ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ, ଶ୍ରୀମନ୍ଦିର ପରିକ୍ରମା ପାଇଁ ଖୋଲିଲା ମଙ୍ଗୁ ମଠ ମାର୍ଗ
ଶ୍ରୀମନ୍ଦିରରେ କୁମାର ପୁର୍ଣ୍ଣିମାକୁ ନେଇ ରହିଛି ସ୍ୱତନ୍ତ୍ର ନୀତି। ମହାପ୍ରଭୁ କୁମାର ପୁର୍ଣ୍ଣିମାରେ ଦ୍ୟୁତି କ୍ରୀଡାର ବିଧି ରହିଛି।
ସଞ୍ଜୟ ମହାପାତ୍ର, ପୁରୀ: ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା (Kumar Purnima)। ଶ୍ରୀମନ୍ଦିର (Shrimandir) ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି। ଆସନ୍ତାକାଲି ପ୍ରତିପଦାରୁ ଆରମ୍ଭ ହେବ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ (Kartik Vrat)। ଧର୍ମମାସ କାର୍ତ୍ତିକରେ ଭକ୍ତ ଶ୍ରୀମନ୍ଦିର ପରିକ୍ରମା ପାଇଁ ମଙ୍ଗୁ ମଠ (Mangu Math) ପଟେ ଖୋଲିଲା ପରିକ୍ରମା ମାର୍ଗ। ଫଳରେ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ସହଜ ହୋଇପାରିବ।
ସେପଟେ ଅନଲକ୬ ଗାଇଡଲାଇନ (Unlock6 Guidelines) ଅନୁସାରେ ଶ୍ରୀମନ୍ଦିର ଖୋଲିବା ନେଇ ବର୍ତ୍ତମାନ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସେବାୟତଙ୍କ ଶ୍ରୀମନ୍ଦିର ଖୋଲିବା ନେଇ ମତାମତ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇସାରିଛନ୍ତି। ସେପଟେ ଶ୍ରୀମନ୍ଦିର ଖୋଲିଲେ କୋଭିଡ ନିୟମର ସଠିକ ଭାବେ ଅନୁପାଳନ ହୋଇପାରିବ ନାହିଁ। ଯଦି ସରକାରଙ୍କ ସାମର୍ଥ୍ୟ ଅଛି ତାହେଲେ ଖୋଲନ୍ତୁ ବୋଲି କହିଛନ୍ତି ମଠାଧୀଶ। ସେପଟେ ଶ୍ରୀମନ୍ଦିର ପ୍ରଶାସନ (Shrimandir Adminstration) ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ଯାହା କିଛି ନିଷ୍ପତ୍ତି ଆସିବ ସେ ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି କହିଛନ୍ତି ପୁରୀ ଏସପି (Puri SP)।
ଶ୍ରୀମନ୍ଦିରରେ କୁମାର ପୁର୍ଣ୍ଣିମାକୁ ନେଇ ରହିଛି ସ୍ୱତନ୍ତ୍ର ନୀତି। ମହାପ୍ରଭୁ କୁମାର ପୁର୍ଣ୍ଣିମାରେ ଦ୍ୟୁତି କ୍ରୀଡାର ବିଧି ରହିଛି। ଭିତର ଚନ୍ଦନ ଲାଗି ଓ ବଡସିଂହାର ବେଶ ପରେ ବଡସିଂହାର ଭୋଗ ବଢି ପାଣି ପଡିଥାଏ। ଏସବୁ ସରିଲେ ସିଂହାସନ ତଳେ ଶକଟା, ପଶା, କଉଡି ଖେଳ ହୋଇଥାଏ । ସିଂହାସନ ତଳେ ଏହା ସରିବା ପରେ ସିଂହାସନ ଉପରେ ମଧ୍ୟ ଏହି ଖେଳ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ପରମ୍ପରାରେ ଏହା ଦ୍ୟୁତି କ୍ରୀଡା ଉତ୍ସବ ନାମରେ ଅଭିହିତ।
ଏହି ଦ୍ୟୂତି କ୍ରୀଡାରେ ଲକ୍ଷ୍ମୀଙ୍କ ଠାରୁ ମହାପ୍ରଭୁ ହାରିଯାଇଥିବାରୁ ରତ୍ନସିଂହାସନର ମାଧବ ୭ ଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହନ୍ତି। ମାଧବ ହସ୍ତରେ ବିଜେ ହୋଇ ୭ ଦିନ ଯାଏଁ ଲକ୍ଷ୍ମୀ ମନ୍ଦିରରେ ରହିବା ପରେ ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ସିଂହାସନରେ ବିଜେ କରନ୍ତି। ମହାପ୍ରଭୁଙ୍କ ପକ୍ଷରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରକୁ ଉଭୟ ହିଙ୍ଗୁଳ କଉଡି ୨୧, ରୂପା କଉଡି ୨୧, ପଶା ଶକଟା ଖେଳ ଖେଳିଥାନ୍ତି।
ସେପଟେ ଆସନ୍ତା କାଲି ପ୍ରତିପଦା ତିଥିରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ସଂକଳ୍ପ କରି କାର୍ତ୍ତିକ ବ୍ରତ ପାଳନ କରିବାର ବିଧି ରହିଛି। ସେ ନେଇ କାର୍ତ୍ତିକ ମାସରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଓ ପରିକ୍ରମା ପାଇଁ ମଙ୍ଗୁ ମଠ ପଟେ ଖୋଲିଲା ପରିକ୍ରମା ମାର୍ଗ। ଭକ୍ତ ପତିତପାବନଙ୍କୁ ଦର୍ଶନ କରି ପରିକ୍ରମା କରି ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ କରାଯାଇଥିବା କାଉଣ୍ଟରରୁ ମହାପ୍ରସାଦ ନେବାର ହୋଇଛି ବ୍ୟବସ୍ଥା।
ଅନଲକ୬ ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବା ନେଇ ରହିଛି ନିର୍ଦ୍ଦେଶ। ହେଲେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ରହିଛି ଦାୟିତ୍ୱ। ଶ୍ରୀମନ୍ଦିର ଖୋଲିବା ନେଇ ଅନିଶ୍ଚିତତା ରହିଥିବା ବେଳେ ସେବାୟତ ସେମାନଙ୍କର ମତାମତ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦେଇଥିବା ସହ ତାହା ରାଜ୍ୟ ସରକାରଙ୍କୁ ମଧ୍ୟ ଦାଖଲ ହୋଇଛି। ଶ୍ରୀମନ୍ଦିର ଅନ୍ୟ ମନ୍ଦିର ଠାରୁ ଭିନ୍ନ। ଏଠି ଅନେକ ନୀତି କରାଯାଉଥିବା ବେଳେ କୌଣସି ପାଳିଆ ସେବାୟତ ଅସୁସ୍ଥ ହେଲେ ନୀତିରେ ବିଭ୍ରାଟ ହେବ।
ଆଉ ଗୋଟିଏ ନୀତି ବନ୍ଦ ହେଲେ ୧୨ ବର୍ଷ ପର୍ଯ୍ୟନ୍ତ ନୀତି ବନ୍ଦ ହୋଇଯିବ। ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ମାସ ପରେ ପୁନଃ ନିଷ୍ପତି ନିଆଯାଉ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ। ଶ୍ରୀମନ୍ଦିର ଖୋଲିଲେ ସ୍ୱାଗତ କରାଯିବ। ମାତ୍ର ଏବେ ଧିରେଧିରେ ଫେରୁଛି କରୋନା ଓ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଣିପାରେ ବିପଦ। ସାଧାରଣ ଦର୍ଶନ ଆରମ୍ଭ ହେଲେ ସେବାୟତ ସଂକ୍ରମିତ ହେବାର ରହିଛି ଆଶଙ୍କା । ସେବାୟତ ସଂକ୍ରମିତ ହୋଇ ମହାପ୍ରଭୁଙ୍କ ନୀତି ବନ୍ଦ ହେଲେ ଦେଖାଯିବ ଧାର୍ମିକ ସଂକଟ।
ସେପଟେ ସରକାରଙ୍କ ସାମର୍ଥ୍ୟ ଯଦି ରହିଛି ଶ୍ରୀ ମନ୍ଦିରରେ ସାମାଜିକ ଦୁରତ୍ୱ ରକ୍ଷା କରି ଭକ୍ତଙ୍କୁ ଦର୍ଶନ କରାଇପାରିବେ ତାହେଲେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ରାଧବଲ୍ଲଭ ମଠ ମଠାଧିଶ ରାମକୃଷ୍ଣ ଦାସ ମହାରାଜ। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ଯାହା କିଛି ନିଷ୍ପତ୍ତି ଆସିବ ସେ ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି କହିଛନ୍ତି ପୁରୀ ଏସପି।
ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ସେପଟେ ଚଳିତ ମାସରେ ପଞ୍ଚୁକରେ ପଡୁଛି ନାଗାର୍ଜୁନ ବେଶ। ପୁଣି ହବିଷ୍ୟାଳିଙ୍କ ଭିଡ। ଏସବୁ ଭିତରେ ମନ୍ଦିର ଖୋଲିଲେ ଆସିବାକୁ ଥିବା ଚ୍ୟାଲେଞ୍ଜ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ପାଲଟିବ। କେବେ ଖୋଲିବ ଶ୍ରୀମନ୍ଦିର ସେ ନେଇ ମହାପ୍ରଭୁଙ୍କ ଇଛା ।