ ସମ୍ପର୍କରେ ଆପତ୍ତି ଉଠାଇ ଖୋର୍ଦ୍ଧା ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଭୁବନେଶ୍ୱର ତହସିଲଦାରଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ଏହି ଚିଠିରେ କୁହାଯାଇଛି ଯେ, ନୂଆ କ୍ୟାପିଟାଲ୍‍ ଥାନା ଅନ୍ତର୍ଗତ ପଟିଆଠାରେ ୫ ଏକର ଜମିରେ ଚଞ୍ଚକତା ହୋଇଛି। ପାଲଟ୍ରୋନିକ୍ସ ଆଲାଏଡ୍‍ ଇଣ୍ଡଷ୍ଟ୍ରିଜ୍‍ ନାମକ ଏକ ସଂସ୍ଥା  ଏପରି ଚଞ୍ଚକତା କରିଛି। ୧୯୭୯ ମସିହାରେ ଏହି ସଂସ୍ଥାକୁ ଲିଜ ସୂତ୍ରରେ  ୫ ଏକର ଜମିର କିସମ ବଦଳାଇ କମ୍ପାନୀ ସେଠାରେ ବଡ଼ କୋଠା ନିର୍ମାଣ କରୁଛି। ଏହି ଜମିର ମାଲିକାନା ସାଧାରଣ ପ୍ରଶାସନ ପାଖରେ ରହିବା କଥା ଅର୍ଥାତ୍‍ ସେତେବେଳେ ସରକାରଙ୍କଠାରୁ ଶିଳ୍ପ କରିବା ଉଦ୍ଦେଶ୍ୟରେ ଜମି ପାଇଥିବା ପାଲଟ୍ରନିକ୍ସର ମାଲିକ ତେଜପାଲ ସିଂହ ହେଉଛନ୍ତି କେବଳ ଜଣେ ସାଧାରଣ ମାର୍ଫତଦାର ବା ପଟ୍ଟାଦାର। ଏଠାରେ ଶିଳ୍ପ ଛଡ଼ା ୯୯ ବର୍ଷ ଲାଗି ସେ ଅନ୍ୟ କିଛି କାର୍ଯ୍ୟ କରିବାକୁ ଯୋଗ୍ୟ ନୁହନ୍ତି। କୌଣସି ବିକ୍ରୟ ଦଲିଲରେ ସରକାର ଏହି ଜମିର ମାଲିକାନାକୁ ସମ୍ପୃକ୍ତ ସଂସ୍ଥାକୁ କେବେ ହସ୍ତାନ୍ତର କରି ନାହାନ୍ତି। କିନ୍ତୁ ଜଣେ ସାଧାରଣ ଲିଜଧାରୀ ମାଲିକ ଭାବେ ସରକାରୀ କାଗଜ ପତ୍ର କରିବା ଏକ ବ୍ୟାପକ ଦୁର୍ନୀତିକୁ ସ୍ପଷ୍ଟ କରୁଛି। ଖାଲି ସେତିକି ନୁହେଁ, ସରକାରଙ୍କଠାରୁ ତାଙ୍କ ଜମି ଚୋରି କରିବାର ନୂଆ ଅଧ୍ୟାୟ ସୃଷ୍ଟି କରିଛି।


ସରକାରୀ କାଗଜପତ୍ରରୁ ଏହା ସ୍ପଷ୍ଟ ଯେ, ଯେଉଁ ଶିଳ୍ପ ଉଦ୍ଦେଶ୍ୟରେ ପାଲଟ୍ରୋନିକ୍ସ ଏ ଜମି ନେଇଥିଲା  ଏବେ ସେଠାରେ ଆଉ ଶିଳ୍ପ ଚଳାଉ ନାହାନ୍ତି। ଏଥିରେ ଆପାର୍ଟମେଣ୍ଟ କରି ସାଧାରଣ ଲୋକଙ୍କୁ ବିକ୍ରି କରୁଛନ୍ତି।  କିଛି ଆପାର୍ଟମେଣ୍ଟ ମଧ୍‍ୟ ବିକ୍ରି ହୋଇ ସାରିଛି। ସରକାରୀ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୨୦୨୨ ମସିହାରେ ଏହି ଜମିର କିସମକୁ ଘରବାଡ଼ିରେ ରୂପାନ୍ତରଣ କରାଯାଇଛି। ସେତେବଳର ସରକାର କିପରି ଏଥିପାଇଁ ଅନୁମତି ଦେଲେ ତାହା  କେଉଁଠି ଉଲ୍ଲେଖ ନାହିଁ। କିନ୍ତୁ ତତ୍‍କାଳୀନ ସରକାରରେ କାମ କରୁଥିବା ତହସିଲଦାର ଏହି ଶିଳ୍ପ ଭିତ୍ତିକ ଲିଜ୍‍ ଜମିକୁ ଘରବାଡ଼ିରେ ରୂପାନ୍ତରଣ କରିବା ସହ ଏହି ଜମିର ମାର୍ଫତଦାରଙ୍କୁ ମାଲିକ ଭାବେ ଅଭିହିତ କରିଛନ୍ତି। ଅର୍ଥାତ୍‍ ତାଙ୍କୁ ସ୍ଥିତିବାନ ପଟ୍ଟା ବି ପ୍ରଦାନ କରିଛନ୍ତି। ଏହା ଏକ ବିରାଟ ରାକେଟର ସୂତ୍ରପାତ କରୁଛି। ଏହାର ତଦନ୍ତ ନିହାତି ଭାବେ ରାଜ୍ୟର ଅନେକ ବଡ଼ ମାଛକୁ ପର୍ଦ୍ଦାଫାଶ କରିବାରେ ସମର୍ଥ ହୋଇପାରେ।


ଜମି ଯେତେବଳେ ସ୍ଥିତିବାନ ଘରବାଡ଼ିରେ ପରିଣତ ହୋଇଛି ତାହାକୁ ବିଏମ୍‍ସି ଅଧିକାରୀ ଆଉ ଯାଞ୍ଚ ନକରି ସେଥିରେ ବହୁତଳ ଅଟ୍ଟାଳିକା ତିଆରି ପାଇଁ ଅନୁମୋଦନ ବି କରିଛନ୍ତି। ଯାହାଫଳରେ ଶିଳ୍ପ ପାଇଁ ଦିଆଯାଇଥିବା କୋଠାରେ ଏବେ ଆବାସିକ ଘର ଗଢ଼ି ଉଠିଛି। ଏଥିରୁ ଅନେକ ଫ୍ଲାଟ ବିକ୍ରି ହୋଇଛି। ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ବି ଉଠାଯାଇଛି। ଅର୍ଥାତ୍‍ ଏକ ବହୁତ ବଡ଼ ସ୍କାମ ରାଜ୍ୟରେ ଘଟିଛି।


ନୂଆକରି ଦାୟିତ୍ୱ ନେବା ପରେ ମୋହନ ମାଝିଙ୍କ ସରକାର ଏହି ଜମିକୁ ପୁଣିଥରେ ଫେରାଇ ଆଣିବା ଲାଗି ଜିଲ୍ଲାପାଳଙ୍କୁ ଏ ବାବଦରେ ଚିଠି ଲେଖିଥିଲେ ମଧ୍ୟ ତାହା ହାଇକୋର୍ଟରେ ଗୁରୁତ୍ୱ ବହନ କରିପାରି ନାହିଁ। ସ୍ୱାବିକ ନ୍ୟାୟିକ ସିଦ୍ଧାନ୍ତକୁ ଆଖିରେ ରଖି ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୋର୍ଟ ନର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‍ ସାଧାରଣ ବିଭାଗର ଚିଠି ଏବେ ସମ୍ପୃକ୍ତ ବିବାଦୀୟ ଜମି ଉପରେ ନିର୍ମାଣକୁ ରୋକିପାରି ନାହିଁ।




ଏବେ ପ୍ରଶ୍ନ ଉଠୁଛି, ସ୍ୱଚ୍ଛତାର ଦ୍ୱାହି ଦେଉଥିବା  ନବୀନ ପଟ୍ଟନାୟକଙ୍କ ସରକାର ଏପରି ଏକ ବିଶାଳ ଦୁର୍ନୀତି କରିଲା କିପରି? ପୁଣି ଏ ଦୁର୍ନୀତିରେ କେବଳ ମାର୍ଫତଦାର ତେଜପାଲ ସିଂହ ଉପକୃତ ହୋଇଛନ୍ତି ନା ଏହା ପଛରେ ଆଉ କାହାର ପ୍ରଚ୍ଛଦ ହାତ ରହିଛି? ଏହା ଏକ ଦୁର୍ନୀତି ସିଣ୍ଡିକେଟର ସୁପରିକଳ୍ପିତ ଯୋଜନା ନୁହେଁ ତ? କାରଣ ଯେଉଁ ଲୋକମାନେ ସମ୍ପୃକ୍ତ ଜମିରେ ଆପାର୍ଟମେଣ୍ଟ କିଣିଛନ୍ତି ହୁଏତ ସେମାନେ ନିରୀହ ହୋଇପାରନ୍ତି କିନ୍ତୁ ଯେଉଁମାନେ ଏହି ଜମିର କିସମକୁ ବଦଳାଇଛନ୍ତି ଏବଂ ଯେଉଁ ସରକାରୀ ଅଧିକାରୀମାନେ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ସେମାନେ ନିରୀହ ହୋଇ ନପାରନ୍ତି। ଏବେ ସମ୍ପୃକ୍ତ ମାର୍ଫତଦାର ଓରଫ ବର୍ତ୍ତମାନ ଜମିର ମାଲିକଙ୍କ ବିରୁଦ୍ଧରେ ମୋହନ ମାଝିଙ୍କ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ? ନା ଏଇଠୁ ଆରମ୍ଭ ହେବ ଦୁର୍ନୀତି ଉପରେ ପର୍ଦ୍ଦା ପକାଇବାର ଅଧ୍ୟାୟ...।


Also Read- ନୂଆଦିଲ୍ଲୀରେ ଆମ୍ବସାଡର୍ ମିଟ୍, ଏକ ଶିଳ୍ପ ହବରେ ପରିଣତ ହେବ ଓଡ଼ିଶା- ମୁଖ୍ୟମନ୍ତ୍ରୀ


Also Read- Mars Transit 2024: କର୍କଟ ରାଶିରେ ମଙ୍ଗଳ ଚଳନ, ଅକ୍ଟୋବର ୨୦ରୁ ଫିଟିବ ୫ ରାଶିର ଭାଗ୍ୟ