2024 Indian General Election in Maharashtra: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। କାରଣ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରିଥାଏ ଏହି ରାଜ୍ୟ। ସର୍ବାଧକ ଲୋକସଭା ଆସନ ରହିଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଜ୍ୟରେ ମୋଟ ୪୮ ଲୋକସଭା ଆସନ ରହିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ପ୍ରାର୍ଥୀ ଘୋଷଣା ସହ ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏଥର ରାଜ୍ୟରେ ମୋଟ ପାଞ୍ଚଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏଠାରେ ଉଭୟ ଶାସକ ଏନଡିଏ ଏବଂ ବିରୋଧି ଇଣ୍ଡିଆ ମେଣ୍ଟ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ଯଦିଓ ସ୍ଥାନୀୟ ରାଜନୀତିରେ ସକ୍ରିୟ ରହିଥିବା ବଞ୍ଚିତ ବହୁଜନ ଅଘାଡ଼ି ଏବଂ ଏଆଇଏମଆଇଏମ ନିର୍ବାଚନ ଲଢୁଛନ୍ତି।


ଲୋକସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ହେବା ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ରହିଥିବା ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳ ସେମାନଙ୍କର ବିଜୟକୁ ନେଇ ଆଶାବାଦୀ ଅଛନ୍ତି। ଗୋଟିଏ ପଟେ ବିଜେପି ୪୦ କିମ୍ବା ଏହା ଠରୁ ଅଧିକ ଆସନରେ ବିଜୟୀ ହେଉଥିବା ନେଇ ଦାବି କରୁଛି। ଅନ୍ୟପଟେ ମହାବିକାଶ ଅଘାଡ଼ି ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ବିଜୟ ବାନା ଉଡ଼ାଇବାକୁ ପ୍ରୟାସ ଜାରି ରଖିଛି। ହେଲେ ମହାରାଷ୍ଟ୍ରରେ କେଉଁ ଦଳ କେତେ ସିଟ୍ ପାଇବ ସେ ନେଇ ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ (Times Now ETG Survey) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିଛି। 


ମହାରାଷ୍ଟ୍ରରେ ବାଜି ମାରିପାରେ ବିଜେପି
ସଦ୍ୟତମ ସର୍ଭେ ଅନୁଯାୟୀ, ମହାରାଷ୍ଟ୍ରରେ ବିଜେପି ଖାତାରେ ୨୭-୩୧ ସିଟ୍ ଆସିପାରେ। ସେହି ଶିବସେନା (ଏକନାଥ ସିନ୍ଦେ) ଗୋଷ୍ଠୀକୁ ୪-୬, ଏନସିପି (ଅଜିତ ପାୱାର) ଗୋଷ୍ଠୀକୁ ୧-୩ ଆସନ ମିଳିପାରେ। ସର୍ଭେ ଅନୁଯାୟୀ ମହାବିକାଶ ଅଘାଡ଼ି ମେଣ୍ଟର  ଅଂଶୀଦାର ଦଳ କଂଗ୍ରେସ ରାଜ୍ୟରେ ୦-୧ ସିଟ୍ ପାଇପାରେ। ସେହିପରି ଶିବସେନା (ଉଦ୍ଧବ ଠାକରେ) ଗୋଷ୍ଠୀ ୭-୯ ଏବଂ ଏନସିପି (ଶରଦ ଚନ୍ଦ୍ର ପାୱାର) ଗୋଷ୍ଠୀ ୧-୩ ଆସନ ହାତେଇବା ନେଇ ଆଶା କରାଯାଉଛି।


ମହାବିକାଶ ଅଘାଡ଼ି ୨୬ ସିଟ୍ ଜିତିବା ନେଇ କରାଯାଉଥିଲା ଅନୁମାନ
ପୂର୍ବରୁ ହୋଇଥିବା ସମସ୍ତ ସର୍ଭେ ମହାବିକାଶ ଅଘାଡ଼ି ମେଣ୍ଟକୁ ଆଗରେ ଦେଖାଯାଇଥିଲା। ମୁଡ୍ ଅଫ୍ ଦି ନେସନ ସର୍ଭେ ଅନୁସାରେ ଶାସକ ଏନଡିଏ ମେଣ୍ଟ ୨୨ ଏବଂ ବିରୋଧି ମହାବିକାଶ ଅଘାଡ଼ି ମେଣ୍ଟ ୨୬ ପାଇବା ନେଇ ଆକଳନ କରାଯାଇଥିଲା। ଗତ ୨୦୧୯ ଲୋକସଭା ନିର୍ବାଚନରେ ସହଯୋଗୀ ବିଜେପି ସହ ମେଣ୍ଟ କରିଥିଲା ସେତେବେଳର ଅବିଭକ୍ତ ଶିବସନା। ଏହି ମେଣ୍ଟ ରାଜ୍ୟର ମୋଟ ୪୮ ଲୋକସଭା ଆସନ ମଧ୍ୟରୁ ୪୧ ସିଟ୍ ଦଖଲ କରିଥିଲା। ହେଲେ ବିଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ବଦଳିଯାଛି। ଶିବସେନା ସହ ଏନସିପି ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗତଥର ବିଜେପି ସହ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ଉଦ୍ଧବ ଠାକରେ ଏଥର କଂଗ୍ରେସ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ଏନସିପି (ଅଜିତ ପାୱାର) ଗୋଷ୍ଠୀ, ବିଜେପି ସହ ଶିବସେନା (ଏକନାଥ ସିନ୍ଦେ) ଗୋଷ୍ଠୀ ସହ ମେଣ୍ଟ କରି ୨୦୨୪ ଲୋକସଭା ନିର୍ବାଚନ ଲଢୁଛି।