Rebel Shiv Sena MLA: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତକ ସଂକଟ ମଧ୍ୟରେ ପ୍ରାୟ ୮ ଦିନ ଧରି ଆସାମ ରାଜଧାନୀ  ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ସହ ରହୁଥିବା ବିଦ୍ରୋହୀ  ବିଧାୟକ ଗୋଷ୍ଠୀ ବୁଧବାର ଗୋଆ ଅଭିମୁଖେ ଯାତ୍ରା କରିଛି। 


COMMERCIAL BREAK
SCROLL TO CONTINUE READING

ଏକ ଚାଟାର୍ଡ଼  ବିମାନ ଯୋଗେ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଜୁନ ୨୯ ତାରିଖ ବୁଧବାର ଗୌହାଟି ସହରରୁ ଗୋଆ ଅଭିମୁଖେ ଯାତ୍ରା କରିଛି। ସେମାନଙ୍କ ଲାଗି ଗୋଆସ୍ଥିତ ତାଜ ରିସୋର୍ଟ କନଭେନସନ ଠାରେ ୭୦ ରୁମ ବୁକ କରାଯାଇଛି। ସେମାନେ ଜୁନ ୩୦ ତାରିଖ ଗୁରୁବାର ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ।  ଆସନ୍ତାକାଲି ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ ଡକାଯାଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେସନରେ ଯୋଗ ଦେବେ।  ଗୋଆରେ ଗୋଟିଏ ରାତି ଅବସ୍ଥାନ କରିବା ପରେ  ଆସନ୍ତାକାଲି ସକାଳ ୧୧ଟା ପୂର୍ବରୁ ମହାରାଷ୍ଟ୍ର ବିଧାନ ଭବନରେ ପହଞ୍ଚିବେ ବିଦ୍ରୋହୀ ବିଧାୟକ।


ଆସାମ ରାଜ୍ୟ ପରିବହନ ନିଗମର ତିନୋଟି ଶୀତତାପ ନିୟନ୍ତ୍ରିତ ବସ୍ ବିଧାୟକଙ୍କୁ ହୋଟେଲ ଠାରୁ ରାଜଧାନୀ ଗୌହାଟିସ୍ଥିତ ବିମାନ ବନ୍ଦରକୁ ନେଇଥିଲା। ଏହାପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଗୌହାଟିସ୍ଥିତ କାମାଖ୍ୟା ମନ୍ଦିର ପରିଦର୍ଶନ କରି ମହାରାଷ୍ଟ୍ର ଲୋକଙ୍କ ସୁଖ ସମୃଦ୍ଧି ପାଇଁ କାମନା କରିଥିଲେ। ସିନ୍ଦେ ଗୋଷ୍ଠୀର ସମସ୍ତ ବିଧାୟକ କାମାଖ୍ୟା ମନ୍ଦିର ପରିଦର୍ଶନରେ ଆସିଥିଲେ। ଦର୍ଶନ ପରେ ଏକନାଥ ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ରର ଲୋକଙ୍କ ସୁଖ ସମୃଦ୍ଧି ପାଇଁ ମୁଁ ମାତା କାମାଖ୍ୟାଙ୍କ ଠାରେ ଶପଥ ନେଇଛି। 


ଏହି ଅବସରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା କହିଛନ୍ତି ଯେ ଆବଶ୍ୟକୀୟ ଔପଚାରିକତା ପୂରଣ କରିବା ପାଇଁ ସେ ଗୁରୁବାର ମୁମ୍ବାଇ ଫେରିଯିବେ। ଗୁରୁବାର ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ଅଧିବେସନରେ ବିଦ୍ରୋହୀ ବିଧାୟକ ଯୋଗ ଦେବା ନେଇ ଜଣାଇଛନ୍ତି ସେ। ଗୌହାଟି ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ବିଦ୍ରୋହୀ ବିଧାୟକ ଛତ୍ରପତି ଶିବାଜୀ ମହାରାଜ ଏବଂ ଏକନାଥ ସିନ୍ଦେଙ୍କ ସମର୍ଥନରେ ନାରାବାଜି କରିଥିଲେ। 


ଦଳ ବିରୋଧରେ ବିଦ୍ରୋହ କରିବାକୁ ନେଇ ସେମାନଙ୍କୁ ବିଦ୍ରୋହୀ କୁହାଯିବା ଉପରେ ପ୍ରତିକ୍ରିୟା ରଖି  ଏକନାଥ ସିନ୍ଦେ  କହିଛନ୍ତି ଆମେ ହେଉଛୁ ଶିବସେନା। ଆମେ ଶିବସେନା ସଂସ୍ଥାପକ ତଥା ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେଙ୍କ ଏଜେଣ୍ଡା ଏବଂ ଆଦର୍ଶକୁ ଆଗକୁ ନେଉଛୁ। ଆମେ ହିନ୍ଦୁତ୍ୱ ଚିନ୍ତାଧାରା ଏବଂ ମହାରାଷ୍ଟ୍ରର ବିକାଶ ପାଇଁ କାର୍ଯ୍ୟ କରିବୁ। 


Also Read: Assam Flood: ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ବିଦ୍ରୋହୀ ଶିବସେନା ବିଧାୟକ