ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ସାଂସଦମାନେ ମଧ୍ୟ ତାଙ୍କ ସହ ଶପଥ ଗ୍ରହଣ କରିଥିଲେ। ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ମନ୍ତ୍ରଣାଳୟ ମଧ୍ୟ ଭାଗବଣ୍ଟା ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ତେବେ ନୂତନ ସରକାରରେ, ଗତଥର ଥିବା ମନ୍ତ୍ରୀଙ୍କ ପାଖରେ ବହୁ ବଡ ମନ୍ତ୍ରଣାଳୟ ଅଛି। ମୋଦୀ ସରକାରଙ୍କ ପୂର୍ବ ଦୁଇଟି କାର୍ଯ୍ୟକାଳ ତୁଳନାରେ ଏଥର ମନ୍ତ୍ରଣାଳୟ ସବୁଠୁ ବଡ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କ୍ୟାବିନେଟରେ ୭୧ ଜଣ ମନ୍ତ୍ରୀ ଅଛନ୍ତି।


ମୋଦୀ ସରକାରଙ୍କ ତୃତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀଭାବେ ଗତକାଲି (ସୋମବାର) ଶପଥ ନେଇଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଓଜନିଆ ବିଭାଗ ମିଳିଛି। ଆରମ୍ଭରୁ ୧୦ ବର୍ଷ ଧରି ମୋଦୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ଦିଆଯାଇଥିବା ବେଳେ ଜୁଏଲ ଓରାମଙ୍କୁ ପୁଣି ଆଦିବାସୀ ବ୍ୟାପାର ବିଭାଗ ଦିଆଯାଇଛି। ରାଜ୍ୟସଭା ସଦସ୍ୟ ଥିବା ଅଶ୍ବିନୀ ବୈଷ୍ଣବଙ୍କୁ ପୂର୍ବ ଭଳି ରେଳ ଏବଂ ଆଇଟି ଓ ‌ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦିଆଯାଇଛି। ଏଥିସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ପ୍ରଦାନ କରାଯାଇଛି।ଏହା ସହିତ ସେ ବାହୁବଳୀ ମନ୍ତ୍ରୀ ପାଲଟିଛନ୍ତି।


 ସୂଚନାଯୋଗ୍ୟ ଯେ ଏଥର ଓଡ଼ିଶାରୁ ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଓଡ଼ିଶାରେ ମଧ୍ୟ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଭଳି ସ୍ଥଳେ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସ୍ଥାନିତ କରିବା ସହିତ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ଦେଇଛନ୍ତି।