ଭୁବନେଶ୍ୱର: ଆଜି ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଯେଉଁଥିରେ ସେ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ରାଜ୍ୟକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପିର ବରିଷ୍ଟ ନେତାମାନେ ଏଠାରେ ମିଛ କଥା କହୁଛନ୍ତି ଏବଂ  ଖରାପ ଭାଷା ବ୍ୟବହାର କରୁଛନ୍ତି ବୋଲି ସେ ଏଥିରେ ଅଭିଯୋଗ କରିଛନ୍ତି। ଲହାସହ ରାଜ୍ୟରେ ସରକାର ଗଠନ କରିବା ପାଇଁ ତାଙ୍କର ଯେଉଁ ପ୍ରୟାସ ଚାଲିଛି ତାହା ବୃଥା ଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କହିଛନ୍ତି, ‘ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକାରେ ସରକାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ। ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ବି ସମାନ ଫଳ ତାଙ୍କୁ ମିଳିଥିଲା। ମୁଁ ଭାବୁଛି ସେହି ଧାରା ଓଡ଼ିଶାରେ ବି ବଜାୟ ରହିବ’। ଆହୁରି ମଧ୍ୟ ସେ କହିଥିଲେ, ‘ବିଜେପିର ବରିଷ୍ଠ ନେତାମାନେ ଓଡ଼ିଶାରେ ଅଛନ୍ତି। ସେମାନଙ୍କ ଭିତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍‍ ମନ୍ତ୍ରୀ ରହିଛନ୍ତି। ସେମାନେ ଓଡ଼ିଶାକୁ ଅତିଥି ଭଳି ବୁଲିବାକୁ ଆସିଛନ୍ତି। ସେମାନେ ଖରାପ ଭାଷା ବ୍ୟବହାର କରିବା ଓ ମିଛ ଅଭିଯୋଗ ଆଣିବାକୁ ଆମେ ଆଶା କରୁ ନାହୁଁ। ଓଡ଼ିଶାର ଲୋକଙ୍କ ଦ୍ୱାରା ଏହା ଗ୍ରହଣ କରାଯାଏ ନାହିଁ। ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ’।


ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ପଦବୀକୁ ରାଜନୀତିକ ଫାଇଦା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବା ଏବଂ ସରକାରୀ କଳକୁ ସେଥିଲାଗି ବ୍ୟବହାର କରୁଥିବା ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେଙ୍କୁ ନିଲମ୍ବନ କରାଯାଇଛି। କେବଳ ସେତିକି ନୁହେଁ, ତାଙ୍କୁ ତୁରନ୍ତ ରାଜ୍ୟ ଛାଡ଼ି ଦିଲ୍ଲୀ ଓଡ଼ିଶା ଆବାସିକ କାର୍ଯ୍ୟାଳୟରେ ଯୋଗଦାନ କରିବାକୁ କୁହାଯାଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଆଶିଷ ସିଂହଙ୍କ ନାଁରେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି। 


ଏହି ଖବର ପ୍ରକାଶ ପାଇବା ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ  ନବୀନଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାର କରାଯାଇ ରାଜ୍ୟକୁ ଆସୁଥିବା ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି ନବୀନ। ବିଗତ କିଛିଦିନ ହେଲା  ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଜେପି ନେତାମାନେ ଟିପ୍ପଣୀ ଦେଉଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ତାମିଲ ଅଧିକରୀଙ୍କ ଦ୍ୱାରା ବନ୍ଧନରେ ଅଛନ୍ତି ବୋଲି ବି ଅଭିଯୋଗ କରିଛି।


Also Read- ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ମାମଲା: ଆଇପିଏସ୍‍ କୁଟ୍ଟେ ନିଲମ୍ବିତ, ଆଶୀଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବ