2024 Election in Odisha: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୨) ଉଭୟ ବିଜେପି-କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା। ଯଦିଓ ବିଜେପି ପୂର୍ବରୁ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେଡ଼ି ସର୍ବପ୍ରଥମେ ଉଭୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ୭୨ ବିଧାନସଭା ଏବଂ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାକି ୬ ଲୋକସଭା ଏବଂ ୭୫ ଲୋକସଭା ଆସନ ପାଇଁ ବିଜେଡ଼ି ଦଳୀୟ ପ୍ରାର୍ଥୀ ଘୋଷଣା ହେବା ବାକି ରହିଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ବିଜେପି ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୧୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଯଦିଓ ପୂର୍ବରୁ ଦଳ ପକ୍ଷରୁ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇସାରିଥିଲା। ବାକି ୩୫ ବିଧାନସଭା ଆସନ ଲାଗି ଯଥାଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେପି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି କେବେ ପ୍ରାର୍ଥୀ ଘୋଷଣା କରିବ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଯାଇଛି ପୂର୍ଣ୍ଣଚ୍ଛେଦ।


ଅନ୍ୟପକ୍ଷରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଦଳ ୧୪୭ ସିଟ୍ ମଧ୍ୟରୁ ୪୯ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କରାଯାଇଥିବା ୪୯ ଆସନ ମଧ୍ୟରୁ ଦଳ ୨ ଆସନ ବିରୋଧି ଇଣ୍ଡିଆ ମେଣ୍ଟର ସହଯୋଗୀ ଜେଏମ୍‍ଏମ୍‍-ସିପିଏମ୍‍ ଲାଗି ଛାଡ଼ିଛି। କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ମେଣ୍ଚ ପକ୍ଷରୁ ଜେଏମ୍‍ଏମ୍‍ ବୀରମିତ୍ରପୁର ଏବଂ ସିପିଏମ ବଣାଇ ଆସନରେ ପ୍ରାର୍ଥୀ ଦେବ। ଦଳ ଗତ ୨୦୨୯ ନିର୍ବାଚନରେ ବିଜୟୀ ହୋଇଥିବା ରାଜଗାଙ୍ଗପୁର (ଏସଟି) ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସାନେଖମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୋହନା (ଏସଟି) ବିଧାୟକ ଦାଶରଥି ଗମାଙ୍ଗୋ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୁନର୍ବାର ଟିକେଟ ଦେଇଛି। ସେହିପରି ବଲାଙ୍ଗୀର ଆସନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏବଂ ଦଳର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଆସନରୁ ପ୍ରାର୍ଥୀ କରିଛି।


ଯଦି ବିଜେପି କଥା କୁହାଯାଏ ତାହେଲେ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ଦଳ ୨୨ ବିଧାୟକଙ୍କ ଭିତରୁ ୧୭ ଜଣଙ୍କୁ ପୁଣି ଥରେ ଟିକଟ ଦେଇଛି। ଅର୍ଥାତ୍‍ ସେମାନେ ପୁଣି ଥରେ ବିଜୟ ଲାଭ କରିବେ ବୋଲି ଦଳ ଆଶା ପ୍ରକାଶ କରିଛି। ଅନ୍ୟ ୫ ଜଣଙ୍କ ଭିତରୁ ୨ ଜଣଙ୍କ ଟିକଟ କଟିଛି। ଜଣେ ହେଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଅନ୍ୟ ଜଣକ ହେଉଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ। ବ୍ରହ୍ମଗିରି ଆସନରେ ଲଳିତେନ୍ଦୁଙ୍କ ଝିଆରି ତଥା ପୂର୍ବତନ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧରଙ୍କ ଝିଅ ଉପାସନା ମହାପାତ୍ର ଏବଂ ମାଲକାନଗିରି ଆସନରୁ ନରସିଂହ ମାଡ଼କାମୀ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। 


ଅପରପକ୍ଷେ ନୀଳଗିରି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ଏହି ଆସନର ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ରାତିଅଧିଆ ଦଳ ପରିବର୍ତ୍ତନ କାରଣରୁ ସେହି ଆସନରେ କୌଣସି ନିଷ୍ପତ୍ତି ନେଇ ନାହିଁ ଦଳ। ଅପରପକ୍ଷେ ଏହି ଆସନରୁ ପ୍ରାର୍ଥୀ କରିବାକୁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି। ରାଇରଙ୍ଗପୁର ଆସନର ବିଧାୟକ ନବଚରଣ ମାଝୀଙ୍କୁ ଦଳ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଦଳୀୟ ବିଧାୟକଙ୍କୁ ସାଂସଦ ପ୍ରାର୍ଥୀ କରିଥିବାରୁ ସେହି ଆସନ ଲାଗି ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।


ସେହିପରି ମୟୂରଭଞ୍ଜ ଲୋକସଭା ଆସନ ଅଧିନସ୍ଥ ସାରସକଣା ବିଧାୟକ ଡାକ୍ତର ବୁଧାନ ପ୍ରଧାନଙ୍କୁ ଏଥର ଭରସା କରିପାରିନି ଦଳ। ଅବଶ୍ୟ ଏହି ଆସନ ଲାଗି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି। ତାଙ୍କ ସ୍ଥାନରେ ନୂଆ ନେତାଙ୍କୁ ଦଳ ଖୋଜୁଥିବା ଚର୍ଚ୍ଚା ହେଉଛି। ଏବେ ଦଳ ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଖୋଜୁଛି ଦଳ। ପୂର୍ବରୁ ବିଜେଡି ଛାଡ଼ିଥିବା ଅନେକ ନେତାଙ୍କୁ ଦଳ ବିଧାୟକ ପ୍ରାର୍ଥୀ  କରିଛି। ଅର୍ଥାତ୍‍ ଦଳ ବଦଳକାରୀଙ୍କୁ ଅଧିକ ସୁଯୋଗ ଦେଇଛି ଦଳ। ଅପରକ୍ଷେ ସାଂସଦ ଥିବା ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କୁ ବ୍ରଜରାଜନଗର ଆସନରୁ ବିଧାୟକ ପ୍ରାର୍ଥୀ କରିଛି ଦଳ।