Will BJP get more power if joins hands with BJD in Odisha: ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ଆହୁରି ୬ ମାସ ଅଛି। କେନ୍ଦ୍ର ସହ ଏକାଠି ନିର୍ବାଚନକୁ ଯାଉଥିବା ରାଜ୍ୟ ଭିତରେ ଅନ୍ୟତମ ଆମ ରାଜ୍ୟରେ କିନ୍ତୁ ନିର୍ବାଚନ ପାଣିପାଗ ଉଷ୍ମ ହେବାରେ ଲାଗିଲାଣି। ଅବଶ୍ୟ ଆଗୁଆ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ଆଉ ନାହିଁ କିନ୍ତୁ ଏବେ ଚର୍ଚ୍ଚା ଧରିଛି ୨୦୨୪ରେ ମେଣ୍ଟ ସରକାର। ୨୦୦୮ରେ ମିଳିତ ନିର୍ବାଚନୀ ଇସ୍ତାହାରରୁ ମୁହଁ ଫେରାଇ ନେଇଥିବା ବିଜେପି ଓ ବିଜେଡି ପୁଣିଥରେ ଏକାଠି ହୋଇ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି କେନ୍ଦ୍ରର ବିଜେପି ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଭୁରି ପ୍ରଶଂସା କରିବା ଏବଂ  କେନ୍ଦ୍ର ସରକାରଙ୍କ ପ୍ରତିଟି ଅସମୟରେ ରାଜ୍ୟରୁ ବିଜେଡି ପକ୍ଷରୁ ସହାୟତାର ହାତ ଲମ୍ବାଇବା ଏହି ଆଲୋଚନାକୁ ଆହୁରି ବଳିଷ୍ଠ କରିଛି। ପୁଣି ଦଶହରା ପୂର୍ବଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‍ଙ୍କ ଇସ୍ତଫାକୁ କେନ୍ଦ୍ରରେ ମାତ୍ର ତିନି ଦିନ ଭିତରେ ଗ୍ରହଣ କରାଯିବା ଏହି ଚର୍ଚ୍ଚାକୁ ଘନୀଭୂତ କରୁଛି। ପ୍ରଶ୍ନ ଉଠୁଛି ସତରେ କ’ଣ ୨୦୨୪ରେ ପୁଣିଥରେ ଓଡ଼ିଶାର ନିଜସ୍ୱ ଦଳ ବିଜେଡି ଦେଶ ଶାସନ କରୁଥିବା ବିଜେପି ସହ ଖୋଲା ଖୋଲି ମେଣ୍ଟ କରିବ? ଆଉ ଯଦି ଏହା ସତ ତେବେ ଫାଇଦା କାହାର ହେବ?


COMMERCIAL BREAK
SCROLL TO CONTINUE READING

ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟର ପୃଷ୍ଠଭୂମିକୁ ଟିକେ ମନେ ପକାଇବା। ୧୯୯୭ ମସିହାରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିଧନ ହେଲା ସେତେବେଳେ ରାଜ୍ୟରେ ନେତୃତ୍ୱର କୃତ୍ରିମ ଅଭାବ ଦେଖାଦେଇଥିଲା। ନେତା ନଥିଲେ ତାହା ନୁହେଁ, କିନ୍ତୁ ‘ଓଡ଼ିଆ କଙ୍କଡ଼ା’ ନୀତିରେ ସେମାନଙ୍କ ଭିତରୁ କାହାକୁ କ୍ଷମତାପନ୍ନ କରିବାକୁ କୌଣସି ଅଣ କଂଗ୍ରେସ ବିଜୁପ୍ରେମୀ ଏକଜୁଟ ହୋଇପାରିଲେ ନାହିଁ। ଫଳରେ ସେତେବେଳର ପ୍ରତିଷ୍ଠିତ ନେତା ବିଜୁ ବାବୁଙ୍କ ପରିବାରର ଜଣଙ୍କୁ ଖୋଜିଲେ। ରାଜନୀତି ଖିଅରେ କେବେ ବାନ୍ଧି ହୋଇ ନଥିବା ଏ ପରିବାରର ସାନ ପୁଅ ନବୀନଙ୍କୁ ଆଣି ରାଜନୀତିରେ ଭର୍ତ୍ତି କଲେ। ଆଉ ଏହି ଘଟଣାକ୍ରମରେ ‘କଂଗ୍ରେସ ମୁକ୍ତ ଭାରତ’ର ସ୍ୱପ୍ନ ଦେଖୁଥିବା ବିଜେପି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନବୀନଙ୍କୁ ସମର୍ଥନ କରିବାରୁ ଗଢ଼ା ହେଲା ବିଜୁ ଜନତା ଦଳ। 


ବିଲେଇ କପାଳକୁ ଶିକା ଛିଣ୍ଡିଲା ଭଳି ଦୁଇବର୍ଷ ଭିତରେ ଓଡ଼ିଶାକୁ ମହାବାତ୍ୟା ଆକ୍ରମଣ କଲା। ଓଡ଼ିଶାର ସାମାଜିକ, ଅର୍ଥନୀତିକ ଓ  ରାଜନୀତିକ ବନ୍ଧନ ପ୍ରଭାବିତ ହେଲା। ଲୋକେ ଅବସ୍ଥାପିତ ସରକାରଙ୍କୁ ଦାୟୀ କଲେ। ଆଉ ନିଜ ଦାୟିତ୍ୱବୋଧକୁ ଠିକଣା ଭାବେ ପରିଚାଳନା କରିବାରେ ସେତେବେଳର କଂଗ୍ରେସ ସରକାର ସମର୍ଥ ହୋଇ ନପାରି ଆତ୍ମ ସମର୍ପଣ କଲେ। ଫଳରେ ନୂଆ ନେତୃତ୍ୱ, ନୂଆ ଦଳ, ନୂଆମେଣ୍ଟ ଆଉ ନୂଆ କର୍ମୀଙ୍କ ଦ୍ୱାରା ବିଜୟୀ ହେଲା ନବୀନଙ୍କ ବିଜୁ ଜନତା ଦଳ। ୨୦୦୦ ମସିହାରେ କ୍ଷମତା ଆପଣାଇଲେ। ଆଉ ତାହା ପରଠୁ ଏ ଦୁଇ ଦଳ ଦୁଇ ଭାଇ ଭଳି ଓଡ଼ିଶାକୁ ଶାସନ କଲେ। କିନ୍ତୁ ୨୦୦୮ ମସିହାର କନ୍ଧମାଳ ଦଙ୍ଗା ଏ ଦୁଇ ଭାଇଙ୍କ ଭିତରେ ସମ୍ପର୍କକୁ ଚ୍ଛିନ୍ନ କଲା। ଭାଇ ଭଗାରୀ ହେଲା। ନବୀନ ନିବାସରେ କେନ୍ଦ୍ରୀୟ ବିଜେପି ନେତାଙ୍କ ବାରମ୍ବାର ବୈଠକ କୌଣସି ସୁଫଳ ଦେଲା ନାହିଁ। ଫଳରେ ବିଜେପିକୁ ପର କରି ବିଜେଡି ଲୋକଙ୍କ ହାତ ଧରିଲା। ସାମ୍ପ୍ରଦାୟିକ ଶକ୍ତିଠୁ ଦୂରରେ ବୋଲି କହି ୨୦୦୯ ଏବଂ ୨୦୧୪ ପରେ ୨୦୧୯ ନିର୍ବାଚନ ବି ଜିତିଲା। 


ହେଲେ  ବିଗତ ୫ ବର୍ଷରେ ସମୟ ଚକ୍ର ବିଜେଡି-ବିଜେପିର ବନ୍ଧନରେ ଅନେକ ପରିବର୍ତ୍ତନ ଆଣିଛି। ପରୋକ୍ଷରେ ହେଲେବି ଦୁଇ ଦଳ ପରସ୍ପରର ନିକଟବର୍ତ୍ତୀ ହୋଇଛନ୍ତି। ୨୦୧୯ ନିର୍ବାଚନରେ ଯେଉଁ ନେତାଙ୍କୁ ‘ପୋଡ଼ା ଟ୍ରାନ୍ସଫର୍ମର’ ବୋଲି ବିଜେପିର ଶୀର୍ଷ ନେତାମାନେ କହୁଥିଲେ ଆଜି ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଏଇ ‘ପୋଡ଼ା ଟ୍ରାନ୍ସଫର୍ମର’ ଏବେ  ଟ୍ରାନ୍ସଫର୍ମେସନ୍‍ର ଉହାଦରଣ ପାଲଟିଛନ୍ତି। ପୁଣି ଯେଉଁ ଟ୍ରାନ୍ସଫର୍‍ମେସନ୍‍ ବା ରୂପାନ୍ତରଣ କଥା କୁହାଯାଉଛି ତାହାର ସାରଥି ସାଜିଥିବା ଭିକେ ପାଣ୍ଡିଆନ୍‍ ଆଇଏଏସ୍‍ ଛାଡ଼ି ସରକାରକୁ ଆସିବା ୨୦୨୪ ପାଇଁ ନୂଆ ସଙ୍କେତ ଦେଉଛି। ତାହା ହେଲା ମେଣ୍ଟ ବା ମିଳିତ ସରକାର।
 
ମେଣ୍ଟ କାହିଁକି ହେବ? ଏ ପ୍ରଶ୍ନର ଉତ୍ତରରେ ଯେଉଁ ଚର୍ଚ୍ଚା ହେଉଛି ସେ ଭିତରେ ରହିଛି ଉଭୟ ଦଳର ଶୀର୍ଷ ନେତା ତଥା ରଣନୀତିକାରଙ୍କ ଭିତରେ ନିବିଡ଼ ସମ୍ପର୍କ ଏବଂ ପୂର୍ବ ସମ୍ପର୍କକୁ ପୁଣି ଦୋହରାଇବାର ପ୍ରୟାସ। କିନ୍ତୁ ଏ ମେଣ୍ଟ ହେବାଦ୍ୱାରା ଲାଭ କାହାକୁ ମିଳିବ? ଆଉ କ୍ଷତି କିଏ ସହିବ?


ଲାଭ କଥା କହିଲେ, ଏହି ମେଣ୍ଟ ଦ୍ୱାରା ସାଧାରଣ ନେତା ବା ତୃଣମୂଳରେ ସଙ୍ଗଠନ ସଜାଡ଼ିଥିବା ନେତା ଫାଇଦା ପାଇବେ ନାହିଁ। ବରଂ ମେଣ୍ଟ ଦ୍ୱାରା ତାଙ୍କ ପ୍ରଭାବ କମିବ। ଉଭୟ ବିଜେପି-ବିଜେଡି ଦଳର ତୃଣମୂଳ ସ୍ତରର କର୍ମକର୍ତ୍ତା ଏହା ଦ୍ୱାରା ପ୍ରଭାବିତ ହେବେ। ହେଲେ ଅଧିକ ପ୍ରଭାବିତ ହେବ ବିଜେପି। ସରକାରରେ ରହିବାକୁ ଥିବା ରଣନୀତିକାର ଏବଂ ମନ୍ତ୍ରିମଣ୍ଡଳ ସଦସ୍ୟ ହିଁ ମେଣ୍ଟ ହେଲେ ଫାଇଦା ପାଇବେ। ଦ୍ୱିତୀୟରେ ଲାଭ ହେବ କଂଗ୍ରେସ ଦଳର। କାରଣ ଆଜି ରାଜ୍ୟରେ ବିଜେପି ଯଦି ରାଜ୍ୟବାସୀଙ୍କ ଭୋଟ ଅକ୍ତିଆର କରୁଛି ତେବେ ତାହା ସରକାର ବିରୋଧୀ ତତ୍ତ୍ୱ ବା ଭୋଟ୍‍ ଯୋଗୁ। ଏଣୁ ସରକାରର ଅଂଶୀଦାର ହେଲେ ବିଜେଡି ୨୦୦୯ ପରିସ୍ଥିତିକୁ ଫେରିଯିବ। ଯେଉଁ ପ୍ରମୁଖ ବିରୋଧୀ ଦଳ ଆସନ ଆଜି ବିଧାନସଭାରେ ବିଜେପି ଗ୍ରହଣ  କରିଛି ମେଣ୍ଟ ଭାଙ୍ଗିଲେ ତାହା ମିଳି ନପାରେ।