Nayab Singh Saini to be New Haryana CM: ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ହଟଚମଟ ମଧ୍ୟରେ ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। ବିଜେପି ଏବଂ ଏହାର ସହଯୋଗୀ ମେଣ୍ଟ ଜନନାୟକ ଜନତା ପାର୍ଟି (ଜେଜେପି) ମଧ୍ୟରେ ମତଭେଦ ହେବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଜ୍ୟରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ହେଲେ ଜେଜେପି ଏହି ନୂତନ ସରକାରରେ ସାମିଲ ହେବ ନାହିଁ। ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ହରିୟାଣା ବିଜେପି ସଭାପତି ନାୟାବ ସିଂହ ସୈନୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏନେଇ ମିଳିଥିବା ଖବର ଅନୁସାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଖୁବ ଶୀଘ୍ର ଏ ସମ୍ପର୍କରେ ଔପଚାରିକ ଭାବେ ଘୋଷଣା କରାଯାଇପାରେ।


COMMERCIAL BREAK
SCROLL TO CONTINUE READING

ନାୟାବ ସିଂହ ସୈନୀ କିଏ? 
ନାୟାବ ସିଂହ ସୈନୀ ହେଉଛନ୍ତି ହରିୟାଣା ବିଜେପି ଅଧ୍ୟକ୍ଷ। ଯିଏ ପଛୁଆ ବର୍ଗ ସମ୍ପ୍ରଦାୟରୁ ଆସୁଛନ୍ତି। ଗତ ୨୦୦୫ ବର୍ଷରେ ନାୟାବ ସିଂହ ସୈନୀ ବିଜେପି ଯୁବ ମୋର୍ଚ୍ଚା ଅମ୍ବାଲା ଜିଲ୍ଲା ସଭାପତି ହୋଇଥିଲେ। ଏହା ପରେ ୨୦୦୯ ବର୍ଷରେ ସେ ହରିୟାଣା ବିଜେପି କିସାନ ମୋର୍ଚ୍ଚା ସାଧାରଣ ସମ୍ପାଦକ ହୋଇଥିଲେ। ଗତ ୨୦୧୨ ବର୍ଷରେ ଅମ୍ବାଲା ଜିଲ୍ଲା ବିଜେପି ସଭାପତି ହୋଇଥିଲେ। ଗତ ୨୦୧୪ ହରିୟାଣା ବିଧାନସଭା ନିର୍ବାଚନରେ ନାୟାବ ସିଂହ ରାଜ୍ୟର ନାରାୟଣଗଡ଼ ଆସନରୁ ବିଧାୟକ ହୋଇଥିଲେ। ୨୦୧୬ ବର୍ଷରେ ହରିୟାଣା ସରକାରରେ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ଗତ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର କୁରୁକ୍ଷେତ୍ର ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ହରିୟାଣା ବିଜେପି ଅଧ୍ୟକ୍ଷ ନାୟାବ ସିଂହ ସୈନୀ।


ମନୋହର ଲାଲ ଖଟ୍ଟରଙ୍କ ନିକଟତମ ସହଯୋଗୀ ହେଉଛନ୍ତି ନାୟାବ ସିଂହ ସୈନୀ
ହରିୟାଣା ବିଜେପି ଅଧ୍ୟକ୍ଷ ନାୟାବ ସିଂହ ସୈନୀ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନିକଟତମ ସହଯୋଗୀ ଭାବେ ଜଣାଶୁଣା। ଯାହାର ଫାଇଦା ଏବେ ତାଙ୍କୁ ମିଳିଛି। ଗତ ୨୦୧୬ ବର୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସରକାରର ତାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ନାୟାବ ସିଂହ ସୈନୀ ରାଜ୍ୟର କୁରୁକ୍ଷେତ୍ର ଆସନରୁ ସାଂସଦ ନିର୍ବାଚିତ ହେବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଗତ ବର୍ଷ ହରିୟାଣା ବିଜେପି ରାଜ୍ୟ ଶାଖା ସଭାପତି ଭାବେ ନିଯୁକ୍ତ କରାଯାଇଥିଲା।


ଦଳର ଓବିସି ଚେହେରା ଭାବେ ଜଣାଶୁଣା ନାୟାବ ସିଂହ ସୈନୀ
ହରିୟାଣା ବିଜେପି ଅଧ୍ୟକ୍ଷ ନାୟାବ ସିଂହ ସୈନୀ ପଛୁଆ ବର୍ଗ ସମ୍ପ୍ରଦାୟରୁ ଆସୁଛନ୍ତି। ହରିୟାଣା ରାଜନୈତି ସମୀକରଣକୁ ନଜରରେ ରଖି ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ରାଜ୍ୟରେ    
ଜାଟ୍ ସମ୍ପ୍ରଦାୟ ବଦଳରେ ସମଗ୍ର ଓବିସି ବର୍ଗର ସମର୍ଥନ ହାସଲ କରିବାକୁ ବିଜେପି ଦଳର ପଛୁଆ ବର୍ଗର ଚେହେରା ନାୟାବ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି।


ହରିୟାଣା ବିଧାନସଭାରେ ସଂଖ୍ୟା ଗଣିତ 
ମୋଟ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ ସିଟ୍ ଆବଶ୍ୟକ। ବର୍ତ୍ତମାନ ବିଧାନସଭାରେ ୪୧ ବିଜେପି ଜଣ ବିଧାୟକ ଅଛନ୍ତି। ସଂଖ୍ୟାଗରିଷ୍ଠତା ପାଇଁ ଦଳକୁ ଆହୁରି ୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସେହିପରି ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସ ପାଖରେ ୩୦, ପୂର୍ବତନ ମେଣ୍ଟ ସହଯୋଗୀ ଜେଜେପି ପାଖରେ ୧୦, ହରିୟାଣା ଲୋହିତ ପାର୍ଟି ପାଖରେ ୧, ଭାରତୀୟ ଜାତୀୟ ଲୋକ ଦଳ ପାଖରେ ୧ ଏବଂ ୬ ଜଣ ସ୍ୱାଧିନ ବିଧାୟକ ଅଛନ୍ତି।