Jammu Kashmir Politics: ଦଳରେ ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିଛନ୍ତି। ତାଙ୍କ ପରେ ଜାମ୍ମୁ-କାଶ୍ମୀରର ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ପାର୍ଟି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହ (Karan Singh) ଶୁକ୍ରବାର ଦିନ କହିଛନ୍ତି ଯେ, ଭାରତର ସବୁଠୁ ପୁରାତନ ଦଳ ସହ ତାଙ୍କର ସମ୍ପର୍କ ପ୍ରାୟ ଶେଷ (Eded) ହୋଇଯାଇଛି। ତାଙ୍କର ଏହି ବୟାନରୁ କଂଗ୍ରେସ (Congress) ଛାଡିବାର ଅଟକଳ ଆରମ୍ଭ ହୋଇଯାଇଛି। କର୍ଣ୍ଣ ସିଂହ କହିଛନ୍ତି, "ମୁଁ ୧୯୬୭ରେ କଂଗ୍ରେସରେ ଯୋଗ ଦେଇଥିଲି, କିନ୍ତୁ ମୁଁ ବିଗତ ୮-୧୦ ବର୍ଷ ଧରି ସଂସଦରେ ନାହିଁ। ଦଳର କାର୍ଯ୍ୟକାରିଣୀ କମିଟିରୁ ମୋତେ ବାହାର କରିଦିଆଯାଇଥିଲା। ହଁ, ମୁଁ କଂଗ୍ରେସରେ ଅଛି କିନ୍ତୁ ମୋର କାହା ସହ କିଛି ସମ୍ପର୍କ ନାହିଁ। କେହି ମତେ କିଛି ପଚାରନ୍ତି ନାହିଁ। ମୁଁ ମୋର ନିଜର କାମ କରୁଛି। ଦଳ ସହ ମୋର ସମ୍ପର୍କ ବର୍ତ୍ତମାନ ପ୍ରାୟ ଶେଷ ହୋଇଯାଇଛି।"


COMMERCIAL BREAK
SCROLL TO CONTINUE READING

ଜାମ୍ମୁ-କାଶ୍ମୀରର ରାଜଗାଦିର ଶେଷ ମହାରାଜା ହରି ସିଂହଙ୍କ ପୁଅ କର୍ଣ୍ଣ ସିଂହ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି ଏବଂ ବର୍ତ୍ତମାନ ସେ କଂଗ୍ରେସ ଛାଡିବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ୨୩ ସେପ୍ଟେମ୍ବରରେ ମହାରାଜା ହରି ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ଜାମ୍ମୁ-କାଶ୍ମୀରରେ ଏକ ସାଧାରଣ ଛୁଟି ଘୋଷଣା କରାଯାଇଛି। ସରକାର କହିଛନ୍ତି ଯେ, ବର୍ତ୍ତମାନ ପ୍ରତିବର୍ଷ ଏହି ଦିନ ଛୁଟିଦିନ ରହିବ ଏବଂ ଖୁବ ଶୀଘ୍ର ଏ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯିବ।


ଗତ ମାସରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଥିଲେ। ସେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ତତ୍କାଳୀନ ଜାମ୍ମୁ-କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ସେ ଦଳର ନେତୃତ୍ୱ ବିଶେଷ କରି ରାହୁଲ ଗାନ୍ଧୀଙ୍କୁ ନେଇ ଗତ ନଅ ବର୍ଷ ଧରି ସେ ଯେଉଁଭଳି ଭାବରେ ଚଳାଇଛନ୍ତି ସେନେଇ ଟାର୍ଗେଟ କରିଥିଲେ। ପାଞ୍ଚ ପୃଷ୍ଠା ସମ୍ବଳିତ ଚିଠିରେ ଆଜାଦ ଦାବି କରିଥିଲେ ଯେ, କଂଗ୍ରେସ ବର୍ତ୍ତମାନ ଏକ ସମିତି ଦ୍ୱାରା ପରିଚାଳିତ ହେଉଥିବା ବେଳେ ସୋନିଆ ଗାନ୍ଧୀ କେବଳ ଜଣେ ନାମମାତ୍ର ପ୍ରମୁଖ। ସମସ୍ତ ବଡ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଦ୍ବାରା ନୁହେଁ ବରଂ ତାଙ୍କ ସୁରକ୍ଷା କର୍ମୀ ଏବଂ PAଙ୍କ ଦ୍ବାରା ନିଆଯାଉଛି।


ଆଜାଦ କହିଥିଲେ ଯେ, ଦଳ ଛାଡି ସେ ଅତ୍ୟନ୍ତ ଦୁଃଖିତ। ଏକ ଦୁଃଖଦ ହୃଦୟରେ ସେ ଇସ୍ତଫା ପତ୍ର ଦେଉଛନ୍ତି ଏବଂ କଂଗ୍ରେସ ସହିତ ତାଙ୍କର ୫୦ ବର୍ଷର ସଙ୍ଗଠନିକ ସମ୍ପର୍କକୁ ତ୍ୟାଗ କରିଛନ୍ତି। ସେ ଏହାପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ। କଂଗ୍ରେସ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ଆଜାଦ କହିଥିଲେ ଯେ, ଦଳର ଅବସ୍ଥା ବିଗିଡି ଯାଉଛି। ଆଜାଦଙ୍କ ସବୁଠୁ ବଡ ଅସନ୍ତୋଷ ରାହୁଲ ଗାନ୍ଧୀଙ୍କ ଉପରେ ଥିଲା ଏବଂ ସେ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜଣେ ଦାୟିତ୍ବହୀନ ବ୍ୟକ୍ତି ତଥା ଅପରିପକ୍ୱ ନେତା ବୋଲି କହିଥିଲେ। କଂଗ୍ରେସ ଛାଡିବା ପରେ ଜାମ୍ମୁରେ ତାଙ୍କର ପ୍ରଥମ ସାଧାରଣ ସଭାରେ ଆଜାଦ ନିଜର ରାଜନୈତିକ ସଂଗଠନ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଯାହା ପୂର୍ଣ୍ଣ ରାଜ୍ୟର ପୁନରୁଦ୍ଧାର ଉପରେ ଧ୍ୟାନ ଦେବ।