Pramila Mallick Nominated as BJD Speaker Candidate: ଭୁବନେଶ୍ୱର: ବରିଷ୍ଠ ମହିଳା ବିଧାୟକ ପ୍ରମିଳା ମଲ୍ଲିକ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି। ଶାସକ ବିଜୁ ଜନତା ଦଳ ପକ୍ଷରୁ ତାଙ୍କର ପ୍ରାର୍ଥୀତ୍ୱ ସମ୍ପର୍କରେ ଘୋଷଣା କରାଯାଇଛି। ଯେହେତୁ ଶାସକ ଦଳ ପାଖରେ ପୂର୍ଣ୍ଣ ବହୁମତ ରହିଛି ଏବଂ ଏ ପର୍ଯ୍ୟନ୍ତ ସେ ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି, ତେଣୁ ସେ ବିନା ନିର୍ବାଚନରେ ବାଚସ୍ପତି ଭାବେ ଶପଥ ନେବା ପ୍ରାୟ ନିଶ୍ଚିତ। 


COMMERCIAL BREAK
SCROLL TO CONTINUE READING

ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ (Binjharpur MLA Pramila Mallick) ଆାସନ୍ତାକାଲି ବାଚସ୍ପତି ପଦ (Odisha Assembly Speaker Post) ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଯଦି ଏହି ସାମ୍ବିଧାନିକ ପଦ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତାହେଲେ ସେପ୍ଟେମ୍ବର ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।


ବାଚସ୍ପତି ପଦ ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ଗଣମାଧ୍ୟମକୁ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ବିଜେଡ଼ି ବିଧାୟିକା ପ୍ରମିଳା (BJD MLA Pramila Mallick) କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ବିଶ୍ୱାସ କରିଥିବାରୁ ଏବଂ ମୋତେ ଶୀର୍ଷ ପଦ ପାଇଁ ମନୋନୀତ କରିଥିବାରୁ ମୁଁ କୃତଜ୍ଞ। ବିରୋଧି ଦଳଙ୍କ ସହ ଆଲୋଚନା କରି ବିଧାନସଭା ଯେପରି ନିରପେକ୍ଷ ଭାବରେ କାର୍ଯ୍ୟ କରିବ ସେଥିଲାଗି ମୁଁ ଯତ୍ନବାନ ହେବି। "


ଯାଜପୁର ଜିଲ୍ଲାର (Jajpur District) ବିଞ୍ଝାରପୁର ନିର୍ବାଚନମଣ୍ଡଳୀରୁ (Binjharpur Assembly Constituency) ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ମଲ୍ଲିକ ଏବେ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ୧୯୯୦ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ ବିଧାନସଭାକୁ (Odisha Legislative Assembly) ନିର୍ବାଚିତ ହୋଇଥିଲେ। ପରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୪ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।


ଗତ ମେ ମାସରେ ବିଜେଡି଼ ବିଧାୟକ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଛି। ଉପବାଚସ୍ପତି ଥିବା ରଜନୀକାନ୍ତ ସିଂହ ଏବେ ବାଚସ୍ପତିଙ୍କ କାର୍ଯ୍ୟ ତୁଲାଉଛନ୍ତି। ତାଙ୍କୁ ଦଳ ବାଚସ୍ପତି କରିବ ବୋଲି ଆଶା କରାଯାଇଥିଲା। ତାଙ୍କ ବ୍ୟତୀତ ଆହୁରି ଅନେକ ବରିଷ୍ଠ ନେତାଙ୍କ ନାଁ ବାଚସ୍ପତି ଦୌଡରେ ଶୁଣାଯାଉଥିଲା। ହେଲେ ହଠାତ ସବୁ ଅଙ୍କ ଓଲଟ ପାଲଟ କରି ବିଜେଡି ଦଳୀୟ ବିଧାୟିକା ପ୍ରମିଳା ମଲିକଙ୍କ ନାଁ ଘୋଷଣା କରିଛି। ଏହା ମହିଳାଙ୍କୁ ଦଳ ପ୍ରତି ଆହୁରି ଆକର୍ଷିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।  


ଗୋଟିଏ ପଟେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ଆରକ୍ଷଣ ବିଲ୍‍ ପାରିତ ହୋଇଥିବା ବେଳେ ବିଧାନସଭାର ବାଚସ୍ପତି ଭାବେ ଜଣେ ମହିଳାଙ୍କୁ ମନୋନୀତ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (BJD Supremo Naveen Patnaik) ନିଜର ମହିଳା କାର୍ଡ (BJD Women Card) ଖେଳିଛନ୍ତି ବୋଲି ରାଜନୀତିକ ପଣ୍ଡିତ କହୁଛନ୍ତି।