ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍‍ ୧ରେ ଅନୁଷ୍ଠିତ ହେବ। ଏହିଦିନ ରାଜ୍ୟର ୬ ଲୋକସଭା ଆସନ ସହ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଏହି ୪୨ ବିଧାନସଭା ଆସନ ଲାଗି ୧୨୧ଜଣ କୋଟିପତି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମୁଦାୟ ଯୋଗ୍ୟ ୩୯୪ଜଣ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠ ଅନୁଶୀଳନରୁ ଏହା ସ୍ପଷ୍ଟ ହୋଇଛି। ଏଡିଆର ଏବଂ ଓଡ଼ିଶା ଇଲେକ୍ସନ ଓ୍ୱାଚ୍‍ ପକ୍ଷରୁ ଜାରି ତଥା ଅନୁସାରେ ସମୁଦାୟ ପ୍ରାର୍ଥୀଙ୍କ ଭିତରେ କୋଟିପତିଙ୍କ ହାର ହେଉଛି ୩୧%। ଏହି କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ସର୍ବାଧିକ ୩୭ଜଣ ଥିବାବେଳେ ବିଜେପିର ୩୦, କଂଗ୍ରେସର ୨୧ ଏବଂ ସିପିଆଇ ଓ ସିପିଆଇଏମ୍‍ର ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେହିପରି ୧୨୧ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ୪୧ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫କୋଟିରୁ ଅଧିକ ରହିଛି। ସେହିଭଳି ୩୬ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୨ରୁ ୫କୋଟି ଟଙ୍କା ମଧ୍ୟରେ ହୋଇଥିବାବେଳେ ୮୮ ପ୍ରାର୍ଥୀଙ୍କ ସମ୍ପତ୍ତି ୫୦ଲକ୍ଷରୁ ୨କୋଟି, ୮୧ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ରୁ ୫୦ଲକ୍ଷ ଏବଂ ୧୪୮ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ଲକ୍ଷ ଟଙ୍କାରୁ କମ୍‍ ରହିଛି। ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଉପରେ ରହିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବିଧାନସଭାର ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା। ତାଙ୍କ ସମ୍ପତ୍ତିର ପରିମାଣ ୧୩୫ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ସିମୁଳିଆର ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତିର ପରିମାଣ ୯୧କୋଟି ଟଙ୍କାରୁ ଅଧିକ ରହିଛି । ତୃତୀୟ ସ୍ଥାନରେ ଅଛନ୍ତି ଭଣ୍ଡାରୀପୋଖରୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୮୬କୋଟି ଟଙ୍କାରୁ ଅଧିକ ।


ସବୁଠାରୁ ଗରିବ ପ୍ରାର୍ଥୀ ହେଉଛନ୍ତି ବେଣୁଧର ମହାପାତ୍ର। ସେ ଉଦଳା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବସ୍ତା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଝରଣାରାଣୀ ଜେନାଙ୍କ ସମ୍ପତ୍ତିର ପରିମାଣ ୧୦୦୦ ଟଙ୍କା ଥିବାବେଳେ ନିମାପଡାରୁ ଜୟ ମହାଭାରତ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଗୋପାଳ କୃଷ୍ଣ ବେହେରାଙ୍କ ସମ୍ପତ୍ତିର ଧାମନଗରରୁ ସ୍ୱାଧୀନ ଭାବେ ଲଢୁଥିବା ସଞ୍ଜୟ କୁମାର ଦାସ ଏବଂ କୋରେଇରୁ ଲଢୁଥିବା ଗୋପାଳକୃଷ୍ଣ ମହାନ୍ତିଙ୍କ କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନାହିଁ ।