Gujarat Assembly Election 2022: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଛି ମତଦାନ। ଏହି ନିର୍ବାଚନ ଲାଗି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ସୋମବାର ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ପାଖପାଖି ୫୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଯେଉଁମାନେ ମତଦାନ କେନ୍ଦ୍ର ମଧ୍ୟରେ ଧାଡ଼ିରେ ଅଛନ୍ତି ସେମାନେ ଧାର୍ଯ୍ୟ ସମୟ ପରେ ଭୋଟ ଦେଇପାରିବେ। ମୋଟ ୧୮୨  ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ।


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୪ ଜିଲ୍ଲାର ୯୩ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦସ୍ଥିତ ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି। ଅହମ୍ମଦାବାଦ, ଭଦୋଦରା, ଗାନ୍ଧୀନଗର ସମେତ ଅନ୍ୟାନ୍ୟ ଜିଲ୍ଲାରେ ଅବସ୍ଥିତ ଏହି ନିର୍ବାଚନମଣ୍ଡଳୀରେ ୬୧ ରାଜନୈତିକ ଦଳର ମୋଟ ୮୩୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ସବରକଣ୍ଠା ଜିଲ୍ଲାରେ ସର୍ବାଧିକ ୬୫.୮୪% ଏବଂ ଅହମ୍ମଦାବାଦ ଜିଲ୍ଲାରେ ସର୍ବନିମ୍ନ ୫୩.୧୬% ମତଦାନ ହୋଇଥିବା ରେକର୍ଡ କରାଯାଇଛି।


ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଡିସେମ୍ବର ୧ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାର ୮୯ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୬୩% ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହିତ ପ୍ରକାଶ ପାଇବ ଗୁଜୁରାଟ ନିର୍ବାଚନ ୨୦୨୨ ଫଳାଫଳ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଗୁଜୁରାଟ, କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା ମତଦାନ। ପ୍ରଥମ ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହି ପର୍ଯ୍ୟାୟରେ ସର୍ବାଧିକ ମତଦାନ ନର୍ମଦା ଜିଲ୍ଲାର ଡେଡିଆପଡା ଠାରେ ୮୨.୭୧% ରେକର୍ଡ କରାଯାଇଥିଲା। ଏହା ପରେ ଭାଲସାଦ ଜିଲ୍ଲାର କପରାଡା ଠାରେ ୭୯.୫୯ ପ୍ରତିଶତ ମତାଦନ ହୋଇଥିବା ଜଣାପଡ଼ିଥିଲା। ସର୍ବନିମ୍ନ ମତଦାନ କଚ୍ଛ ଜିଲ୍ଲାର ଗାନ୍ଧୀଧାମ ଆସନରେ ରେକର୍ଡ କରାଯାଇଥିଲା। ଏହି ଆସନରେ ୪୭.୮୬% ମତଦାନ ହୋଇଥିବା ଜଣାପଡ଼ିଛି। ନର୍ମଦା ଜିଲ୍ଲାରେ ସର୍ବାଧିକ ୭୮.୨୪% ମତଦାନ ହୋଇଥିବା ବେଳେ ବୋଟାଡ ଜିଲ୍ଲାରେ ସର୍ବନିମ୍ନ ୫୭.୫୮% ମତଦାନ ହୋଇଥିଲା।


ଗତ ୧୯୯୫ ମସିହାରୁ ଗୁଜୁରାଟ ବିଜେପି ଦ୍ୱାରା ଶାସିତ ହୋଇଆସୁଛି। ଲଗାତାର ଭାବେ ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପି କ୍ରମାଗତ ଭାବେ ସପ୍ତମ ଥର ପାଇଁ ସରକାର ଗଠନ କରିବା ଉପରେ ନଜର ରଖିଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ନିର୍ବାଚନରେ ​​ବିଜେପି ଲାଗି ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି। ଗୁଜୁରାଟ ନିର୍ବାଚନ ଲାଗି ଦଳୀୟ ପ୍ରଚାର ଅଭିଯାନ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ସାମିଲ ହୋଇଥିଲେ।


କଂଗ୍ରେସ ପକ୍ଷରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ,  ସାଂସଦ ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ସମେତ ଦଳର ଅନେକ ନେତା ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ଅନ୍ୟପଟେ ଆମ୍ ଆଦମୀ ପାର୍ଟି ପାଇଁ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାର କରିଥିଲେ।