MCD Mayor Election: ପ୍ରକାଶ ପାଇସାରିଛି ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ। ମୋଟ ୨୫୦ ୱାର୍ଡ଼ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୧୩୪ ସିଟ୍ ଜିତିଥିବାବେଳେ ବିଜେପି ୧୦୪ ଆସନ ପାଇଛି। ସେହିପରି କଂଗ୍ରେସ ୯ ଏବଂ ସ୍ୱାଧୀନ ପ୍ରାର୍ଥୀ ତିନୋଟି ଆସନରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବେ ଦିଲ୍ଲୀ ମେୟର ତାହା ଉପରେ ସମସ୍ତଙ୍କ ନଜର। ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ଏବେ ସରଗରମ ହୋଇଉଠିଛି ରାଜନୀତି। ମେୟର ପଦ ଲାଗି ଆମ ଆଦମୀ ପାର୍ଟି ପାଖରେ ରହିଛି ସଂଖ୍ୟା ଗରିଷ୍ଠତା। ମେୟର ପ୍ରାର୍ଥୀ ତାହାକୁ ନେଇ ଦଳରେ ଚାଲିଛି ମନ୍ଥନ। 


COMMERCIAL BREAK
SCROLL TO CONTINUE READING

ନିୟମ ଅନୁସାରେ ଦିଲ୍ଲୀ ନଗରର ପ୍ରଥମ ମେୟର ଜଣେ ମହିଳା ହେବେ। ଏଥିପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚିତ ହୋଇଥିବା ମହିଳା ପାର୍ଷଦ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି। ଯଦି ଦଳର ମହିଳା ପ୍ରାର୍ଥୀଙ୍କ ଉପରେ ନଜର ପକାଯାଏ ତାହେଲେ ଏଥର ୭୫ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ ୨୫୦ ସିଟ୍ ମଧ୍ୟରୁ ଆପ୍ ୧୪୦ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା। ସେମାନଙ୍କ ମଧ୍ୟରୁ ୭୫ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ନିର୍ବାଚିତ କରାଯିବ। 


ମୋଟ ୫ ବର୍ଷର କାର୍ଯ୍ୟକାଳରେ ଦିଲ୍ଲୀ ନିଗମରେ ଜଣେ ନୁହେଁ ୫ ଜଣ ମେୟର ରହିବେ। ପ୍ରତିବର୍ଷ ଦିଲ୍ଲୀକୁ ମିଳିଥାଏ ନୂଆ ମେୟର। ପ୍ରଥମ ବର୍ଷ ମେୟର ପଦ ମହିଳାଙ୍କ ପାଇଁ ଏବଂ ଦ୍ୱିତୀୟ ବର୍ଷ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଜେନେରାଲଙ୍କ ପାଇଁ ସଂରକ୍ଷିତ ରହିଥାଏ। ସେହିପରି  ତୃତୀୟ ବର୍ଷ ମେୟର ପଦବୀ ଏକ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ଆସନରୁ ନିର୍ବାଚିତ ହେଉଥିବା ପାର୍ଷଦଙ୍କ ପାଇଁ ସଂରକ୍ଷିତ ରହିଥାଏ। ବାକି ୨ ବର୍ଷ ପାଇଁ ସାଧାରଣ ଆସନରେ ୨ ଜଣ ଭିନ୍ନ ଭିନ୍ନ ମେୟର ରହିବେ। ନିର୍ବାଚନ ଫଳାଫଳ ବାହାରିବା ପରେ ନଗର ନିଗମର ପ୍ରଥମ ବୈଠକ ହେବା ପରେ ମେୟର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଦିଲ୍ଲୀ ନଗର ନିଗମର ମେୟରଙ୍କ କାର୍ଯ୍ୟକାଳ ୫ ବର୍ଷ ବଦଳରେ ବର୍ଷେ ରହିଥାଏ। 


ଏହି ବୈଠକ ନଗର ନିଗମ କମିଶନରଙ୍କ ପକ୍ଷରୁ ଡକାଯାଇଥାଏ। ନିର୍ବାଚିତ ପାର୍ଷଦଙ୍କ ମଧ୍ୟରୁ କିଛି ପାର୍ଷଦ ମେୟର ପଦ ପାଇଁ ନାମାଙ୍କନ ଭରିଥାନ୍ତି। ଏହା ପରେ ପାର୍ଷଦ ମେୟର ନିର୍ବାଚିତ କରିଥାନ୍ତି। ଦିଲ୍ଲୀ ନଗର ନିଗମ ନିୟମ ୩୫ ଅନୁଯାୟୀ ପ୍ରତିବର୍ଷ ଅପ୍ରେଲରେ ଅନୁଷ୍ଠିତ ହେଉଥିବା ବୈଠକରେ ଜଣେ ନୂତନ ମେୟର ଏବଂ ଡେପୁଟି ମେୟର ନିର୍ବାଚିତ ହୋଇଥାନ୍ତି।


ମେୟର ନିର୍ବାଚନ ପାଇଁ ୧୪ ଜଣ ବିଧାୟକଙ୍କୁ ଦିଲ୍ଲୀ ବିଧାନସଭା ବାଚସ୍ପତି ମନୋନୀତ କରିଥାନ୍ତି। ଯିଏ ମେୟର ନିର୍ବାଚନରେ ମତଦାନ କରିବେ। ଏହା ବ୍ୟତୀତ ଦିଲ୍ଲୀର ସମସ୍ତ ୭ ଲୋକସଭା ସାଂସଦ ଏବଂ ୩ ରାଜ୍ୟସଭା ସାଂସଦ ମଧ୍ୟ ମେୟର ନିର୍ବାଚନରେ ନିର୍ବାଚନରେ ମତଦାନ କରିବାର ଅଧିକାର ପାଇବେ। ଯେହେତୁ ନଗର ନିଗମର ଏକୀକରଣ ଏବଂ ସୀମାପୁନନିର୍ଦ୍ଧାରଣ ପରେ ଏଥର ନିର୍ବାଚନ ବିଳମ୍ବରେ ହୋଇଛି ଏବଂ ବର୍ତ୍ତମାନ ରହିଥିବା ଆଇନ ଅନୁଯାୟୀ, ପ୍ରତିବର୍ଷ ଅପ୍ରେଲରେ ନିଗମର ପ୍ରଥମ ବୈଠକ ଅନୁଷ୍ଠିତ ହୁଏ ଏବଂ ଏହି ବୈଠକରେ ମେୟର ନିର୍ବାଚିତ ହେବେ। ପ୍ରଥମେ ଜଣେ ମହିଳା ମେୟର ହେବେ। ତାଙ୍କର କାର୍ଯ୍ୟକାଳ ପ୍ରାୟ ୩ ମାସ ରହିବ। ମେୟର ନିର୍ବାଚନ ସମ୍ପୂର୍ଣ୍ଣ ପ୍ରକ୍ରିୟା ଆହୁରି ୨ ସପ୍ତାହ ଲାଗିପାରେ। କିଏ ମେୟର ହେବେ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା। ମେୟର ନିର୍ବାଚନ ଅନୁଷ୍ଠିତ କରାଇବାକୁ କେନ୍ଦ୍ର ସରକାରଙ୍କ ପାଖରେ ରହିଛି କ୍ଷମତା।


ଦିଲ୍ଲୀ ନଗର ନିଗମ ପାଇଁ ବିଭିନ୍ନ ବର୍ଗରୁ ୨୫ ବର୍ଷରୁ ଅଧିକ ଲୋକଙ୍କୁ ମନୋନୀତ କରାଯାଇଥାଏ। ସେମାନେ ନିଗମରେ ଏଲଡରମ୍ୟାନ୍ ଭାବରେ ଜଣାଶୁଣା। ଯେଉଁମାନଙ୍କ ପାଖରେ ଗୃହ ପ୍ରକ୍ରିୟାରେ ଭୋଟ୍ ଦେବାର ଅଧିକାର ନାହିଁ। ହେଲେ ସେମାନେ ୱାର୍ଡ ସମିତିରେ ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷ ନିର୍ବାଚନରେ ​​ଅଂଶଗ୍ରହଣ କରିଥାନ୍ତି। ଏହା ବ୍ୟତୀତ ୨୫୦ ନିର୍ବାଚିତ ପାର୍ଷଦଙ୍କ ବ୍ୟତୀତ ଏହି ଗୃହର ସଦସ୍ୟ ହେଉଛନ୍ତି ଦିଲ୍ଲୀର ସମସ୍ତ ୭ ଲୋକସଭାର ସାଂସଦ, ୩ ରାଜ୍ୟସଭା ସାଂସଦ ଏବଂ ଦିଲ୍ଲୀ ବିଧାନସଭାର ୧୪ ଜଣ ମନୋନୀତ ବିଧାୟକ। ମେୟର ଏବଂ ଡେପୁଟି ମେୟର ପଦ ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ମତଦାନ କରିବା ପାଇଁ ସେମାନଙ୍କ ପାଖରେ ଭୋଟ୍ ଦେବାର ଅଧିକାର ରହିଛି। ଏଭଳି ପରିସ୍ଥିତିରେ ମେୟର ପଦ ପାଇଁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ରହିଥିଲେ ମଧ୍ୟ ବହୁ ସମୟରେ ବିଭିନ୍ନ ରାଜନୈତିକ ଦଳର ସମୀକରଣ ବିଗଡ଼ି ଯାଇଥାଏ। 


ମୋଟ ୨୫୦ ନିର୍ବାଚିତ ପାର୍ଷଦ, ୭ ଲୋକସଭା ସାଂସଦ, ୩ ରାଜ୍ୟସଭା ସାଂସଦ, ୧୪ ବିଧାୟକଙ୍କୁ ମିଶାଇଲେ ଦିଲ୍ଲୀ ନଗର ନିଗମର ମୋଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୨୭୪। ମେୟର ପଦ ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହେଉଛି ୧୩୮। ଅର୍ଥାତ ଦିଲ୍ଲୀ ମେୟର ନିର୍ବାଚନ ପାଇଁ ୧୩୮ ଭୋଟ୍ ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନରେ ଲାଗୁ ହୋଇନଥାଏ ଦଳ ବଦଳ ନିରୋଧ ଆଇନ। ଯଦି କୌଣସି ପାର୍ଷଦ ଦଳୀୟ ମେୟର ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ଦଳର ମେୟର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ। ଏଠାରେ ରାଜ୍ୟସଭା କିମ୍ବା ବିଧାନ ପରିଷଦରେ ଭାଗ ନେଉଥିବା ବିଧାୟକଙ୍କ ଭଳି ପାର୍ଷଦଙ୍କ ପାଇଁ ଦଳୀୟ ହ୍ୱିପ୍ ଜାରି ହୋଇନଥାଏ। ଯଦି କୌଣସି ଦଳର ପାର୍ଷଦ ନିଜ ଦଳର ମେୟର ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ଦଳର ମେୟର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି ତାହେଲେ ତାଙ୍କର ସଦସ୍ୟତା ଚାଲିଯିବ ନାହିଁ।


ରାଜ୍ୟ ନିର୍ବାଚନ ଆୟୋଗରୁ ବିଜେତା ପ୍ରାର୍ଥୀଙ୍କ ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ଏହାକୁ ଦିଲ୍ଲୀ ନଗର ନିଗମ କମିଶନରଙ୍କ ପାଖକୁ ପଠାଇବେ। କମିଶନର୍ ଏହାକୁ ନିଗମ ସଚିବଙ୍କ ନିକଟକୁ ପଠାଇବେ। ନିଗମ ସଚିବ ଏହି ତାଲିକା ସହିତ ଉପରାଜ୍ୟପାଳଙ୍କୁ ଏକ ଚିଠି ଲେଖିବେ। ଯେଉଁଥିରେ କୁହାଯିବ ଯେ ଏହି ସଦସ୍ୟ ଜିତିବା ପରେ ଆସିଛନ୍ତି। ଗୃହ ବୈଠକର ତାରିଖ ଏବଂ ମେୟର ନିର୍ବାଚନ ପାଇଁ ଜଣେ ନିର୍ବାଚନ ଅଧିକାରୀ ନିଯୁକ୍ତ କରନ୍ତୁ। ନିଗମର ପୂର୍ବତନ ମୁଖ୍ୟ ଆଇନ ଅଧିକାରୀ ଅନିଲ ଗୁପ୍ତା କହିଛନ୍ତି ଯେ ଏହି ସମୟରେ ଉପରାଜ୍ୟପାଳ ଦେଖିବେ ଯେ ସେ ଶପଥ ଗ୍ରହଣ ତାରିଖ ଘୋଷଣା କରିପାରିବେ ନା ନାହିଁ।