ବିଜେପି ପରିବର୍ତ୍ତେ କଂଗ୍ରେସ ପାଇଁ ଭୋଟ ମାଗିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ
ଭାଇରାଲ ଭିଡିଓରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୁହଁରୁ ପ୍ରଥମେ କଂଗ୍ରେସ ପରେ ବିଜେପିର ନାମ ଶୁଣିବାକୁ ମିଳୁଛି । ତେବେ କଂଗ୍ରେସ ପକ୍ଷରୁ ପ୍ରଚାର ସମୟର ଭିଡିଓ ଟ୍ୱିଟ କରାଯାଇ ସିନ୍ଧିଆଙ୍କୁ ଟ୍ରୋଲ କରାଯାଇଛି।
ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନ (MP Bypolls) ପାଇଁ ଜୋରଦାର ପ୍ରଚାର ଲାଗିଛନ୍ତି ଉଭୟ କଂଗ୍ରେସ (Congress) ଓ ବିଜେପି (BJP) ର ନେତାଗଣ । ଏହି ସମୟରେ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭୁଲବଶତଃ ବିଜେପି ପରିବର୍ତ୍ତେ କଂଗ୍ରେସ ପାଇଁ ଭୋଟ ମାଗୁଥିବାର ଦେଖାଯାଉଛି । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଯାଇଥିବା ସିନ୍ଧିଆ ହାତ ଚିହ୍ନିତ ବଟନ୍ ଦବାଇ କଂଗ୍ରେସକୁ ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତେବେ ସଙ୍ଗେ ସଙ୍ଗେ ସେ ନିଜ ଭୁଲକୁ ସୁଧାରି ପୁନର୍ବାର ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଥିଲେ । ସିନ୍ଧିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (Viral Video) ହେବାରେ ଲାଗିଛି । ଅନ୍ୟପକ୍ଷେ ଜୀ ଓଡ଼ିଶା ଏହି ଭାଇରାଲ୍ ଭିଡିଓର ପୃଷ୍ଟି କରୁ ନାହିଁ । କିନ୍ତୁ ଏହି ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।
ଭାଇରାଲ ଭିଡିଓରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୁହଁରୁ ପ୍ରଥମେ କଂଗ୍ରେସ ପରେ ବିଜେପିର ନାମ ଶୁଣିବାକୁ ମିଳୁଛି । ତେବେ କଂଗ୍ରେସ ପକ୍ଷରୁ ପ୍ରଚାର ସମୟର ଭିଡିଓ ଟ୍ୱିଟ କରାଯାଇ ସିନ୍ଧିଆଙ୍କୁ ଟ୍ରୋଲ କରାଯାଇଛି । ଟ୍ୱିଟ୍ କରାଯାଇଥିବା ଭିଡିଓର ଲେଖାଯାଇଛି ଯେ, ସିନ୍ଧିଆଜୀ ୩ ତାରିଖରେ ମଧ୍ୟପ୍ରଦେଶର ଜନତା ହାତ ଚିହ୍ନରେ ହିଁ ଭୋଟ ଦେବେ । ସିନ୍ଧିଆଙ୍କ ଏହି ବିୟାନର ଭିଡିଓ ମଧ୍ୟ ଟ୍ୱିଟରରେ ସେୟାର କରାଯାଉଛି । ଲୋକମାନେ ଏହି ଭିଡିଓ ବିଷୟରେ ବିଭିନ୍ନ ମନ୍ତବ୍ୟ ଦେଉଥିବାର ଦେଖାଯାଉଛି ।
ଅଧିକ ପଢ଼ନ୍ତୁ:-ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି କି ମୋଦି ସରକାର? ଜାଣନ୍ତୁ ସଂପୂର୍ଣ୍ଣ ମାମଲା
ଅଧିକ ପଢ଼ନ୍ତୁ:-ଘର ଭିତରେ ଶୀଘ୍ର ବ୍ୟାପିଥାଏ କୋରୋନା ଭୂତାଣୁ, ଚିନ୍ତା ବଢ଼ାଇଲା ଏହି ନୂଆ ରିପୋର୍ଟ
ଆପଣଙ୍କୁ କହିରଖୁଛୁ ଯେ, ୧୫ ବର୍ଷ ପରେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଦଳ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରାୟ ୧୫ ମାସର କମଲନାଥ ସରକାର ସମୟରେ ବିଦ୍ରୋହୀ ମନୋଭାବ ଗ୍ରହଣ କରିଥିଲେ । ଆଉ ସେ ନିଜର ୨୬ ସମର୍ଥକ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ମାର୍ଚ୍ଚରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବିଧାୟକମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଜେପି ପୁନର୍ବାର କ୍ଷମତାକୁ ଆସିଥିଲା । ବିଧାୟକଙ୍କ ଇସ୍ତଫା ପରେ ଖାଲି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ନଭେମ୍ବର ୩ରେ ଭୋଟ ଗ୍ରହଣ ହେବାର ଅଛି । ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ ।