Who is the BJD Leader in Kendrapara: ଭୁବନେଶ୍ୱର: ଏକଦା ପ୍ରବାଦ ପୁରୁଷ ତଥା ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା କୁହାଯାଉଥିବା ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଗଡ଼ ବୋଲି କେନ୍ଦ୍ରାପଡ଼ା ଓଡ଼ିଶା ରାଜନୀତିରେ ପରିଚିତ ଥିଲା। ସେ ଏହି ଜିଲ୍ଲାର ଅଧିବାସୀ ନହେଲେ ବି ଏଠାରୁ ତାଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିଲା। ତାଙ୍କ ନାଁରେ ଠିଆ ହେଉଥିବା ପ୍ରତିଟି ବ୍ୟକ୍ତି ନିର୍ବାଚନ ଜିତିବାର ଦମ୍ଭ ରଖୁଥିଲା। ଆଜି ଯାଏ ତାଙ୍କରି ନାଁରେ ଗଢ଼ା ହୋଇଥିବା ବିଜୁ ଜନତା ଦଳ ଏହି ପ୍ରତିଚ୍ଛବିକୁ ରକ୍ଷା କରିଆସିଛି। ଯେତେ ପ୍ରାର୍ଥୀ ବଦଳାଇଲେ ବି ଜନତା ଏ ଦଳକୁ ସମର୍ଥନ କରିଛନ୍ତି। କିନ୍ତୁ ୨୦୨୪ ସେହି ସମ୍ଭାବନାରେ ଅନେକ ଆଶଙ୍କା ଭର୍ତ୍ତି କରିଛି। ଏଭଳି ପରିସ୍ଥିତିକୁ କିପରି ସୁଧାରିବେ ପ୍ରତାପ ଜେନା? ଉଚିତ ରାଜନୀତିକ ଅଙ୍କ କଷି କେଉଁ ନେତାଙ୍କୁ ପ୍ରାର୍ଥୀ ହେବାକୁ ଯୋଗ୍ୟବୋଲି ପରାମର୍ଶ ଦେବେ, ତାହାକୁ ନେଇ ଉଠୁଥିବା ପ୍ରଶ୍ନ ରାଜନୀତିକୁ ସରଗରମ କରିଛି। 


COMMERCIAL BREAK
SCROLL TO CONTINUE READING

ସାଧାରଣତଃ ବିଜେଡି ଯେତେବେଳେ ପର୍ଯ୍ୟବେକ୍ଷକ ଭାବେ କାହାକୁ ପୂର୍ବରୁ ଚୟନ କରିଛି ସେତେବେଳେ ସେହି ନିର୍ବାଚନମଣ୍ଡଳୀ ଅନ୍ତର୍ଭୂକ୍ତ ନେତାଙ୍କୁ କେବେ ବଛାଯାଇ ନାହିଁ। ସଦ୍ୟ ଉଦାହରଣ ଭାବେ ସଞ୍ଜୟ ଦାସବର୍ମାଙ୍କ ନିଯୁକ୍ତିକୁ ନିଆଯାଇପାରେ। ସେ ପୁରୀ ଜିଲ୍ଲାର ପୁରୁଖା ଟାଣୁଆ ନେତାଙ୍କ ଭିତରୁ ଜଣେ ହୋଇଥିଲେ ମଧ୍ୟ ତାଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ନିଆଯାଇଛି। ଏଣୁ କଟକ ବାସିନ୍ଦା ତଥା କେନ୍ଦ୍ରାପଡ଼ା ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ମାହାଙ୍ଗା ବିଧାୟକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସମୀକ୍ଷକ ଦାୟିତ୍ୱ ମିଳିବା ଅନେକ ସମୀକରଣକୁ ସାମ୍ନାକୁ ଆଣୁଛି। 


ପ୍ରଥମତଃ ଏହା ସ୍ପଷ୍ଟ କରୁଛି ଯେ ‘କେନ୍ଦ୍ରାପଡ଼ା’ ବିଜେଡି ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏଣୁ ଆଉ ଏ ରାଜନୀତି ସହ ଜଡ଼ିତ ଜଣେ ପରିପକ୍ୱ ରାଜନେତାଙ୍କୁ ବିଜେଡି ଗଡ଼ ସଜାଡ଼ିବାକୁ ନିୟୋଜିତ କରିଛି। ଅର୍ଥାତ ଅପରାଧ ଓ ଦୁର୍ନୀତିର ଛାଇକୁ ଘୃଣା କରୁଥିବା ପ୍ରତିଚ୍ଛବି ସୃଷ୍ଟି କରିଥିବା ନବୀନ ଏ କ୍ଷେତ୍ରରେ ତାଙ୍କ ପ୍ରତିଚ୍ଛବି ସହ ବି ସାଲିସ କରିଛନ୍ତି। ଏଣୁ ଦଳୀୟ ସ୍ଥିତିକୁ ଅନୁଧ୍ୟାନ କରି ଉଚିତ ପ୍ରାର୍ଥୀଙ୍କ ବାବଦରେ ପ୍ରତାପ ପରାମର୍ଶ ଦେବେ ବୋଲି ଦଳ ଆଶା କରିଛି।  


ହେଲେ ପ୍ରଶ୍ନ ବିଗତ ଦିନମାନଙ୍କରେ ବାହାରୁ ନେତା ଆମଦାନୀ ହେଉଥିବା କେନ୍ଦ୍ରାପଡ଼ାରେ ଏବେ କେଉଁ ନେତା ସୃଷ୍ଟି ହୋଇଛନ୍ତି ଯେ ସେ ନେତା ଚୟନ କରିବେ?  ଅର୍ଥାତ୍‍ ୨୦୨୪ ନିର୍ବାଚନ ପଇଁ କେନ୍ଦ୍ରାପଡ଼ା ଲାଗି ନେତା ‘ଆମଦାନୀ’ କରିବ ବିଜେଡ଼ି। ପ୍ରଥମେ କେନ୍ଦ୍ରାପଡ଼ା ଲୋକସଭା ଆସନ କଥା। ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ  ନିର୍ବାଚନ ଜିତିଥିଲେ ମଧ୍ୟ ସମ୍ପୃକ୍ତ ସାଂସଦଙ୍କ ଉପରେ ବିଜେଡି କେବେ ଭରସା କରିପାରି ନାହିଁ। ୧୯୯୯ ଲୋକସଭା ନିର୍ବାଚନରୁ ଆଜି ପର୍ଯ୍ୟନ୍ତ ୫ ଥର ସାଂସଦ ଚୟନ ପାଇଁ ନିର୍ବାଚନ ହୋଇଛି। ହେଲେ ଏଥିରେ ମାତ୍ର ଥରେ ହିଁ ସାଂସଦଙ୍କୁ ପୁଣିଥରେ ଲଢ଼ିବାକୁ ସୁଯୋଗ ଦେଇଥିଲା ବିଜେଡି। ଆଉ ଦ୍ୱିତୀୟଥର ବିଜୟୀ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସେହି ସମୟରେ ଏମିତି ରାଜନୀତିକ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା ଯେ ସେ ଦଳ ଛାଡ଼ି ବିଜେପିକୁ ଆପଣାଇଥିଲେ। 


ଦ୍ୱିତୀୟରେ କେନ୍ଦ୍ରାପଡ଼ା ସାଂସଦ ପାଇଁ ୧୯୯୮ ଏବଂ ୧୯୯୯ ମସିହାରେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିଥିବା ଶ୍ରମିକ ନେତା ପ୍ରଭାତ କୁମାର ସାମନ୍ତରାୟ ହିଁ ସେହି ମାଟିରେ ଜନ୍ମ ହୋଇଥିବା ନେତା। ତାଙ୍କ ଜନ୍ମ ପାଟକୁରାରେ ହୋଇଥିଲା। ଅନ୍ୟ ସମସ୍ତ ନେତା ଖୋର୍ଦ୍ଧା, ଭୁବନେଶ୍ୱର, କଟକରୁ ଆମଦାନୀ ହୋଇ କେନ୍ଦ୍ରାପଡ଼ାବାସୀଙ୍କ ପ୍ରତିନିଧି ସାଜିଛନ୍ତି। ଏବେ ସାଂସଦ ଥିବା ଅଭିନେତା ଅନୁଭବ ପଟ୍ଟନାୟକ ହେଉଛନ୍ତି କଟକ ବାସିନ୍ଦା।
 
୧୯୭୭, ୧୯୮୦ ଏବଂ ୧୯୮୪ ମସିହାରେ ବିଜୁ ପଟ୍ଟନାୟକ ଏଠାରୁ ଜନତା ପାର୍ଟିର ପ୍ରାର୍ଥୀ ହୋଇ ପ୍ରଥମେ କଂଗ୍ରେସର ଦୁର୍ଗ ଭାଙ୍ଗିଥିଲେ। ତାଙ୍କ ପରଠାରୁ ଏଠାରେ କେବେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଜିତି ନାହିଁ। ଏଣୁ ଏ ଗଡ଼କୁ ସୁରକ୍ଷିତ ରଖିବା ଲାଗି ବିଜୁ ଜନତା ଦଳ ନିଶ୍ଚିତ ଭାବେ ପ୍ରାର୍ଥୀ ବଦଳାଇବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏଥର କ’ଣ ଜଣେ କେନ୍ଦ୍ରାପଡ଼ା ମାଟିର ପୁଅକୁ ବିଜେଡି ପ୍ରାର୍ଥୀ କରିବ କି? ଏନେଇ ପ୍ରତାପ ଗୁରୁଦାୟିତ୍ୱ ନିର୍ବାହ କରିବେ। 


ଖାଲି କେନ୍ଦ୍ରାପଡ଼ା ସଂସଦୀୟ ନିର୍ବାଚନ ମଣ୍ଡଳୀ ନୁହେଁ, ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ବିଜେଡିର ପ୍ରାର୍ଥୀ ସଙ୍କଟ ରହିଛି। ଅର୍ଥାତ୍‍ ମଣ୍ଡଳୀର ପ୍ରତି କୋଣରେ ବିଜେଡି ପତାକା ଥିଲେ ମଧ୍ୟ ନିଜ ଭିତରୁ ନେତାଟିଏ ଖୋଜିବା ସମସ୍ତଙ୍କ ପାଇଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରୁଛି। ସେଥିଲାଗି ୨୦୧୯ରେ ଖୋର୍ଦ୍ଧା ଜିଲ୍ଲାରୁ ଶଶିଭୂଷଣ ବେହେରାଙ୍କୁ ନେଇ ବିଜେଡି ଲୋକଙ୍କ ଆସ୍ଥା ଜିତିଥିଲା। ଏହା ଏକ ସଂରକ୍ଷିତ ଆସନ। ତଥାପି ବିଜେଡି ଏହାର ଇତିହାସରେ ଜଣେ ପ୍ରାର୍ଥୀଙ୍କୁ ଦୁଇ ଥର ସୁଯୋଗ ଦେଇନାହିଁ। ୨୦୦୯ ନିର୍ବାଚନରେ ସିପ୍ରା ମଲ୍ଲିକ ନିର୍ବାଚିତ ହୋଇଥିଲେ ବି ତାଙ୍କୁ ଆଉ ୨୦୧୪ ନିର୍ବାଚନରେ ଟିକଟ ଦିଆଗଲା ନାହିଁ। ୨୦୧୪ ଲଢେଇରେ କିଶୋରଚନ୍ଦ୍ର ତରାଇ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନରେ ଶଶିଭୂଷଣଙ୍କୁ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବୋଲି ଘୋଷଣା କରାଯାଇଥିଲା। ଆଜି କେନ୍ଦ୍ରାପଡ଼ାରେ କିଏ ବିଜେଡ଼ି ନେତା ତାହା ବିଧାୟକଙ୍କୁ ବି ଅଜଣା ପ୍ରାୟ! ଅର୍ଥାତ୍‍ ସେତେବଳେ ଯେଉଁ ଦ୍ୱନ୍ଦ୍ୱ ଥିଲା ଆଜିବି ସେହି ଦ୍ୱନ୍ଦ୍ୱ ରହିଛି। ତାହାକୁ କିପରି ପ୍ରଶମିତ କରିବେ ତାହା ପ୍ରତାପ ଜେନାଙ୍କ ପାଇଁ ଆହ୍ୱାନ ହୋଇ ରହିବ। 


କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଆସନକୁ ଛାଡ଼ିଦେଲେ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟାଣୁଆ ନେତା କିମ୍ବା ତାଙ୍କ ପରିବାରବର୍ଗ ଲୋକଙ୍କ ଆସ୍ଥା ଜିତି ଚାଲିଛନ୍ତି। ଆଳିରୁ ରାଜପରିବାର, ପାଟକୁରାରୁ ଅଗ୍ରଓ୍ୱାଲ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନିଜ ନିଜ ପାଇଁ ଆସନ ସୁରକ୍ଷିତ ବୋଲି ଏକପ୍ରକାର ଧରି ନେଇଛନ୍ତି। ରାଜନଗର ଲୋକଙ୍କ ଭିତରେ ବିଧାୟକ ବାଛିବାରେ ପସନ୍ଦ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ଆସନର ପୂର୍ବତନ ବିଧାୟକ ନଳିନୀ ମହାନ୍ତିଙ୍କ ପରଲୋକ ପରେ ଥରେ ବିଜେଡି ଆଉ ଥରେ ବିଜେଡି ପ୍ରତିନିଧିଙ୍କୁ ଦେଖିବାକୁ ମିଳୁଥିବାରୁ ଏଠାରେ କଂଗ୍ରେସ ସହ ଏକ ବଡ଼ ମୁକାବିଲା ହେବା ସମ୍ଭାବନା ରହିଛି।