Gujarat Election 2022: ବିଜେପି ଉପରେ ସମର୍ଥନ ଅଜାଡି ଦେଲେ ନାରାଜ ଭୋଟର, ଜବରଦସ୍ତ ସଫଳତା ପାଇଲା ଦଳ
Gujarat Election Result 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିବା ପଛରେ ରହିଥିବା ଏକ ବଡ଼ କାରଣ ସାମ୍ନାକୁ ଆସିଛି। ଦଳକୁ ଏଥର ମିଳିଥିବା ଐତିହାସିକ ବିଜୟରୁ ଏହା ସ୍ପଷ୍ଟ ହେଉଛି ଏଥର ବିଜେପି ଗୁଜରାଟରେ ପ୍ରତ୍ୟେକ ସମ୍ପ୍ରଦାୟର ସମର୍ଥନ ହାସଲ କରିଛି। ସେ ଯେ କୌଣସି ସମ୍ପ୍ରଦାୟ ହୁଅନ୍ତୁ, ସମସ୍ତେ ବିଜେପି ଉପରେ ବିଶ୍ୱାସ ରଖିଛନ୍ତି।
Gujarat Patidar Voter: ପ୍ରକାଶ ପାଇସାରିଛି ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ। ଏହି ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ବିଜେପି ଏକାକୀ ୧୫୬ ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ମୁଖ୍ୟ ବିରୋଧୀ କଂଗ୍ରେସ ୧୭, ଆମ ଆଦମୀ ପାର୍ଟି ୫, ସମାଜବାଦୀ ପାର୍ଟି ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ ଆସନରେ ବିଜୟୀ ହୋଇଛନ୍ତି।
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିବା ପଛରେ ରହିଥିବା ଏକ ବଡ଼ କାରଣ ସାମ୍ନାକୁ ଆସିଛି। ତାହା ହେଉଛି ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିବା ପଟେଲ ସମ୍ପ୍ରଦାୟ ପକ୍ଷରୁ ମିଳିଥିବା ଜବରଦସ୍ତ ସମର୍ଥନ। ପଟେଲ ମଦଦାତା ବହୁଳ ୫୦ ଆସନରେ ବିଜେପି ବିଜୟ ହାସଲ କରିଛି। ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୭୦ ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ପଟିଦାର ମତଦାତା। ଏହି ୭୦ ସିଟ ମଧ୍ୟରୁ ୫୨ ଆସନରେ ପଟିଦାର ମତାଦାତାଙ୍କ ସଂଖ୍ୟା ହେଉଛି ୨୦ ପ୍ରତିଶତରୁ ଅଧିକ।
ଦକ୍ଷିଣ ଗୁଜୁରାଟ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଅବସ୍ଥିତ ଅଧିକାଂଶ ଆସନରେ ପଟିଦାର ସମ୍ପ୍ରଦାୟ ମତଦାତାଙ୍କ ଭୋଟ୍ ଦ୍ୱାରା କୌଣସି ଦଳର ପ୍ରାର୍ଥୀ ଜୟ ପରାଜୟ ସ୍ଥିର ହୋଇଥାଏ। ଗୁଜୁରାଟରେ ପଟିଦାର ସମ୍ପ୍ରଦାୟର ଲୋକ ଲେଉବା ପଟେଲ ଏବଂ କଡଭା ପଟେଲ ଆଦି ଉପ ଜାତିରେ ବିଭକ୍ତ ହୋଇଛନ୍ତି। ରାଜ୍ୟରେ ୭୦ ପ୍ରତିଶତ ଲେଉବା ଏବଂ ୩୦ ପ୍ରତିଶତ କଡବା ପଟେଲ ଅଛନ୍ତି। ଲେଉବା ପଟେଲ ସମ୍ପ୍ରଦାୟର ଜନସଂଖ୍ୟା ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ଅଧିକ ରହିଛି। ରାଜକୋଟ, ଜାମନଗର, ଆମରେଲି, ଭବନଗର, ଜୁନାଗଡ, ପୋରବନ୍ଦର, ସୁରେନ୍ଦ୍ର ନଗର ଆଦି ଜିଲ୍ଲାରେ ଲେଉବା ପଟେଲ ସମ୍ପ୍ରଦାୟର ଜନସଂଖ୍ୟା ଯଥେଷ୍ଟ। ଲେଉବା ପଟେଲ ପଟିଦାର ସମ୍ପ୍ରଦାୟର ଏକ ଉପ ଜାତି। ସୌରାଷ୍ଟ୍ରର ୧୧ ଜିଲ୍ଲା ବ୍ୟତୀତ ସୁରଟ ଜିଲ୍ଲାରେ ମଧ୍ୟ ପଟିଦାର ସମ୍ପ୍ରଦାୟର ଲୋକଙ୍କ ଭଲ ପ୍ରଭାବ ରହିଛି।
ଏଥର ସୌରାଷ୍ଟ୍ର-କଚ୍ଛ ଅଞ୍ଚଳର ୫୪ ସିଟ୍ ମଧ୍ୟରୁ ବିଜେପି ୪୭ ଆସନରେ ଜିତିଛି। ଅନ୍ୟପକ୍ଷରେ କଂଗ୍ରେସ ୩ ଏବଂ ଆମ୍ ଆଦମୀ ପାର୍ଟି ୪ ଆସନ ପାଇଛି। ଗତ ବିଧାନସଭା ନିର୍ବାଚନ ବେଳେ ପଟିଦାର ଆନ୍ଦୋଳନ କାରଣରୁ ବିଜେପି ସୌରାଷ୍ଟ୍ର ଅଞ୍ଚଳରେ ବହୁ କ୍ଷତି ସହିଥିଲା। ଗତ ନିର୍ବାଚନରେ ଏଠାରେ ବିଜେପି ମାତ୍ର ୨୩ ସିଟ୍ ପାଇଥିବା ବେଳେ କଂଗ୍ରେସ ୩୦ ଆସନ ଜିତିବାରେ ସଫଳ ହୋଇଥିଲା। ସେହିପରି ୨୦୧୨ ନିର୍ବାଚନ ବେଳେ ବିଜେପି ଏହି ଅଞ୍ଚଳରେ ୩୫ ସିଟ୍ ପାଇଥିଲା।
ଗୁଜୁରାଟ ରାଜନୀତିରେ ପଟିଦାର ସମ୍ପ୍ରଦାୟକୁ ବିଜେପି ଦଳର ପାରମ୍ପାରିକ ଭୋଟ୍ ବ୍ୟାଙ୍କ ଭାବେ ଗଣା ଯାଉଥିଲା। ହେଲେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ଦଳ ପଟିଦାର ଆନ୍ଦୋଳନ କାରଣରୁ ଜବରଦସ୍ତ କ୍ଷତି ସହିଥିଲା। ପଟିଦାର ସମ୍ପ୍ରଦାୟ ପଛୁଆ ବର୍ଗରେ ସାମିଲ କରି ସଂରକ୍ଷଣ ପାଇଁ ଦାବି କରିଥିଲା। ଏନେଇ ହୋଇଥିବା ଆନ୍ଦୋଳନ କାରଣରୁ ଗତ ଥରର ନିର୍ବାଚନରେ ବିଜେପି ହାତରୁ ଏହାର ପାରମ୍ପରିକ ଭୋଟ ବ୍ୟାଙ୍କ ଚାଲିଯାଇଥିଲା। ପଟିଦାର ସମ୍ପ୍ରଦାୟର ଯୁବ ନେତା ହାର୍ଦ୍ଦିକ ପଟେଲ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ। ବୟସ କମ ହେବା କାରଣରୁ ୨୦୧୭ ନିର୍ବାଚନରେ ହାର୍ଦ୍ଦିକ ପଟେଲ ପ୍ରତିଦ୍ୱନ୍ଦ୍ୱିତା କରି ପାରିନଥିଲେ। ଯଦିଓ ସେ ଖୋଲାଖୋଲି ଭାବେ କଂଗ୍ରେସ ଦଳକୁ ସାହାଯ୍ୟ କରିଥିଲେ। ଏହା ପରେ ୨୦୧୯ ବର୍ଷରେ ସେ ଆନୁଷ୍ଠାନିକ ଭାବେ କଂଗ୍ରେସ ହତ ଧରିଥିଲେ।
ହେଲେ ସ୍ଥିତି ବଦଳି ଯାଇଥିଲା। ବିଜେପି ଏହାର ପାରମ୍ପରିକ ଭୋଟ ବ୍ୟାଙ୍କ କୁହାଯାଉଥିବା ପଟିଦାର ସମ୍ପ୍ରଦାୟକୁ ଦଳ ସପକ୍ଷରେ ନେବାରେ ସଫଳ ହୋଇଥିଲା। ଏଥର ବିଜେପି ପଟିଦାର ମତଦାତାଙ୍କୁ ମନାଇବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଏଥର ବିଜେପି ୪୧ ଜଣ ପଟିଦାର ପ୍ରାର୍ଥୀ ଛିଡ଼ା କରିଥିଲା। ପରିସ୍ଥିତି ଏପରି ହେଲା ଯେ ଗତ ଜୁନ୍ ମାସରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡି ବିଜେପି ହାତ ଧରି ନେଇଥିଲେ। ଏଥର ସେ ନିଜେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଅହମ୍ମଦାବାଦ ଜିଲ୍ଲାର ବିରାମଗାମ ଆସନରୁ ନିର୍ବାଚନ ଲଢିଥିଲେ। ନିଜର ପ୍ରଥମ ନିର୍ବାଚନରେ ବିଜେପି ପ୍ରାର୍ଥୀ ହାର୍ଦ୍ଦିକ ପଟେଲ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ସୌରାଷ୍ଟ୍ର ଅଞ୍ଚଳ ଦଖଲ କରିବା ପାଇଁ ବିଜେପି ଅଧିକାଂଶ ନୂଆ ଚେହେରାକୁ ସୁଯୋଗ ଦେଇଥିଲା। ଗତ ଥରର ବିଧାନସଭା ନିର୍ବାଚନରେ ସୌରାଷ୍ଟ୍ର ଅଞ୍ଚଳର ଅନେକ ଆସନରେ ବିଜେପି ପ୍ରାର୍ଥୀ ବହୁତ କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗତ ଥର ଡାଙ୍ଗ ଆସନରେ ବିଜେପି ମାତ୍ର ୭୮୬ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା। ହେଲେ ଏଥର ବିଜେପି ପ୍ରାର୍ଥୀ ବିଜୟ ରମେଶଭାଇ ପଟେଲ କଂଗ୍ରେସ ପ୍ରାର୍ଥୀଙ୍କୁ ମୁକେଶ ଭାଇଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିଭଳି ବିଜେପି ଗତ ଥର ମାତ୍ର ୧୭୦ ଭୋଟ ବ୍ୟବଧାନରେ କପରାଡା ଆସନ ହରାଇଥିଲା। ହେଲେ ଏଥର ବିଜେପି ପ୍ରାର୍ଥୀ ଜିତୁ ଭାଇ ଚୌଧୁରୀ ଏହି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସୌରାଷ୍ଟ୍ର ଅଞ୍ଚଳରେ କଂଗ୍ରେସ ଛାଡିଥିବା କୁୱଁରଜୀଭାଇ ବାଭାଲିଆଙ୍କ ଭଳି ନେତାଙ୍କ ଉପରେ ବିଜେପି ବାଜି ଲଗାଇଥିଲା। କୁୱଁରଜୀଭାଇ ବାଭାଲିଆ ଜସଦଣ ଆସନରୁ ବାଜିମାତ କରିଛନ୍ତି। ସୌରାଷ୍ଟ୍ର ଅଞ୍ଚଳର ରାଜକୋଟ ଜିଲ୍ଲାରେ ଗତ ଥର ନିର୍ବାଚିତ ହୋଇଥିବା ୪ ଜଣ ବିଧାୟକଙ୍କ ଟିକେଟ୍ ଏଥର ବିଜେପି କାଟି ଦେଇଥିଲା। ଯାହାର ଫଳାଫଳ ହେଉଛି ଏଥର ବିଜେପି ରାଜକୋଟ ଜିଲ୍ଲାର ସମସ୍ତ ୮ ସିଟ୍ ଦଖଲ କରି ନେଇଥିଲା।
ସୁରଟ ଜିଲ୍ଲାର ସମସ୍ତ ୧୬ ଆସନ ଜିତି ବିଜେପି ଏଠାରେ ନିଜର ପୁରୁଣା ଦବଦବା ଜାହିର କରିଛି। ସୁରଟ ଜିଲ୍ଲାର ପଟିଦାର ସମ୍ପ୍ରଦାୟର ମତଦାତାଙ୍କ ଭଲ ପ୍ରଭାବ ରହିଥିବା କୁହାଯାଏ। ଅନ୍ୟପଟେ ଅହମ୍ମଦାବାଦ ଜିଲ୍ଲାର ୨୧ ସିଟ୍ ମଧ୍ୟରୁ ବିଜେପି ୧୯ ଆସନରେ ବିଜୟ ବାନା ଉଡ଼ାଇଛି। ଅହମ୍ମଦାବାଦ ଜିଲ୍ଲାର ୫ ବିଧାନସଭା ଆସନରେ ପଟିଦାର ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଏହି ଆସନ ହେଉଛି ଘାଟଲୋଡିଆ, ସାବରମତି, ମଣି ନଗର, ନିକୋଲ ଏବଂ ନାରୋଦା। ବିଜେପି ଏହି ସମସ୍ତ ଆସନ ଦଖଲ କରିଛି। ଦକ୍ଷିଣ ଗୁଜୁରାଟର ମୋଟ ୩୫ ସିଟ୍ ମଧ୍ୟରୁ ବିଜେପି ୩୩ ଆସନ ଜିତିବାରେ ସଫଳ ହୋଇଛି।
କେବଳ ପଟିଦାର ନୁହେଁ ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଆଦିବାସୀ ମତଦାତାଙ୍କ ପାଖରୁ ଜବରଦସ୍ତ ସମର୍ଥନ ପାଇଛି। ଗୁଜୁରାଟ ରାଜନୀତି ଆଦିବାସୀ ସମ୍ପ୍ରଦାୟ କଂଗ୍ରେସ ଦଳର ପାରମ୍ପାରିକ ଭୋଟ୍ ବ୍ୟାଙ୍କ ଭାବେ ଜଣାଶୁଣା ଥିଲା। ଗତ ୨୦୧୧ ଜନଗଣନା ଅନୁଯାୟୀ ଗୁଜୁରାଟରେ ଆଦିବାସୀଙ୍କ ସଂଖ୍ୟା ୮୯ ଲକ୍ଷରୁ ଅଧିକ। ରାଜ୍ୟର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି ଆଦିବାସୀ। ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ହେଉଛି ବନାସକାଣ୍ଠା, ଅମ୍ବାଜୀ, ଦାହୋଦ, ପଞ୍ଚମହଲ, ଛୋଟା ଉଦୟପୁର ଏବଂ ନର୍ମଦା। ଗୁଜୁରାଟ ମୋଟ ୧୮୨ ବିଧାନସଭା ଆସନ ମଧ୍ୟରୁ ୨୭ ସିଟ୍ ଆଦିବାସୀଙ୍କ ପାଇଁ ସଂରକ୍ଷିତ।
ଅଦ୍ୟାବଧି ବିଜେପି ଦଳକୁ ଆଦିବାସୀ ଅଞ୍ଚଳରେ ଭୋଟ ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ଗତ ୨୦୧୭ ନିର୍ବାଚନରେ ଶାସକ ଦଳ ବିଜେପି ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଥିବା ମୋଟ ୨୭ ସିଟ ମଧ୍ୟରୁ ୯ ଆସନରେ ଜିତିଥିଲା। ଗତଥର କଂଗ୍ରେସ ୧୫ ଆସନ ପାଇଥିଲା। ହେଲେ ଏଥର ବିଜେପି ୨୩ ଆସନ ଜିତିଛି। ଦଳକୁ ଏଥର ମିଳିଥିବା ଐତିହାସିକ ବିଜୟରୁ ଏହା ସ୍ପଷ୍ଟ ହେଉଛି ଏଥର ବିଜେପି ଗୁଜରାଟରେ ପ୍ରତ୍ୟେକ ସମ୍ପ୍ରଦାୟର ସମର୍ଥନ ହାସଲ କରିଛି। ସେ ଯେ କୌଣସି ସମ୍ପ୍ରଦାୟ ହୁଅନ୍ତୁ, ସମସ୍ତେ ବିଜେପି ଉପରେ ବିଶ୍ୱାସ ରଖିଛନ୍ତି।