Kerala BJP President K. Surendran: ୨୦୧୯ ପରେ ୨୦୨୪ ଲୋକସଭା ନିର୍ବାଚନରେ କେରଳ ୱାୟନାଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ରାହୁଲ ଗାନ୍ଧୀ ତାଙ୍କର ନାମାଙ୍କନ ଦାଖଲ କରିବା ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ଯୁଦ୍ଧରେ ବିଜେପି ୱାୟନାଡ଼ ଆସନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କେରଳ ଶାଖା ସଭାପତି କେ.ସୁରେନ୍ଦ୍ରନଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ବିଜେପି ଏହାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବା ବେଳେ କେ.ସୁରେନ୍ଦ୍ରନଙ୍କ ନାମ ଘୋଷଣା କରିଥିଲା। 


COMMERCIAL BREAK
SCROLL TO CONTINUE READING

ଏହା ବ୍ୟତୀତ ସିପିଆଇ ପକ୍ଷରୁ ଆନି ରାଜା ମଧ୍ୟ ୱାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। ଏଥର ୱାୟନାଡ଼ ଆସନରେ ମୁକାବିଲା ବିଜେପି-କଂଗ୍ରେସ ମଧ୍ୟରେ ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନଙ୍କ ବିଷୟରେ ଜାଣନ୍ତୁ।


ନିର୍ବାଚନ ଆୟୋଗକୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିଜେପି ନେତା କେ.ସୁରେନ୍ଦ୍ରନଙ୍କ ବିରୋଧରେ ପ୍ରାୟ ୨୪୨ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଏହି ୨୪୨ ମାମଲା ମଧ୍ୟରୁ ୨୩୭ ମାମଲା କେବଳ ସାବରୀମାଳା ବିବାଦ ସହ ଜଡି଼ତ ରହିଛି। ଅନ୍ୟ ଘଟଣାରେ ୫ ମାମଲା ପଞ୍ଜୀକୃତ ହୋଇଛି। ସାବରୀମାଳା ବିବାଦ ଘଟଣାରେ କେ.ସୁରେନ୍ଦ୍ରନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସେ ପ୍ରାୟ ଏକ ମାସ କାରାଗାରରେ ରହିଥିଲେ। ତାଙ୍କୁ ସାବରିମାଳା ସ୍ଥିତ ନୀଲକ୍କଲ ଅଞ୍ଚଳରୁ ଗିରଫ କରାଯାଇଥିଲା। ସାବରୀମାଳା ଆନ୍ଦୋଳନ ପାଇଁ ଚର୍ଚ୍ଚାକୁ ଆସିଥିଲେ କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନ।


ଗତ ୨୦୧୭ ମେ ମାସରେ ବିଜେପି ନେତା କେ.ସୁରେନ୍ଦ୍ରନ ଗୋରୁ ବିକ୍ରୟ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ବିରୋଧ କରିଥିଲେ। ବଜାରରେ କଟା ଯାଇଥିବା ଗାଈଙ୍କ ପୁରୁଣା ଫଟୋ ନିଜର ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସେୟାର କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଫଟୋକୁ ରାଜ୍ୟରେ ଚାଲିଥିବା ଗୋମାଂସ ପର୍ବ ସହିତ ଜଡ଼ିତ ବୋଲି କହିଥିଲେ। ଗତ ୨୦୧୫ ଅକ୍ଟୋବର ମାସରେ ତାଙ୍କର ଖାଦ୍ୟ ଖାଉଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯାହାର କ୍ୟାପସନ୍ ଦିଆଯାଇଥିଲା ଯେ କେରଳ ବିଜେପି ନେତା ଗୋମାଂସ ଖାଉଛନ୍ତି। ଯେତେବେଳେ ଫଟୋ ଭାଇରାଲ ହୋଇଥିଲା ସେତେବେଳେ ସୁରେନ୍ଦ୍ରନ୍ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେ ଖାଉଥିବା ହେଉଛି କେବଳ ଏକ ପିଆଜ ତରକାରୀ। ସେ ତାଙ୍କ ଜୀବନରେ କେବେ ଗୋମାଂସ ଖାଇ ନଥିଲେ ବୋଲି କହିଥିଲେ।


ଗତ ୨୦୨୧ କେରଳ ବିଧାନସଭା ନିର୍ବାଚନ ବେଳେ ବିଜେପି ବିଧାୟକ ପ୍ରାର୍ଥୀ କେ.ସୁରେନ୍ଦ୍ରନଙ୍କ ବିରୋଧରେ ପ୍ରାର୍ଥିତ୍ୱ ଛାଡିବାକୁ ବିଏସପି ପ୍ରାର୍ଥୀଙ୍କୁ ଧମକ ଦେବା ସହ ଲାଞ୍ଚ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। କୋରୋନା ସମୟରେ ଲଡ ଡାଉନ ହେବା ଦିନ, ଯେତେବେଳେ ସରକାର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ, ସେତେବେଳେ ସୁରେନ୍ଦ୍ର କୋଝିକୋଡ ସ୍ଥିତ ତାଙ୍କ ଘରୁ ରାଜଧାନୀ ତିରୁବନନ୍ତପୁରମ୍ ଯାତ୍ରା କରିଥିଲେ। ଏହାକୁ ନେଇ ଅନେକ ବିବାଦ ଲାଗି ରହିଥିଲା।


ବିଧାନସଭା ନିର୍ବାଚନରେ ​​ଦିଲ୍ଲୀ ମେଟ୍ରୋ ରେଳ ନିଗମ ମୁଖ୍ୟ ପରାମର୍ଶଦାତା ଇ.ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ସୁରେନ୍ଦ୍ରନ ଏକ ବିବୃତ୍ତି ଦେଇଥିଲେ। ପରେ ସେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। କେରଳ ବିଧାନସଭା ନିର୍ବାଚନରେ ପରେ ସେ ହାୱାଲା ମାମଲାରେ ଜଡିତ ଥିଲେ। ବିଜେପି ହାଇକମାଣ୍ଡ ମଧ୍ୟ ଏହି ଘଟଣାରେ ୩ ଜଣିଆ ତଦନ୍ତ କମିଟି ଗଠନ କରିଥିଲେ।


କେ.ସୁରେନ୍ଦ୍ରନଙ୍କ ବିଷୟରେ ସବୁଠାରୁ କୌତୁହଳ କଥା ହେଉଛି ଯେ ସେ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ୮ ଥର ନିର୍ବାଚନ ଲଢି ସବୁ ଥର ପରାସ୍ତ ହୋଇଛନ୍ତି। ସେ ୩ ଥର ଲୋକସଭା ଏବଂ ୫ ଥର ବିଧାନସଭା ନିର୍ବାଚନ ଲଢି ​​ହାରିଛନ୍ତି। ଏହା ସତ୍ତ୍ୱେ ବିଜେପି ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଚତୁର୍ଥ ଥର ପାଇଁ ୱାୟନାଡ଼ ଆସନରୁ ପ୍ରାର୍ଥୀ କରିଛି। ଉତ୍ତର କେରଳ ଅଞ୍ଚଳରେ ଜଣେ ଲୋକପ୍ରିୟ ନେତା ଭାବେ ଜଣାଶୁଣା। ଗତ ୨୦୨୦ ଠାରୁ ବିଜେପି କେରଳ ରାଜ୍ୟ ଶାଖା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି।