eci crackdown continues against money power in 2024 election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି କ୍ରମରେ ନିର୍ବାଚନକୁ ଅର୍ଥବଳ ପ୍ରଭାବରୁ ମୁକ୍ତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ପର୍ଯ୍ୟନ୍ତ ୪୬୫୦ କୋଟିରୁ ଅଧିକ ଟଙ୍କା ଜବତ କରିଯାଇଛି। ସୋମବାର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।    


COMMERCIAL BREAK
SCROLL TO CONTINUE READING

ଲୋକସଭା ନିର୍ବାଚନ ଇତିହାସରେ ଏହା ସର୍ବାଧିକ ପରିମାଣରେ ଜବତ ହୋଇଥିବା ଟଙ୍କା ବୋଲି ନିର୍ବାଚନ ଆୟୋଗ ରେକର୍ଡ କହୁଛି। ଏନେଇ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରୁ ନିର୍ବାଚନ ଆୟୋଗ ପ୍ରତିଦିନ ପ୍ରାୟ ୧୦୦ କୋଟି ଟଙ୍କା ଜବତ କରୁଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ଆୟୋଗ ମୋଟ ୩୪୭୫ କୋଟି ଟଙ୍କା ଜବତ କରିଥିଲେ। ହେଲେ ଏଥର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ନ ହେବା ପୂର୍ବରୁ ଗତ ଥର ଅପେକ୍ଷା ଅଧିକ ଟଙ୍କା ଜବତ କରାଯାଇଛି।  


ଗତ ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଏଥର ଡ୍ରଗ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଅଧିକ ପରିମାଣରେ ଜହତ ହୋଇଛି। ଚଳିତ ଥର ୨୦୬୮.୮ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା। ଗତ ଥରର ଲୋକସଭା ନିର୍ବାଚନରେ ୧୨୭୯.୯ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଥିଲା। ଏହି ନିର୍ବାଚନରେ ଅର୍ଥବଳର ଅପବ୍ୟବହାରକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। 


ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନ ଲାଗି ସାତୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ସେହିପରି ଜୁନ ୪ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ୨୦୨୪ ଲୋକସଭା ନିର୍ବାଚନ ଲାଗି ଅପ୍ରେଲ ୧୯ ତାରିଖରେ ପ୍ରଥମ, ଅପ୍ରେଲ ୨୬ ତାରିଖରେ ଦ୍ୱିତୀୟ, ମେ ୭ ତାରିଖରେ ତୃତୀୟ, ମେ ୧୩ ତାରିଖରେ ଚତୁର୍ଥ, ମେ ୨୦ ତାରିଖରେ ପଞ୍ଚମ, ମେ ୨୫ ତାରିଖରେ ଷଷ୍ଠ, ଜୁନ ୧ ତାରିଖରେ ସପ୍ତମ ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। 


ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଜାମୁ କାଶ୍ମୀର, ଲକ୍ଷ୍ମୀଦୀପ ଏବଂ ପୁଦୁଚେରୀ ଠାରେ ମତଦାନ ଅନୁଷ୍ଠିତ ହେବ।