Odisha Election 2024 (ଭୁବନେଶ୍ୱର) : ଏଥର ନିର୍ବାଚନ ସବୁବେଳେ ସ୍ମରଣୀୟ ହୋଇରହିବ। କାରଣ ସବୁଠାରୁ ଅଧିକ ଟଙ୍କା, ସୁନା, ମଦ ଓ ମାଦକ ଏହି ନିର୍ବାଚନରେ ଜବତ ହୋଇଛି। ସଂଖ୍ୟା ଏତେ ଯେ ଏହା ଗତ ଦୁଇ ନିର୍ବାଚନକୁ ମିଶାଇଲେ ବି ତାହାର ୫ଗୁଣାରୁ ଅଧିକ ହୋଇଛି। ଯଦି ରାଜ୍ୟ ବ୍ୟବସ୍ଥା ଦ୍ୱାରା ଏତେ ଟଙ୍କା, ସୁନା, ମଦ ଓ ମାଦକ ଜବତ ହୋଇପାରୁଛି ତେବେ ହିସାବ କରନ୍ତୁ କେତେ ପରିମାଣରେ ନଗଦ ଅର୍ଥ, ସୁନା, ମଦ ଓ ମାଦକ ଲୋକଙ୍କୁ ବଣ୍ଟା ଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ମାର୍ଚ୍ଚ ୧ ତାରିଖରୁ ଆଜି ଯାଏ ୨୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଓ ସାମଗ୍ରୀ ଜବତ କରାଯାଇଛି। ପୂର୍ବ ବର୍ଷଗୁଡ଼ିକୁ ତୁଳନା କଲେ ଏହା ୬ ଗୁଣାରୁ ଅଧିକ ହେବ। ୨୦୧୪ ମସିହାରେ ସମୁଦାୟ ୨୦କୋଟି ୮୦ ହଜାର ଟଙ୍କା ଓ ସାମଗ୍ରୀ ଜବତ କରାଯାଇଥିଲା। ୨୦୧୯ରେ ଏହି ପରିମାଣ ଦ୍ୱିଗୁଣିତ ହୋଇ ୪୪ କୋଟି ୭୦ ହଜାରରେ ପହଞ୍ଚିଥିଲା। ଅର୍ଥାତ୍‍ ଚଳିତ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିବା ୬ ଗୁଣା ଟଙ୍କା ଓ ସାମଗ୍ରୀ ଜବତ କରାଯାଇଛି। 


ଏହି ନିର୍ବାଚନ ପାଇଁ ବ୍ୟବହାର ହେବାକୁ ଥିବା ୨୦ କୋଟି ୮୦ ଲକ୍ଷ ଟଙ୍କା ନଗଦ ଆକାରରେ ବିଭିନ୍ନ ଏଜେନ୍ସୀ ଦ୍ୱାରା ଜବତ ହୋଇଛି। ୨୦୧୪ରେ ଏହି ପରିମାଣ ୧ କୋଟି ୮୯ ଲକ୍ଷ ଥିବାବେଳେ ୨୦୧୪ରେ ୧ କୋଟି ୧୭ ଲକ୍ଷ ଥିଲା। ଜବତ ହୋଇଥିବା ମଦର ମୂଲ୍ୟ ଏବର୍ଷ ଏଯାଏ ୪୦ କୋଟି ୭୫ ଲକ୍ଷ ହୋଇଥିବାବେଳେ ୨୦୧୯ରେ ୯ କୋଟି ୪୨ ଲକ୍ଷ ଏବଂ ୨୦୧୪ରେ ଏହି ପରିମାଣ ୬ କୋଟି ୬୫ ଲକ୍ଷ ଥିଲା। 


ଗଞ୍ଜେଇ ଭଳି ମାଦକ ଦବ୍ୟ ମଧ୍ୟ ଏଥର ଯଥେଷ୍ଟ ପରିମାଣରେ ଜବତ କରାଯାଇଛି। ଏହି ପରିମାଣ ୭୮ କୋଟି ମୂଲ୍ୟକୁ ଛୁଇଁଛି। ୨୦୧୪ରେ ଏହି ପରିମାଣ ୭ କୋଟି ୨୩ ଲକ୍ଷ ଥିଲା। ୨୦୧୯ରେ ଜବତ ହୋଇଥିବା ଗଞ୍ଜେଇ ଓ ଅନ୍ୟ ମାଦକର ମୂଲ୍ୟ ୨୨ କୋଟି ରହିଥିଲା। ଏଥର ନିର୍ବାଚନ ଅଧିକାରୀ ଏବଂ ଅନ୍ୟ ଏଜେନ୍ସୀ ମାନେ ସୁନା ଜବତ କରିବାକୁ ପଛେଇ ନାହାନ୍ତି। ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସୁନା ବଣ୍ଟା ଯାଉଥିବା ଅଭିଯୋଗ ହେବାରୁ ପ୍ରଥମ ଥର ପାଇଁ ବେଆଇନ ସୁନା ଚାଲାଣକୁ ମାତ ଦିଆଯାଇଛି। ଏଥର ୧୪ କୋଟି ୭୪ ଲକ୍ଷ ଟଙ୍କାର ସୁନା ତଥା ମୂଲ୍ୟବାନ ଧାତୁ ଜବତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। 


ରାଜ୍ୟରେ ଏଥର ବି ୨୦୧୪ ଏବଂ ୨୦୧୯ ଭଳି ଏକସଙ୍ଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ।  ପୂର୍ବ ତିନି ନିର୍ବାଚନରେ ବାମପନ୍ଥୀ ହିଂସା ଯାହା ରହିଥିଲା ତାହା ଏଥର ଦେଖିବାକୁ ମିଳି ନାହିଁ। ଏହାବାଦ ମତଦାନ ହାର ସର୍ବାଧିକ ରେକର୍ଡ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।