ଭୁବନେଶ୍ୱର: ଲଗାତର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଏଣିକି ବିଧାନସଭାରେ ବିରୋଧୀ ଦଳର ନେତା ଆସନରେ ଦେଖିବାକୁ ମିଳିବ । ଆଜି ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା  ଭାବେ ନିର୍ବାଚିତ କରାଯାଇଛି।  ଏହାଙ୍କ ସହ ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା ଭାବେ ନିର୍ବାଚିତ କରାଯାଇଛି।  ସେହିପରି ବିଂଝାରପୁର ବିଧାୟକ ତଥା  ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ବିଜେଡି ମୁଖ୍ୟ ସଚେତକ ଏବଂ ଆଳି ବିଧାୟକ ପ୍ରତାପ ଦେବ ଉପମୁଖ୍ୟ ସଚେତକ ଭାବେ ନିର୍ବାଚିତ କରିଛି। ଏଥିପାଇଁ  ବୁଧବାର ଅପରାହ୍ନରେ ଶଙ୍ଖ ଭବନଠାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିରୁ ଲଗାତର ଷଷ୍ଠ ଥର ପାଇଁ ନିର୍ବାଚିତ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସମସ୍ତ ବିଧାୟକ ଏକାସ୍ୱରରେ ନବୀନଙ୍କୁ ନେତା ଭାବେ ଚୟନ କରିଥିଲେ । 


COMMERCIAL BREAK
SCROLL TO CONTINUE READING

ବୈଠକ ଶେଷରେ ଦଳର ସଭାପତି ତଥା ନବ ନିର୍ବାଚିତ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏହା ଘୋଷଣା କରିଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଚଳିତ ନିର୍ବାଚନ ଫଳାଫଳ ନେଇ ମଧ୍ୟ ଆଲୋଚନା ହୋଇଥିବା ନବୀନ ଜଣାଇଥିଲେ ।


ବିରୋଧୀ ଦଳ ନେତା ପଦବୀ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ଗଣାଯାଏ। ଗଣତନ୍ତ୍ରର ସୁରକ୍ଷା ତଥା ଗଠନମୂଳକ ଆଲୋଚନା ଲାଗି ବିରୋଧୀ ଦଳ ନେତାଙ୍କ ଭୂମିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏବେ ନବୀନଙ୍କ ଏହି ଆସନ ମଣ୍ଡନ କରିବା ବିଧାନସଭାରେ ବିରୋଧୀଙ୍କ ଭୂମିକାକୁ ଆହୁରି ରୁଦ୍ଧିମନ୍ତ କରିବ। 


ସପ୍ତଦଶ ବିଧାନସଭାରେ ଆସନ୍ତା କାଲି ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଶାସକ ଦଳ ପକ୍ଷରୁ ସୁରମା ପାଢ଼ୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ବିଧାନସଭାରେ ବିଜେପିକୁ ୭୮ଟି ଆସନ ମିଳିଛି। ବିଜେଡିକୁ ୫୧ ଆସନ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୧୪ ଆସନ ମିଳିଛି। ତିନିଜଣ ସ୍ୱାଧୀନ ବିଧାୟକ ଏହି ବିଧାନସଭାରେ ରହିଥିବାବେଳେ ଜଣେ ବିଧାୟକ ସିପିଆଇ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି।


Also Read- Budh Gochar 2024 : କର୍କଟ ରାଶିରେ ବୁଧ ଚଳନ, ୫ ରାଶିକୁ ଆର୍ଥିକ ଲାଭ