MCD Election Result 2022: ପ୍ରକାଶ ପାଇଛି ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ। ମୋଟ ୨୫୦ ୱାର୍ଡ ମଧ୍ୟରୁ ଆୁପ୍ ୧୩୪, ବିଜେପି ୧୦୪, କଂଗ୍ରେସ ୯ ଏବଂ ସ୍ୱାଧୀନ ଏବଂ ଅନ୍ୟ ଦଳ ୩ ଆସନ ପାଇଛନ୍ତି। ଯଦି ଭୋଟ ପ୍ରତିଶତ କଥା କୁହାଯାଏ ତାହେଲେ ବିଜେପି ୩୯.୧%, ଆପ୍ ୪୨%, କଂଗ୍ରେସ ୧୧.୬୮%, ବିଏସପି ୧.୮% ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩.୪୬% ଭୋଟ ମିଳିଛି। ସେହିପରି ୦.୭୮% ନୋଟା ଭାଗରେ ପଡ଼ିଛି। ଏହି ନିର୍ବାଚନରେ ସର୍ବାଧିକ ସ୍ୱାଧୀନ ପ୍ରାର୍ଥୀ ଅମାନତ ହରାଇଛନ୍ତି। ମୋଟ ୩୭୦ ଜଣ ସ୍ୱାଧୀନ ପ୍ରାର୍ଥୀ ଅମାନତ ହରାଇଛନ୍ତି। ସେହିପରି କଂଗ୍ରେସର ୧୮୮, ବହୁଜନ ସମାଜ ପାର୍ଟିର ୧୨୮, ଏନସିପିର ୨୫, ଏଆଇଏମଆଇଏମର ୧୩, ବିଜେପିର ୧୩ ଏବଂ ଆମ ଆଦମୀ ପାର୍ଟିର ୩ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ନଗର ନିଗମ ନିର୍ବାଚନରେ ବିଭିନ୍ନ ଦଳର ଏପରି ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କର ବିଜୟ ବ୍ୟବଧାନ ସର୍ବନିମ୍ନ ରହିଛି। ସେହିପରି ନିର୍ବାଚନ ଲଢିଥିବା ଏପରି କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏମସିଡ଼ି ନିର୍ବାଚନରେ ୨୭ ୱାର୍ଡରେ ଜିତ-ହାର ମଧ୍ୟରେ ଅନ୍ତର ୫ ଶହରୁ କମ ଭୋଟ ରହିଛି।  ଏହି ୨୭ ସିଟ୍ ମଧ୍ୟରୁ ୧୨ ଆସନରେ ଆମ ଆଦମୀ ପାର୍ଟି, ୧୩ ଆସନରେ ବିଜେପି ଏବଂ ଅନ୍ୟ ୨ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ କେତେକ ୱାର୍ଡରେ ଜିତ-ହାର ଅନ୍ତର ଶହେରୁ କମ ଭୋଟ ରହିଛି।


ୱାର୍ଡ ନମ୍ବର ୧୭୧-ଚିତ୍ତରଞ୍ଜନ ପାର୍କରେ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ହେଲେ ଏଠାରେ ଆପ ପ୍ରାର୍ଥୀ ଆଶୁ ଠାକୁର ୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ୱାର୍ଡରେ ବିଜେପି ପକ୍ଷରୁ କାଞ୍ଚନ ଭଡାନା ଚୌଧୁରୀ ଏବଂ କଂଗ୍ରେସ ପକ୍ଷରୁ ଭାବନା ଗୁପ୍ତା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ଆସନରେ ଆପ୍ ପ୍ରାର୍ଥୀଙ୍କୁ ୧୦, ୪୪୩ ଏବଂ ବିଜେପି ପ୍ରାର୍ଥୀଙ୍କୁ ୧୦,୩୯୯ ଖଣ୍ଡ ଭୋଟ ମିଳିଥିଲା। 


୨୨୦ ନମ୍ବର ୱାର୍ଡ-ନନ୍ଦ ନଗରୀରେ ଆପ୍ ପ୍ରାର୍ଥୀ ରମେଶ କୁମାର ବିଜେପି ପ୍ରାର୍ଥୀ କେଏମ ରିଙ୍କଙ୍କୁ ୫୪ ଭୋଟରେ ପରାସ୍ତ କରିଛନ୍ତି। ସେହିଭଳି ୨୨୫ ନମ୍ବର ୱାର୍ଡ-ବ୍ରିଜପୁରୀରେ କଂଗ୍ରେସ ପ୍ରାର୍ଥୀ ନାଜିଆ ଖାତୁନ ଏଆଇଏମଆଇଏମ ପ୍ରାର୍ଥୀ ସୀତାରଙ୍କୁ ୬୪ ଖମ୍ଡ ଭୋଟରେ ପରାସ୍ତ କରିଛନ୍ତି।


୬୨ ନମ୍ବର ୱାର୍ଡ-ଶକୁରପୁରରେ ବିଜେପି ପ୍ରାର୍ଥୀ କିଶନ ଲାଲ ଆପ୍ ପ୍ରାର୍ଥୀ ଅଶୋକ କୁମାରଙ୍କୁ ୧୦୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିଭଳି ୧୮୧ ନମ୍ବର ୱାର୍ଡ ମୋଲାରବନ୍ଦରରେ ଆପ୍ ହେମଚାନ୍ଦ ଗୋୟଲ ୧୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୯୪ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଉର୍ମିଲା ଗଙ୍ଗୱାଲ ୧୪୬, ୧୬୧ ନମ୍ବର ୱାର୍ଡ ଦେଓଲିରେ ବିଜେପି ପ୍ରାର୍ଥୀ ଅନୀତା ୧୬୪, ୧୦୩ ନମ୍ବର ୱାର୍ଡ କେଶପୁରରେ ବିଜେପି ପ୍ରାର୍ଥୀ ହରିଶ ଓବରାୟ ୧୭୬ ଭୋଟ ବ୍ୟବଧାନରେ ଜିତିଛନ୍ତି।


ସଙ୍ଗମ ପାର୍କରେ ବିଜେପି ପ୍ରାର୍ଥୀ ସୁଶୀଲ କୁମାର ଜଣ୍ଟି ବିଜୟୀ ହୋଇଛନ୍ତି। ତାଙ୍କ ବିପକ୍ଷରେ କଂଗ୍ରେସରୁ ମନୋଜ କୁମାର ଏବଂ ଆମ୍ ଆଦମୀ ପାର୍ଟିରୁ ରବି ଶଙ୍କର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୩୦ ଭୋଟ ବ୍ୟବଧାନରେ ସୁଶୀଲ କୁମାର ଜଣ୍ଟି ଜିତିଛନ୍ତି। ଗତଥର ଏହି ସିଟ୍ ଆପ୍ ଖାତାକୁ ଯାଇଥିଲା। ବିଜେପି ପ୍ରାର୍ଥୀ ଯଶପାଲ ସିଂହ ପାଣ୍ଡବ ନାଗରରୁ ବିଜୟୀ ହୋଇଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୪୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ୧୪୨ ନମ୍ବର ୱାର୍ଡ ଦରିୟାଗଞ୍ଜରୁ ଆପ୍ ପ୍ରାର୍ଥୀ ସାରିକା ଚୌଧରୀ ମାତ୍ର ୨୪୪ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ପୂର୍ବ ପଟେଲ ନାଗର ଏବଂ ମହିପାଲପୁର ରେ ବିଜୟ ଏବଂ ପରାଜୟ ମଧ୍ୟରେ ପାର୍ଥକ୍ୟ ୩ ଶହରୁ କମ୍ ଭୋଟ ରହିଛି। 


୧୮୫ ନମ୍ବର ୱାର୍ଡରେ ଆପ୍ ପ୍ରାର୍ଥୀ ପ୍ରବୀଣ କୁମାର, ୨୨ ନମ୍ବର ୱାର୍ଡରୁ ଆପ୍ ପ୍ରାର୍ଥୀ ସୁମନ ଅନିଲ ରାଣା, ୨୨୩ ନମ୍ବର ୱାର୍ଡରୁ ଆପ୍ ପ୍ରାର୍ଥୀ ଶିବାନୀ ପଞ୍ଚଲ, ୪୮ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ମୋନିକା ଗୋୟଲ, ୨ ନମ୍ବର ୱାର୍ଡରୁ  ଆପ୍ ପ୍ରାର୍ଥୀ ଦିନେଶ କୁମାର, ୧୬୩ ନମ୍ବର ୱାର୍ଡରୁ  ବିଜେପି ପ୍ରାର୍ଥୀ ଚନ୍ଦନ କୁମାର ଚୌଧରୀ ୪ ଶହରୁ କମ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।   


୧୯୭ ନମ୍ବର ୱାର୍ଡରୁ ରେଣୁ ଚୌଧରୀ ୪୦୩, ୧୮୩ ନମ୍ବର ୱାର୍ଡରୁ ନିଖିଲ ଛପରାନା ୪୬୫, ୨୦୫ ନମ୍ବର ୱାର୍ଡରୁ ରଚନା ୪୭୨, ୧୮୯ ନମ୍ବର ୱାର୍ଡରୁ ନାଜିଆ ଦାନିଶ ୪୭୩, ୧୨ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ୪୮୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚାନ୍ଦନୀ ମହଲ ଆସନର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ସେ ପ୍ରାୟ ୧୭ ହଜାର ୧୩୪ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ଆଲେ ମହମ୍ମଦ ଇକବାଲଙ୍କୁ ୧୯ ହଜାର ୧୯୯ ଭୋଟ୍ ମିଳିଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମହମ୍ମଦ ହମିଦଙ୍କୁ ୨୦୬୫ ଖଣ୍ଡ ଭୋଟ୍ ମିଳିଛି।