Bahuda yatra 2023: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ପରେ ଆଜି ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା (Bahuda yatra 2023, ) ନେଇ ଶରଧାବାଲିରେ ପ୍ରସ୍ତୁତ ରହିଛି ୩ ରଥ । ଏନେଇ ରାତିରେ ୩ ରଥରେ ଚାରମାଳ ବନ୍ଧା କାମ ମଧ୍ଯ ସରିଛି । ତେବେ ପ୍ରବଳ ଭକ୍ତଙ୍କ ସମାଗମ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରକାଶ ଥାଉ କି, ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡ଼ିବେ ବିଶ୍ବନିୟନ୍ତା । ସେପଟେ ଅଭିମାନୀ ମାଆ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ । ଏନେଇ ମଙ୍ଗଳବାର ଦିନ ସନ୍ଧ୍ୟା ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ରାତି ପ୍ରାୟ ୭ଟାରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ ବାହୁଡ଼ା ପହଣ୍ତି ପାଇଁ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଖଣ୍ତୁଆ ନୀତି ସମ୍ପନ୍ନ ହୋଇଛି । ଏହା ପରେ ବିଳମ୍ବିତ ରାତିରେ ବାହୁଟ କଣ୍ଟ, ଚାରବନ୍ଧା, ସେନାଲାଗି ନୀତି ସମ୍ପନ୍ନ ହୋଇଥିଲା । ବାହୁଡ଼ା ପହଣ୍ତି ପାଇଁ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ଯ ସରିଛି ।


COMMERCIAL BREAK
SCROLL TO CONTINUE READING

ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ସମୟ-


ବୁଧବାର ଦିନ ଭୋର ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢି ୫ଟା ୪୫ରୁ ୬ଟା ୪୫ ମିନିଟ୍ ରେ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପନ୍ନ ହୋଇଛି । ଏହାପରେ ମଧ୍ଯାହ୍ନ ୧୨ଟାରୁ ସାଢେ ୨ଟାରେ ଭିତରେ ବାହୁଡ଼ା ପହଣ୍ତି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ା ଲାଗି କାର୍ଯ୍ୟ ସମ୍ପନ୍ନ ହେବ । ସମସ୍ତ ରୀତିନୀତି ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ।


ବାହୁଡା ଯାତ୍ରାକୁ ନେଇ ଣ ରହିଛି ପୌରାଣିତ କଥା


ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ । ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତି ମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ । ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଓ ବାହୁଡା଼ ଯାତ୍ରା ବା ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ, ରଥଯାତ୍ରା ସମୟରେ ପ୍ରଭୁ ମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ। ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । 


Also Read-Puri Gundicha Temple: ସନ୍ଧ୍ୟା ଦର୍ଶନ ପରେ ଭକ୍ତ ଗୁଣ୍ଡିଚା ମନ୍ଦିରରେ ଆଖିବୁଜିଲେ ଭକ୍ତ


ତେବେ ବାହୁଡ଼ା ଯାତ୍ରା ପାଇଁ ସହରର ବିଭିନ୍ନ ବ୍ଲକିଂ ପଏଣ୍ଟରେ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ରଥଯାତ୍ରା (Rath Yatra 2023) ଭଳି ବିଭିନ୍ନ ସ୍ଥାନକୁ ଗାଡି଼ ମୋଟର ଡ଼ାଇଭର୍ଟ କରାଯାଇଛି । ସୂଚନାଯୋଗ୍ୟ, ଆଜି ବାହୁଡ଼ା ଯାତ୍ରା ଶେଷ ହେବା ପରେ ୨୯ ତାରିଖରେ ସୁନାବେଶ (Suna Besha 2023), ୩୦ରେ ଅଧରପଣା ଓ ଜୁଲାଇ ୧ ତାରିଖରେ ନୀଳାଦ୍ରି ବୀଜେ (Niladri Bije 2023) ନୀତି ଅନୁଷ୍ଠିତ ହେବ ।