Parliament Session in India: ଭାରତୀୟ ଭାଷା ଦିବସରୁ ସଂସଦରେ ଆରମ୍ଭ ହୋଇଛି  ଆଞ୍ଚଳିକ ଭାଷାରେ ଭାଷାନ୍ତରଣ ସୁବିଧା। ଏହି ସୁବିଧାରେ ସାଂସଦ ସଂସଦରେ ହେଉଥିବା କାର୍ଯ୍ୟକ୍ରମର ଏକ ସଙ୍ଗେ ଭାଷାନ୍ତରଣ ଶୁଣିପାରିବେ। ଏହିକ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଆ ସମେତ ୧୦ ଭାଷାକୁ ସାମିଲ୍‍ କରାଯାଇଛି। ଅନ୍ୟ ୯ ଭାଷା ହେଲେ ଅସମୀୟା, ବଙ୍ଗଳା, ଗୁଜରାଟି, କନ୍ନଡ଼, ମଲାୟାଲାମ, ମରାଠି, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ। ଗଲା ଏକ ସପ୍ତାହ ହେଲା ଏହାର ସଫଳ ପରୀକ୍ଷଣ ଚାଲିଛି। ପ୍ରଥମେ ଏକ ଘଣ୍ଟା ଅର୍ଥାତ୍‍ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଭାଷାନ୍ତରଣ ପ୍ରସାରଣ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ପୂର୍ବରୁ କେବଳ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଭାଷାନ୍ତରଣ ସୁବିଧା ଥିଲା। ଯେଉଁ ସଦସ୍ୟ ଆଞ୍ଚଳିକ ଭାଷାରେ ପ୍ରସଙ୍ଗ ଉଠାଉଥିଲେ ତାଙ୍କ ଅଭିଭାଷଣକୁ ଏହି ଦୁଇ ଭାଷାରେ ରୂପାନ୍ତର କରାଯାଇ ଗୃହର ଅନ୍ୟ ସଦସ୍ୟ, ପ୍ରେସ ଗ୍ୟାଲେରୀ ଠାରେ ପହଞ୍ଚାଯାଉଥିଲା। ହେଲେ ଏବେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଏହି ୧୦ ଆଞ୍ଚଳିକ ଭାଷାରେ ସେବା ଉପଲବ୍ଧ ହୋଇଛି। ଅର୍ଥାତ୍‍ ଗୃହ ମଧ୍ୟରେ କୌଣସି ସଦସ୍ୟ ହୁଅନ୍ତୁ ବା ପ୍ରେସ ଗ୍ୟାଲେରୀ ଠାରେ ବସିଥିବା ସାମ୍ବାଦିକ ଚାହିଁଲେ ନିଜ ଭାଷାରେ ରୂପାନ୍ତରଣ ଶୁଣିପାରୁଛନ୍ତି। ନୂଆ ସଂସଦ ଗୃହରେ ଲାଗିଥିବା ସ୍ୱତନ୍ତ୍ର ମଲ୍ଟିମିଡିଆ ବ୍ୟବସ୍ଥା ଏହି କାର୍ଯ୍ୟରେ ସହାୟକ ହୋଇପାରିଛି।  


ସଂସଦ ପକ୍ଷରୁ ୨୨ ଭାଷାରେ ଏକ ସଙ୍ଗେ ଭାଷାନ୍ତରଣ ପାଇଁ ପ୍ରଫେସନାଲ୍‍ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଇଛି। ଏଥିଲାଗି ସ୍ୱତନ୍ତ୍ର ବୁଥ ଏବଂ ଟେକ୍ନାଲୋଜି ବ୍ୟବସ୍ଥା ହୋଇଛି। ପ୍ରଥମଥର ପାଇଁ ଏହି ବ୍ୟବସ୍ଥା ଆପଣା ଯାଉଥିବାରୁ ୧୦ ପ୍ରାଥମିକ ଭାଷାକୁ ଏଥିରେ ପରୀକ୍ଷାମୂଳକଭାବେ ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସାଂସଦଙ୍କ ମତାମତ ସଂଗ୍ରହ କରି ଏହି ସେବାକୁ ସମୃଦ୍ଧ କରିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।