Election 2024 :(ଭୁବନେଶ୍ୱର):  ନିର୍ବାଚନ ଆସନ୍ନ। କିଛିଦିନର ଅପେକ୍ଷା ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣାକୁ। ଏ ଭିତରେ ମତଦାନ କରିଥିବା ଲୋକଙ୍କୁ ସହଜରେ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯିବାକୁ ଥିବା ଅଲିଭା କାଳିର ଚାହିଦା ବଢ଼ିବାରେ ଲାଗିଛି। ଏ ବର୍ଷ ଅର୍ଥାତ୍‍ ୨୦୨୪ ଲୋକସଭା ନିର୍ବାଚନ ଲାଗି ୨୬ ଲକ୍ଷ ୬୦ ହଜାର ଅଲିଭା କାଳି ବୋତଲ ଆବଶ୍ୟକ ହେବ ବୋଲି ଆକଳନ କରିଛନ୍ତି କମିଶନ । ଏହି ଅନୁସାରେ ଭାରତର ଏକମାତ୍ର ଅଲିଭା କାଳି ନିର୍ମାତା ମହୀଶୂର ପେଣ୍ଟସ୍‍ ଓ ବାର୍ନିଶ୍‍ ଲିମିଟେଡ୍‍କୁ ଏହି ଆବଶ୍ୟକତା ପୂରଣ କରିବାକୁ ଆଦେଶ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଅଲିଭା କାଳି ଭୋଟ୍‍ଦାନ କରିଥିବା ବ୍ୟକ୍ତଙ୍କ ବାମ ହାତର ବିଶି (ତର୍ଜନି) ଆଙ୍ଗୁଠିରେ ପୃଷ୍ଠ ଭାଗର ନଖ ଉପରେ ଲଗାଯାଇଥାଏ। ଯାହା ଦୀର୍ଘଦିନ ଧରି ସେହିଭଳି ରହିଥାଏ। ଏହି କାଳିର ପ୍ରମୁଖ କଞ୍ଚାମାଲ ହେଉଛି ସିଲ୍‍ଭର ନାଇଟ୍ରେଟ୍‍। ଯାହାକୁ ନେଇ ଭାରତ ସରକାରଙ୍କ ଏହି ଉଦ୍ୟୋଗ ୧୯୬୨ ମସିହାରୁ ଅଲିଭା କାଳି ପ୍ରସ୍ତୁତ କରି ଆସୁଛି। ଖାଲି ଭାରତରେ ନୁହେଁ ଏବଂ ବିଶ୍ୱର ବିଭିନ୍ନ ଦେଶକୁ ଏହି ଉଦ୍ୟୋଗ ଅଲିଭା କାଳି ରପ୍ତାନୀ ବି କରୁଛି। ଏ ଭିତରେ ୬୦ଟି ଦେଶକୁ ଏପରି କାଳି ରପ୍ତାନୀ କରିବା ପାଇଁ ଏମ୍‍ପିଭିଏଲ୍‍କୁ ଆଗ୍ରହ ଆସିଛି। 


ପ୍ରତି ବୁଥକୁ ପ୍ରିଜାଇଡିଂ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିର୍ବାଚନ କମିଶନ ଏହି କାଳି ପ୍ରଦାନ କରିଥାଆନ୍ତି। ଏହା ୧୦ ମିଲିଗ୍ରାମ ବୋତଲରେ ଆସେ ଯାହାକୁ ୭୦୦ ଭୋଟରଙ୍କ ଆଙ୍ଗୁଠିରେ ଲଗାଯାଇଥାଏ। ଏଥର ଆବଶ୍ୟକତା ୨୦୧୯ ନିର୍ବାଚନଠୁ ଅଧିକ ରହିଛି। ବିଶେଷକରି ଯୁବା ଭୋଟରଙ୍କ ସଂଖ୍ୟା ବଢ଼ିବା ଏହାର କାରଣ ହୋଇପାରେ। ଟାଇମ୍ସ ଅଫ୍‍ ଇଣ୍ଡିଆାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏଥର ଆବଶ୍ୟକତାର ୭୦ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଦେଶର ସମସ୍ତ ଆବଶ୍ୟକତାକୁ ପୂରଣ କରାଯିବ।ଏଥିଲାଗି ୫୫ କୋଟି ଟଙ୍କା ଖର୍ଚ୍ଚ ହେବ।  ରିପୋର୍ଟ ଅନୁସାରେ, ଗୋଟିଏ କାଳି ବୋତଲର ଦେମ ୧୭୪ଟଙ୍କା ନିର୍ଦ୍ଧାରଣ କରାଯାଇଛି। ପୂର୍ବରୁ ଏହା ୧୬୦ ଟଙ୍କା ଥିଲା। ସିଲ୍ଭର ନାଇଟ୍ରେଟ୍‍ର ଦର ବଢ଼ିବାରୁ ଏହି ବୃଦ୍ଧି କରାଯାଇଛି। କମ୍ପାନୀ ଏବେ କାଚ ବୋତଲରେ ଏ କାଳି ପ୍ରଦାନ କରୁଛି। ଆଗକୁ କାଚ ବୋତଲ ପରିବର୍ତ୍ତେ ଉନ୍ନତ ମାର୍କର ପେନ୍‍ ମାଧ୍ୟମରେ ପ୍ରଦାନ କରିବାକୁ ଯୋଜନା ରଖିଛି। ଏ ବାବଦରେ କମ୍ପାନୀ ଗବେଷଣା ଜାରି ରଖିଥିବା ସୂଚନା ମିଳିଛି।