Lok Sabha Election 2024 Survey: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ରହିଛି। ଏବେ ଏହି ନିର୍ବାଚନ ପାଇଁ ସମସ୍ତ ଦଳ ସେମାନଙ୍କ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଥର ବିଜେପି ୪୦୦ ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ସେହିପରି ବିରୋଧି ମେଣ୍ଟ ଇଣ୍ଡିଆ ଶାସକ ଦଳର ବିଜୟ ରଥକୁ ରୋକିବାକୁ ଏକାଠି ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ​​ଉତ୍ତର-ପୂର୍ବ ଉପରେ ସବୁ ଦଳର ନଜର ରହିଛି। ଦୀର୍ଘ ଦିନ ଧରି ସଂଶୋଧିତ ନାଗରିକତା ଆଇନକୁ (ସିଏଏ) ନେଇ ଆସାମରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନ ଧରି ମଣିପୁର ଠାରେ ଜାତିଗତ ହିଂସା ଜାରି ରହିଛି। ଏହି ହିଂସାର ପ୍ରଭାବ ଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ୧୧ ଲୋକସଭା ଆସନରେ ଦେଖିବାକୁ ମିଳିଥିଲା। ସେପଟେ କଂଗ୍ରେସ ନେତା ଗୌରବ ଗୋଗୋଇ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶରୁ ଆସାମକୁ ଆସିଥିବା  ହିନ୍ଦୁଙ୍କୁ ବିଜେପି ସିଏଏ ଅଧିନରେ ନାଗରିକତ୍ୱ ଦେବାକୁ ଚାହୁଁଛି।


ସେ ଦାବି କରିଛନ୍ତି ଯେ ଏହି ପରିବର୍ତ୍ତନ ଯୋଗୁଁ ଆସାମର ଅବସ୍ଥା ମଣିପୁର ଭଳି ହୋଇପାରେ। ସ୍ଥାନୀୟ ଲୋକ ଏହି ଆଇନ ବିରୋଧରେ ସ୍ୱର ଉତ୍ତୋଳନ କରିବେ। ଉଦାହରଣ ସ୍ୱରୂପ ମଣିପୁରରେ ମୈତେଇ-କୁକି ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ସମଗ୍ର ରାଜ୍ୟର ସ୍ଥିତିକୁ ବଦଳାଇ ଦେଇଛି। କଂଗ୍ରେସ ନେତାଙ୍କ ଏହି ଦାବିଗ ମଧ୍ୟରେ ଟାଇମ୍ସ ନାଓ-ଇଟିଜି ପକ୍ଷରୁ ୨୦୨୪ ନିର୍ବାଚନକୁ (Times Now-ETG Survey 2024 Election) ନେଇ ଆସାମ (Times Now-ETG Survey 2024 Assam) ସମେତ ଉତ୍ତର ପୂର୍ବ ରାଜ୍ୟରେ (Times Now-ETG Survey 2024 North East India) ଏକ ସର୍ଭେ କରାଯାଇଛି।


କ'ଣ କହୁଛି ଟାଇମ୍ସ ନାଓ-ଇଟିଜି ସର୍ଭେ?
ଟାଇମ୍ସ ନାଓ-ଇଟିଜି ସର୍ଭେ ଅନୁସାରେ ମୋଟ ୧୪ ଆସନ ବିଶିଷ୍ଟ ଆସାମରେ ଶାସକ ବିଜେପି ନେତୃତ୍ୱାଧିନ ମେଣ୍ଟ ୧୧-୧୩ ସିଟ୍ ଜିତିପାରେ। ସେହିପରି କଂଗ୍ରେସ ୦-୧ ଆସନ ହାତେଇପାରେ। ସେହିପରି ବଦ୍ରୁଦ୍ଦିନ ଅଜମଲଙ୍କ ଏଆଇୟୁଡିଏଫ ୦-୧ ସିଟ୍ ଜିତିପାରେ। ଏହା ସହିତ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟର ୧୧ ସିଟ୍ ମଧ୍ୟରୁ ବିଜେପି ୪-୬ ସିଟ୍ ଜିତିପାରେ। ସର୍ଭେ ଅନୁଯାୟୀ ଉତ୍ତର ପୂର୍ବ ରାଜ୍ୟରେ କଂଗ୍ରେସ ୦-୨ ଏବଂ ଅନ୍ୟ ଦଳ ୪-୬ ସିଟ୍ ଜିତିପାରେ।


କେବେ ହେବ ମତଦାନ ମତଦାନ? 
ଆସାମର ମୋଟ ୧୪ ଲୋକସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ଅପ୍ରେଲ ୧୯ ତାରିଖରେ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ୫ ଆସନ ପାଇଁ ହେବ ଭୋଟ୍ ଗ୍ରହଣ। ଅପ୍ରେଲ୍ ୨୬ ତାରିଖରେ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୫ ଆସନ ପାଇଁ ହେବ ଭୋଟ୍ ଗ୍ରହଣ। ସେହିପରି ମେ ୭ ତାରିଖରେ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ବାକି ୪ ସିଟ୍ ପାଇଁ ହେବ ଭୋଟ ଗ୍ରହଣ। ଅପ୍ରେଲ ୧୯ ତାରିଖରେ ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟ ଆଦି ୩ ରାଜ୍ୟର ମୋଟ ୬ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଅପ୍ରେଲ ୧୯ ତାରିଖରେ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମ ଆଦି ୩ ରାଜ୍ୟର ସମସ୍ତ ୩ ଆସନ ପାଇଁ ଭୋଟ୍ ଗ୍ରହଣ ମଧ୍ୟ ଅନୁଷ୍ଠିତ ହେବ। ଏହା ସହିତ ତ୍ରିପୁରାର ମୋଟ ୨ ଆସନ ପାଇଁ  ଦୁଇଟି ପର୍ଯ୍ୟାୟରେ ଅର୍ଥାତ ଅପ୍ରେଲ ୧୯ ଏବଂ ୨୬ ତାରିଖରେ ମତଦାନ ହେବ।


୨୦୧୯ ଲୋକସଭା ନିର୍ବାଚନ ଫଳାଫଳ
ଆସାମର ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ଏବଂ ମିଜୋରାମରେ କ୍ଷମତାସୀନ ଶାସକ ଜୋରାମ ପିପୁଲ୍ସ ମୁଭମେଣ୍ଟ ଭଳି କିଛି ଦଳକୁ ଛାଡ଼ି ଉତ୍ତର-ପୂର୍ବର ଅଧିକାଂଶ ଆଞ୍ଚଳିକ ଦଳ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ଅଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଏନଡିଏ ଉତ୍ତର ପୂର୍ବର ୨୫ ଆସନ ମଧ୍ୟରୁ ୧୯ ସିଟ୍ ହାତେଇଥିଲା। ଯେଉଁଥିରେ ଆସାମର ୯ ଆସନ ମଧ୍ୟ ରହିଥିଲା। ଏହା ସହିତ ଉତ୍ତର ପୂର୍ବରେ କଂଗ୍ରେସ ମାତ୍ର ୪ ସିଟ୍ ପାଇଥିଲା। ସେହିପରି ଏଆଇୟୁଡିଏଫ  ଏବଂ ଜୋରାମ ପିପୁଲ୍ସ ମୁଭମେଣ୍ଟ ମଧ୍ୟ ଗୋଟିଏ ଲେଖାଏଁ ଆସନ ପାଇଥିଲେ।