BK Hariprasad controversial statement: ନିଜର ବୟାନ ପାଇଁ ବିବାଦ ଘେରକୁ ଟଣା ହୋଇଛନ୍ତି ପୂର୍ବତନ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା କର୍ଣ୍ଣାଟକ ବିଧାନ ପରିଷଦରେ ବିରୋଧୀ ଦଳ ନେତା ବି.କେ ହରିପ୍ରସାଦ। ଚଳିତ ବର୍ଷ ଅନୁଷ୍ଠିତ ହେଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ରାଜନେତାଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ବାକ୍ୟ ଯୁଦ୍ଧ। ନିଜର ବିବାଦୀୟ ବିବୃତ୍ତି ପାଇଁ ଜଣାଶୁଣା କଂଗ୍ରେସ ନେତା ବି.କେ ହରିପ୍ରସାଦ ଦଳ ବଦଳ କରିଥିବା ନେତାଙ୍କ ତୁଳନା ବେଶ୍ୟାଙ୍କ ସହ କରିଛନ୍ତି। ତାଙ୍କର ଏହି ବିବାଦୀୟ ବିବୃତ୍ତି ପାଇଁ କଂଗ୍ରେସ ଛାଡି ବିଜେପି ହାତ ଧରିଥିବା ଆନନ୍ଦ ସିଂହ ତାଙ୍କୁ ଟାର୍ଗେଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତା ବି.କେ ହରିପ୍ରସାଦ ଆନନ୍ଦ ସିଂହଙ୍କୁ ବେଶ୍ୟାଙ୍କ ସହ ତୁଳନା କରି କହିଛନ୍ତି, "ଯେଉଁ ମହିଳା ନିଜ ପେଟ ପାଇଁ ଶରୀର ବିକ୍ରି କରିନ୍ତି, ଆମେ ସେମାନଙ୍କୁ ବେଶ୍ୟା ବୋଲି କହିଥାଉ। ହେଲେ ଯେଉଁମାନେ କଂଗ୍ରେସ ପ୍ରାର୍ଥୀ ହୋଇନିର୍ବାଚନ ଜିତିବା ପରେ ବିଜେପି ହାତ ଧରି ସେମାନଙ୍କୁ ଆପଣ କ'ଣ କହିବେ? ମୁଁ ଏହା ଆପଣଙ୍କ ଉପରେ ଛାଡ଼଼ି ଦେଉଛି। " କଂଗ୍ରେସ ଛାଡି ବିଜେପି ସରକାର ଗଠନ କରିଥିବା ବିଧାୟକଙ୍କୁ ବେଶ୍ୟାଙ୍କ ସହ ତୁଳନା କରିଛନ୍ତି ବିକେ ହରିପ୍ରସାଦ। 


ଧ୍ୱନୀ ଯାତ୍ରାରେ ଯୋଗ ଦେଇ ବିଜୟ ନଗର ଠାରେ ଆୟୋଜିତ ହୋଇଥିବା ଏକ ସଭାକୁ ସମ୍ବୋଧିତ କରିଥିଲେ ବିକେ ହରିପ୍ରସାଦ। ଏନେଇ କଂଗ୍ରେସ ନେତା କହିଛନ୍ତି, "କିଛି ବିଧାୟକ ନିଜକୁ ବିକ୍ରୟ କରି ଦେଇଥିଲେ। ଯେତେବେଳେ ଜଣେ ମହିଳା ନିଜର ଭୋକ ମେଣ୍ଟାଇବା ପାଇଁ ନିଜ ଶରୀରକୁ ବିକ୍ରି କରିଥାନ୍ତି, ସେତେବେଳେ ତାଙ୍କୁ ଭିନ୍ନ ଭିନ୍ନ ନାମରେ ଡକାଯାଏ। ସେମାନଙ୍କୁ ବେଶ୍ୟା କୁହାଯାଏ। କିଛି ବିଧାୟକ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି। ସେମାନେ ସେମାନଙ୍କର ସମ୍ମାନ ଏବଂ ଆତ୍ମ ସମ୍ମାନ ବିକ୍ରୟ କରି ଦେଇଛନ୍ତି। ଏଭଳି ଲୋକଙ୍କୁ କ'ଣ କୁହାଯିବି ତାହା ମୁଁ  ଆପଣଙ୍କ ଉପରେ ଛାଡିଦେଉଛି। ଆପଣଙ୍କ ଅଞ୍ଚଳର ବିଧାୟକ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଆଗାମୀ ନିର୍ବାଚନରେ ​​ଆପଣ ତାଙ୍କ ମନକୁ ଠିକ୍ କରିବା ଆବଶ୍ୟକ। ମୁଁ ଆପଣଙ୍କ ନିକଟରେ ଏହି ନିବେଦନ କରୁଛି।


ଏହା ସହିତ ବିକେ ହରିପ୍ରସାଦ ଆଗାମୀ ବିଧାନସଭା ନିର୍ବାଚନରେ ​​ଦଳ ବଦଳାଇଥିବା ଆନନ୍ଦ ସିଂହଙ୍କୁ ଶିକ୍ଷା ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଗତ ୨୦୧୯ ବର୍ଷରେ ଆନନ୍ଦ ସିଂହ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ। ଏହା ପରେ ତାଙ୍କୁ ବିଜେପି ସରକାରରେ ମନ୍ତ୍ରୀ କରାଯାଇଥିଲା। ଆନନ୍ଦ ସିଂହ ହେଉଛନ୍ତି ବିଜୟ ନଗର ବିଧାନସଭା ଆସନର ବିଧାୟକ।କଂଗ୍ରେସ ନେତା ବିକେ ହରିପ୍ରସାଦଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜନୀତି ହୋଇଉଠିଛି ସରଗରମ। କଂଗ୍ରେସ ନେତାଙ୍କ ବିବୃତ୍ତିକୁ ବିରୋଧ କରି କର୍ଣ୍ଣାଟକ ମନ୍ତ୍ରୀ ବିସି ପାଟିଲ କହିଛନ୍ତି ଯେ ସେ ନିର୍ବାଚନରେ ​​କଦାପି ବିଜୟ ହାସଲ କରିନାହାଁନ୍ତି। ବିକେ ହରିପ୍ରସାଦ ସର୍ବଦା ପଛ ଦ୍ୱାର ଦେଇ ରାଜନୀତିରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ଏସ.ପ୍ରକାଶ କହିଛନ୍ତି ଯେ ବିବାଦୀୟ ବୟାନ ପାଇଁ ବିକେ ହରିପ୍ରସାଦ ପ୍ରସିଦ୍ଧି ଲାଭ କରିଛନ୍ତି।


ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲା ବିକେ ହରିପ୍ରସାଦ। ଏହି କଥାକୁ ମନେ ପକାଇ ବିଜେପି ନେତା ଏସ.ପ୍ରକାଶ କହିଛନ୍ତି ଯେ ବିକେ ହରିପ୍ରସାଦଙ୍କର ନିଜ ଜିଭ ଉପରେ କୌଣସି ନିୟନ୍ତ୍ରଣ ନାହିଁ। କଂଗ୍ରେସ ଦଳର ସଂସ୍କୃତି ତାଙ୍କ ଭାଷାରେ ପ୍ରତିଫଳିତ ହେଉଛି। ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଯିବା ପାଇଁ ବିଜେପି ବିରୋଧରେ କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ। ଏଥିପାଇଁ ସେମାନେ ବିବାଦୀୟ ବୟାନ ଦେଇ ଏହାକୁ ଜବରଦସ୍ତ ପ୍ରସଙ୍ଗ କରୁଛନ୍ତି।