ମହାମାରୀ ଭିତରେ ଆରମ୍ଭ ହେଲା `ବାତ୍ୟା ରାଜନୀତି`
ବାତ୍ୟା ପୂର୍ବର ସକ୍ରିୟତା ବାତ୍ୟା ପରେ ନ ରହିବା ହେଉଛି ରାଜ୍ୟ ସରକାରଙ୍କ ବଡ଼ ଦୁର୍ଗୁଣ: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ମହାମାରୀ ଭିତରେ ମହାବାତ୍ୟା ଆସିଲା । ଗୋଟିଏ ବର୍ଷ ପୂର୍ବରୁ ଫନିକୁ ସାମ୍ନା କରିଥିବା ଓଡ଼ିଶାରେ ମଧ୍ୟ 'ଅମ୍ଫାନ'ର ପ୍ରଭାବ ଦେଖିବାକୁ ମିଳିଲା । ଯଦିଓ ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗରେ ସର୍ବାଧିକ ପଡ଼ିଲା, ତେବେ ଓଡ଼ିଆ ଲୋକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାଁନ୍ତି । ଆଉ ଏସବୁ ଭିତରେ ଆରମ୍ଭ ହୋଇଯାଇଛି ରାଜନୀତି । ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଦିଗରେ ଓଡ଼ିଶା ଫେଲ ମାରୁଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସେହିପରି ମୋଦିଙ୍କ ସହାୟତା ପ୍ୟାକେଜକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ସେହିପରି ବାତ୍ୟା ପୂର୍ବର ସକ୍ରିୟତା, ବାତ୍ୟା ପରେ ଉଭେଇଯାଏ ବୋଲି କଟାକ୍ଷ କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛି ବିଜେଡି।
ରାଜ୍ୟକୁ କେନ୍ଦ୍ରର ବିପର୍ଯ୍ୟୟ ସହାୟତା ପ୍ରସଙ୍ଗ । ଓଡ଼ିଶା ପାଇଁ ମୋଦିଙ୍କ ୫ଶହ କୋଟିର ପ୍ୟାକେଜକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଶା ଚାହୁଁଥିଲା କେତେ ? କେନ୍ଦ୍ରରୁ ମିଳିଲା କେତେ ? ବୋଧେ କେନ୍ଦ୍ରର ସହାୟତାରେ ଓଡ଼ିଶା ସନ୍ତୁଷ୍ଟ ବୋଲି କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ନିରଞ୍ଜନ ।
ସେହିପରି ବାତ୍ୟା ଫନି ପରେ ବହୁ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ମିଳିପାରିନଥିବା କହିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି, ''ଫନି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ପକ୍କା ଘର ଦିଆଯାଇଥିବା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟିଲେ । ହେଲେ ବାସ୍ତବ ଚିତ୍ର ପୁରା ଓଲଟା । ଖୋର୍ଦ୍ଧା ଓ ପୁରୀରେ ଅନେକ ପ୍ରଭାବିତ ଲୋକ ପକ୍କା ଘର ପାଇନାହାଁନ୍ତି । ଅନ୍ୟପଟେ 'ଫନି' ପରେ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ଦେବାକୁ ମୋଦି କହିଥିଲେ । ଏପଟେ ରାଜ୍ୟ ସରକାର କହୁଛନ୍ତି କେନ୍ଦ୍ର ଏହାର ସ୍ଥାୟୀ ସମାଧାନ କରୁ । ତେବେ ବିପର୍ଯ୍ୟୟର ସ୍ଥାୟୀ ସମାଧାନ କିଏ କରିବ ? ରାଜ୍ୟ ନା କେନ୍ଦ୍ର ? ସରକାର ଲୋକଙ୍କୁ କାହିଁକି ଅନ୍ଧାରରେ ରଖୁଛନ୍ତି ?''
ତେବେ ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି । ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ରାଜ୍ୟର କାମ । ଗତ ମଇରେ 'ଫନି' ପରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ହେଲେ ରାଜ୍ୟ ସରକାରଙ୍କ ବଡ଼ ଦୁର୍ଗୁଣ ଏହା ଯେ, ବାତ୍ୟା ପୂର୍ବର ସକ୍ରିୟତା ବାତ୍ୟା ପରେ ଦେଖିବାକୁ ମିଳେନାହିଁ । ଏଭଳି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି 'ଫନି' କ୍ଷତିପୂରଣ ଦେବାରେ ହୋଇଥିବା ଅନିୟମିତତା କଥା ମଧ୍ୟ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗତ ବର୍ଷର ଉପଦେଶକୁ ରାଜ୍ୟ ସରକାର କାମରେ ଲଗାନ୍ତୁ ବୋଲି ସେ କହିଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘ ସୁତ୍ରୀ ଖସଡ଼ା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା । ବିରୋଧୀ ଦଳ ଭାବେ ଅଭିଯୋଗ କରିବା ସ୍ୱାଭାବିକ କଥା । 'ଫନି' କ୍ଷତିପୂରଣ ପାଇନଥିବା ଅଭିଯୋଗ ମଧ୍ୟ ସତ୍ୟ ନୁହେଁ । କେନ୍ଦ୍ର ସରକାର ସହାୟତା କରିଛନ୍ତି । ବହୁତ କାମ ହୋଇଛି । ଆଗକୁ ବି ଏହା ଜାରି ରହିବ ବୋଲି ସେ କହିଛନ୍ତି ।
ସେହିପରି ବାତ୍ୟା ପାଇଁ ଦୀର୍ଘ ମିଆଦି ଯୋଜନା ସମ୍ପର୍କରେ ବିଜେପିର ମତ ଉପରେ କଡ଼ା ଜବାବ ରଖିଛି ବିଜେଡି। ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାର ସବୁଠୁ ଭଲ କାମ କରିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି। ଏମିତିକି ପ୍ରଧାନମନ୍ତ୍ରୀ ପୂର୍ବରୁ 'ଫନି' ଓ ଏବେ 'ଅମ୍ଫାନ' ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ତେଣୁ 'ଅମ୍ଫାନ' ମୁକବିଲା ସହ କୋରୋନା ବିପତ୍ତି ବେଳେ ବିଜେପି ନେତାମାନେ ଏଭଳି ମନ୍ତବ୍ୟ ଦେବା ଗ୍ରହଣୀୟ କିମ୍ବା ସ୍ପୃହଣୀୟ ନୁହେଁ । ବାତ୍ୟା ଅମ୍ଫାନ କ୍ଷୟକ୍ଷତିର ଆକଳନ ଚାଲିଛି । ଖୁବଶୀଘ୍ର କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।