Karnataka Election 2023 BJP Candidate: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ଘୋଷଣା କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦଳର ୧୮୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏହି ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣଙ୍କୁ ପ୍ରଥମ ଥର ପାଇଁ ଟିକେଟ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ ତଥା ବିଜେପି ସଂସଦୀୟ ବୋର୍ଡ ସଦସ୍ୟ ବିଏସ ୟେଦୁରୁପ୍ପାଙ୍କ ପୁଅ ବି.ଏସ ବିଜୟେନ୍ଦ୍ର ଶିକାରୀପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ତାଙ୍କର ପାରମ୍ପାରିକ ଶିଗାଓଁ ଆସନରୁ ନିର୍ବାଚନ ଲଢିବେ।


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ବି.ଶ୍ରୀରାମୁଲୁ ବେଲାରୀ ଗ୍ରାମୀଣ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚିକ୍କାବଲ୍ଲାପୁର ଆସନରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ସୁଧାକର ପ୍ରତିଦ୍ୱନ୍ଦ୍ୱିତା କରିବେ। ଡାକ୍ତର ଅଶ୍ୱତନାରାୟଣ ମଲେଶ୍ୱରମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମନ୍ତ୍ରୀ ଆର.ଅଶୋକ ପଦ୍ମନାଭନଗର ଏବଂ କନକପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।


କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଅନେକ ରାଉଣ୍ଡ ବୈଠକ କରିଥିଲେ। ବୈଠକ ଶେଷ ହେବା ପରେ ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଥିଲା। କର୍ଣ୍ଣାଟକ ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ଦଳ ୫୨ ଜଣ ନୂଆ ଚେହେରାଙ୍କୁ ଟିକେଟ ଦେଇଛି। ପ୍ରଭାରୀ ସିଂହଙ୍କ କହିବା ଅନୁସାରେ ୧୮୯ ଜଣ ପ୍ରାର୍ଥୀଙ୍କ ତାଲିକାରେ ୩୨ ଜଣ ପଛୁଆ ବର୍ଗ, ୩୦ ଜଣ ଅନୁସୂଚିତ ଜାତି ଏବଂ ୧୬ ଜଣ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି।


କର୍ଣ୍ଣାଟକ ବିଜେପି ପ୍ରଭାରୀ କହିଛନ୍ତି ଯେ ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ ୮ ଜଣ ମହିଳାଙ୍କୁ ଟିକେଟ ଦିଆଯାଇଛି। ଦଳୀୟ ପ୍ରାର୍ଥୀ ତାଲିକାରେ ୫ ଜଣ ଓକିଲ, ୯ ଜଣ ଡାକ୍ତର, ୩ ଜଣ ଶିକ୍ଷାବିଦ, ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ଜଣେ ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନାମ ଅନ୍ତର୍ଭୂକ୍ତ ରହିଛି।


ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ, ଦଳର ପ୍ରାର୍ଥୀ ତାଲିକାରେ ୩ ଜଣ ସେବା ନିବୃତ୍ତ କର୍ମଚାରୀ ଏବଂ ୮ ଜଣ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଟିକେଟ ଦେଇଛି ଦଳ। ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ବେଳେ କର୍ଣ୍ଣାଟକ ବିଜେପି ପ୍ରଭାରୀ ଦାବି କରିଛନ୍ତି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରିବ। କଂଗ୍ରେସ ତୃଣମୂଳ ସ୍ତରରେ ଦୃଶ୍ୟମାନ ହେଉନାହିଁ। କଂଗ୍ରେସ ଦଳରେ ଗୋଷ୍ଠୀ ବିବାଦ ଚାଲିଛି। ଜେଡିଏସ ଏକ ବୁଡ଼ି ଯାଉଥିବା ଜାହାଜ ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପି ପ୍ରଭାରୀ।


 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ମେ ୧୦ ତାରିଖରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଅପ୍ରେଲ ୧୩ ତାରିଖରୁ ଆରମ୍ଭ ହେବ ଏବଂ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୨୦ ଅପ୍ରେଲ। କର୍ଣ୍ଣାଟକରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ବିଧାନସଭାର ମୋଟ ୨୨୪ ଆସନରୁ ଅତି କମରେ ୧୫୦ ସିଟ୍ ଜିତିବାର ଲକ୍ଷ୍ୟ ରଖିଛି।