Sita Soren Join BJP: ଚଳିତ ବର୍ଷ ଝାଡ଼ଖଣ୍ଡରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ହେଲେ ଏହି ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ମଙ୍ଗଳବାର (୧୯ ମାର୍ଚ୍ଚ) ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁକ୍ତି ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି ସୀତା ସୋରେନ। ଜେଏମଏମ ବିଧାୟକ ସୀତା ସୋରେନ ରାଜ୍ୟର ଜାମା ଆସନରୁ ଝାଡ଼ଖଣ୍ଡ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି।   


COMMERCIAL BREAK
SCROLL TO CONTINUE READING

ସୀତା ସୋରେନ ହେଉଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ ଏବଂ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସୀତା ସୋରେନଙ୍କ ସ୍ୱାମୀ ହେଉଛନ୍ତି ଶିବୁ ସୋରେନଙ୍କ ବଡ଼ ପୁଅ ଏବଂ  ହେମନ୍ତ ସୋରେନଙ୍କ ବଡ଼ ଭାଇ ଦୁର୍ଗା ସୋରେନ। ଗତ ୧୯୯୫ ଏବଂ ୨୦୦୦ ବିଧାନସଭା ନିର୍ବାଚନରେ ଜାମା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ଦୁର୍ଗା ସୋରେନ। ମାତ୍ର ୨୦୦୯ ମେ ୩୧ ତାରିଖରେ ଦୁର୍ଗା ସୋରେନଙ୍କ ମୃତ୍ୟ ହୋଇଥିଲା। ଏହା ପରେ ୨୦୦୯, ୨୦୧୪, ୨୦୧୯  ବିଧାନସଭାରେ ଜାମା ଆସନରୁ ନିର୍ବାଚିତ ହୋଇଥିଲେ ସୀତା ସୋରେନ।


ମଙ୍ଗଳବାର ବିଜେପି ହାତ ଧରିବା ପରେ ସୀତା ସୋରେନ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କୁ ବହୁତ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିନ୍ତାଧାରାରେ ପ୍ରଭାବିତ ହେବା ପରେ ସେ ବିଜେପି ହାତ ଧରିଥିବାର କହିଛନ୍ତି। ସୀତା ସୋରେନ ଆହୁରି କହିଛନ୍ତି ଯେ ମୋ ଶ୍ୱଶୁର ଶିବୁ ସୋରେନ୍ ଏବଂ ମୋର ସ୍ୱାମୀ ସ୍ୱର୍ଗତଃ ଦୁର୍ଗା ସୋରେନ୍ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ମୋ ସ୍ୱାମୀଙ୍କ ଏକ ସ୍ୱପ୍ନ ରହିଥିଲା ଯେ ଝାଡ଼ଖଣ୍ଡର ବିକାଶ ହେବା ଆବଶ୍ୟକ। ହେଲେ ଏବେ ତାଙ୍କ ସ୍ୱପ୍ନ ଭାଙ୍ଗି ଯାଉଛି। ମୁଁ ବର୍ତ୍ତମାନ ମୋଦି ପରିବାରକୁ ଆସିଛି। ଏବେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମୋ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରିବି। ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର ସମସ୍ତ ୧୪ ଲୋକସଭା ଆସନ ବିଜେପି ଜିତିବ। ଝାଡ଼ଖଣ୍ଡ ମୁଣ୍ଡ ତଳକୁ ନୂଆଁଇବାକୁ ଦିଆଯିବ ନାହିଁ। ଝାଡ଼ଖଣ୍ଡକୁ ରକ୍ଷା କରାଯିବ।


ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ଝାଡ଼ଖଣ୍ଡ ବିଜେପି ପ୍ରଭାରୀ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ ସୀତା ସୋରେନଙ୍କୁ ଦଳରେ ସାମିଲ କରିଛନ୍ତି। ଏହି ସମୟରେ ବିନୋଦ ତାୱଡେ କହିଥିଲେ ଯେ ସୀତା ସୋରେନ ଦଳର ଶକ୍ତି ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ଆଗାମୀ ଦିନରେ ଦୃଶ୍ୟମାନ ହେବ। ଆଦିବାସୀ ସମାଜର ଲାଭ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ଅଧିକ ଶକ୍ତି ମିଳିବ। ମୁଁ ଭଉଣୀ ସୀତା ସୋରେନଙ୍କୁ ସ୍ୱାଗତ କରୁଛି। ସମଗ୍ର ଦଳ ସହିତ ଆଦିବାସୀଙ୍କ ବିକାଶରେ ସହଯୋଗ କରିବ।


ଝାଡ଼ଖଣ୍ଡ ବିଜେପି ପ୍ରଭାରୀ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି ଯେ ସେ ସୀତା ସୋରେନଙ୍କୁ ଦଳରେ ସ୍ୱାଗତ କରୁଛନ୍ତି। ଝାଡଖଣ୍ଡରେ ଜେଏମଏମ କ୍ଷମତାସୀନ ରହିଥିବା ସତ୍ତ୍ୱେ ଦିଲ୍ଲୀ ପର୍ଯ୍ୟନ୍ତ କୋଇଲା ଖଣିରେ ଦୁର୍ନୀତି ଏବଂ ଚୋରି ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ସୀତା ସୋରେନଙ୍କୁ ସମର୍ଥନ ମିଳିବ। ଆପଣଙ୍କୁ କହିରଖୁଛୁ ଯେ ସୀତା ସୋରେନ ମଙ୍ଗଳବାର (ମାର୍ଚ୍ଚ ୧୯) ସକାଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇଥିଲେ। ଜେଏମଏମ ଛାଡିବା ବେଳେ ସେ ଅତ୍ୟନ୍ତ ଭାବପ୍ରବଣ ଚିଠି ଜାରି କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ମୋ ପରିବାର ବିରୋଧରେ ଏକ ଗଭୀର ଷଡ଼ଯନ୍ତ୍ର କରାଯାଉଛି। ମୁଁ ଦଳର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବ  ସକ୍ରିୟ ସଦସ୍ୟ। ବର୍ତ୍ତମାନ ଜାମା ଆସନରୁ ଜେଏମଏମ ବିଧାୟକ ରହିଛି। ଏହା ଅତ୍ୟନ୍ତ ଦୁଃଖ ହୃଦୟ ସହିତ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି।


ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୋର ସ୍ୱର୍ଗତ ସ୍ୱାମୀ ଦୁର୍ଗା ସୋରେନ୍ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କ ମୃତ୍ୟୁ ପର ଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ। ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି। ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।