ORHDC Corruption Case: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ ଋଣ ଠକେଇ ମାମଲାରେ ବାରବାଟି କଟକ ଆସନର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷର ଜେଲ ଦଣ୍ଡ ସହ ୫୦ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। ସେପ୍ଟମ୍ବର ୨୯ ତାରିଖ ଗୁରୁବାର ଭିଜିଲାନ୍ସ କୋର୍ଟ ଯେଉଁ ଋଣ ଠକେଇ ମାମଲାରେ କଂଗ୍ରେସ ବିଧାୟକଙ୍କୁ ଦଣ୍ଡିତ କରିଛନ୍ତି ତାହା ୨୦୦୦ ମସିହାର ମାମଲା ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ (Odisha Rural Housing & Development Corporation) ଓଆରଏଚଡିସି (ORHDC) ଋଣ ଠକେଇ ମାମଲାରେ ମେଟ୍ରୋ ବିଲଡର୍ସ ଏମଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ (Congress MLA Mohammed Moquim) ସମେତ ଓଆରଏଚଡିସି ପୂର୍ବତନ ଏମଡି ବିନୋଦ କୁମାର, ପୂର୍ବତନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ଏବଂ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। 


ମେଟ୍ରୋ ବିଲଡର୍ସ ନାମ ଏକ ସଂସ୍ଥାକୁ ଅନୁଚିତ ଅନୁଗ୍ରହ ଦେଖାଇ ଦେଢ଼ କୋଟି ଟଙ୍କା ଋଣ ଦେବା ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ। ଓଆରଏଚଡିସି ଏମଡି ରହିଥିବା ସମୟରେ ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାର ଏହି ଋଣ କାରବାର କରିଥିଲେ। ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ରହିଥିବା ଋଣ ଟଙ୍କାକୁ ତତ୍କାଳୀନଓଆରଏଚଡିସି ଏମଡି ବେଆଇନ ଭାବେ ଏହି ସଂସ୍ଥାକୁ ଦେଇଥିବାର ଅଭିଯୋଗ ହୋଇଥିଲା। ଋଣ ଦେବା ପାଇଁ କାଗଜ ପତ୍ରରେ ଜାଲିଆତି କରା ଯାଇଥିବାର ଅଭିଯୋଗ ହୋଇଥିଲା।


ମେଟ୍ରୋ ବିଲଡର୍ସ ସଂସ୍ଥା ଜାଲ୍ କାଗଜପତ୍ର ରଖି ଓଆରଏଚଡିସି ପାଖରୁ ଦେଢ କୋଟି ଟଙ୍କାର ରଣ ପାଇଥିଲା। ଏହି ଋଣ ଟଙ୍କାଙ୍କୁ ମଞ୍ଜୁରୀ କରିଥିଲେ ତତ୍କାଳୀନ ଓଆରଏଚଡିସି ଏମଡି ବିନୋଦ କୁମାର। ଏନେଇ ହୋଇଥିବା ଅଭିଯୋଗ ଉପରେ ୧୩(୨), ୧୨୦(ବି), ୪୨୦, ୪୬୮, ୪୭୧ ଧାରାରେ ମାମଲା ରୁଜୁ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଏହି ମାମଲାରେ ଦୀର୍ଘ ଦିନ ଧରି ଶୁଣାଣି ଚାଲିବା ପରେ ଭିଜିଲାନ୍ସ କୋର୍ଟ ଗୁରୁବାର ଏହି ରାୟ ଶୁଣାଇଥିଲେ।


ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଋଣ ଠକେଇ ମାମଲାରେ ଭିଜିଲାନ୍ସ କୋର୍ଟ ରାୟ ଆସିବା ବିଧାନସଭା ସଦସ୍ୟତା ପଦ ହରାଇବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ? ଏଭଳି ଚର୍ଚ୍ଚା ପଛରେ ଏକ କାରଣ ରହିଛି। ତାହା ହେଉଛି ଯଦି ଜଣେ ଜନ ପ୍ରତିନିଧି କୌଣସି ଅପରାଧିକ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ୨ ବର୍ଷ କାରାଦଣ୍ଡ ପାଇଲେ ତାଙ୍କର ସାଂସଦ କିମ୍ବା ବିଧାୟକ ସଭ୍ୟପଦ ରଦ୍ଦ ହେବାର ନିୟମ ରହିଛି। 


ହେଲେ ଯଦି ଏଭଳି ମାମଲାରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ୧ ମାସ ମଧ୍ୟରେ ଯଦି ଉପର ଅଦାଲତରେ ଚ୍ୟାଲେଞ୍ଜ କରାଯାଏ ତାହେଲେ ଏହି ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଜନ ପ୍ରତିନିଧି ସାଂସଦ କିମ୍ବା ବିଧାୟକ ସଦସ୍ୟତା ହରାଇଥାନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସ୍ଥିତି କଣ ହେବ ତାହା ସ୍ପଷ୍ଟ ହୋଇଯାଇଛି। 


ଋଣ ଠକେଇ ମାମଲାରେ ଭିଜିଲାନ୍ସ କୋର୍ଟ ଦେଇଥିବା ରାୟ ବିରୋଧରେ ହାଇକୋର୍ଟ ରେ ଆବେଦନ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ। ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି। ଓଆରଏଚଡିସି ପାଖରୁ ଋଣ ନେବାର କୌଣସି ଜାଲିଆତି ହୋଇନାହିଁ। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ ପାଖରୁ ଯେଉଁ ଦେଢ଼ କୋଟି ଟଙ୍କା ଋଣ ନିଆ ଯାଇଥିବା କଥା କୁହାଯାଉଛି ତାହା ମଧ୍ୟରୁ ୧ କୋଟି ୨୬ ଲକ୍ଷ ଟଙ୍କାର ଋଣ ସୁଝା ଯାଇ ସାରିଲାଣି।