Raymond Family: କାହାଣୀ ଏମିତି। ଜଣେ ବଡ଼ ଶିଳ୍ପପତି ବାପା ପ୍ରଥମେ ନିଜ ବଡ଼ ପୁଅକୁ ସମ୍ପତିରୁ ବେଦଖଲ କରି ସାନପୁଅକୁ ପୁରା ବ୍ୟବସାୟ ହସ୍ତାନ୍ତର କରନ୍ତି। ଆଉ ସାନ ପୁଅ ବ୍ୟବସାୟୀକ ସାମ୍ରାଜ୍ୟ ଉପରେ କବଜା କରିବା ପରେ ବାପାଙ୍କୁ ଘରୁ ବାହାର କରିଦିଏ।  ଯାହାକୁ ନେଇ ଅନେକ ବର୍ଷ ଧରି ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ବାପା କୁହନ୍ତି କେବେବି ବଂଚିଥିବା ଭିତରେ ପିଲାଙ୍କୁ ନିଜ ସମ୍ପତି ଦେବ ନାହିଁ। ନହେଲେ ମୋ ଭଳି ଫଳ ଭୋଗିବ। ବାପାଙ୍କୁ ଘରୁ ବାହାର କରିବାର କିଛି ବର୍ଷ ପରେ ସେହି ଶିଳ୍ପପତିଙ୍କୁ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯାଆନ୍ତି। ସେମାନଙ୍କ ବିବାହ ବିଛେଦର କାହାଣୀ ମିଡିଆର ହେଡଲାଇନରେ ରୁହେ। ସେହି ସମୟରେ ଘରୁ ତଡ଼ା ଖାଇଥିବା ପିତା ବୋହୂଙ୍କୁ ସମର୍ଥନ କରିଥିଲେ। ଏବେ କାହଣୀରେ ଟ୍ୱିଷ୍ଟ ଆସିଛି। ଏବେ ପିତାଙ୍କୁ ଘରକୁ ଫେରାଇ ଆଣିଛନ୍ତି ସେହି ଶିଳ୍ପପତି ।ଏନେଇ ଏକ୍ସ ରେ ଟ୍ୱିଟ୍ କରିଛନ୍ତି ପୁଅ। ଆମେ କହୁଛୁ ଶିଳ୍ପପତି ଗୌତମ ସିଂଘାନିଆଙ୍କ କଥା। ଯାହାଙ୍କର ପିତା ଓ ପତ୍ନୀଙ୍କ ସହିତ ଝଗଡା ଗତ କେଇ ବର୍ଷ ଧରି ଖବରର ଶୀର୍ଷରେ ଅଛି।


COMMERCIAL BREAK
SCROLL TO CONTINUE READING

ଏହି କାହାଣୀ କୌଣସି ଦୈନିକ ଧାରାବାହିକ ନୁହେଁ, ବରଂ ଶିଳ୍ପ ସଂସ୍ଥା ରେମଣ୍ଡ ଗ୍ରୁପର ସିଙ୍ଗାନିଆ ପରିବାରର। କାହାଣୀର ଚରିତ୍ରଗୁଡ଼ିକ ହେଲା ବାପା ବିଜୟପତ ସିଂହାନିଆ, ସାନ ପୁଅ ଗୌତମ ସିଂହାନିଆ (ରେମଣ୍ଡର ମାଲିକ) ଏବଂ ତାଙ୍କ ଛାଡ଼ପତ୍ର ପ୍ରାପ୍ତ ପତ୍ନୀ ନୱାଜ୍ ମୋଦୀ। ଆସନ୍ତୁ ସମ୍ପୂର୍ଣ୍ଣ ସଂଯୋଗ କୁ ବୁଝିବା


'X'ରେ ବଡ଼ ଅପଡେଟ୍


ରେମଣ୍ଡର ମାଲିକ ଗୌତମ ସିଂହାନିଆ ବୁଧବାର ତାଙ୍କ ବାପା ବିଜୟପତ ସିଂଘାନିଆଙ୍କ ସହ ଏକ ଫଟୋ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିବା ସହ କ୍ୟାପସନରେ ଲେଖିଛନ୍ତି, 'ଆଜି ବାପାଙ୍କ ସହ ଘରେ ସମୟ ବିତାଇବା ବହୁତ ଭଲ ଥିଲା, ତାଙ୍କ ଆଶୀର୍ବାଦ ନେଇଥିଲି। ମୁଁ ସବୁବେଳେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।


ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂରା ପାରିବାରିକ ଡ୍ରାମା ଲୋକଙ୍କ ମନରେ ଘୂରି ବୁଲୁଥିଲା। ଏଥିସହ ଗୌତମ ସିଂହାନିଆ ଓ ନୱାଜ ମୋଦିଙ୍କ ଛାଡ଼ପତ୍ର ସମୟକୁ ମଧ୍ୟ ଲୋକେ ମନେ ପକାଇବା ଆରମ୍ଭ କରିଛନ୍ତି। ଯଦି ଆପଣ 'ପ୍ରାଇମ୍ ଭିଡିଓ'ରେ 'ମେଡ୍ ଇନ୍ ହେଭେନ୍' ସିରିଜ୍ ଦେଖିଛନ୍ତି, ତେବେ ଆପଣ ଏହି ଫ୍ୟାମିଲି ଡ୍ରାମାକୁ ଭଲ ଭାବେ ବୁଝିପାରିବେ।


ଏହା ହେଉଛି ରେମଣ୍ଡଙ୍କ ସମ୍ପୂର୍ଣ୍ଣ ପାରିବାରିକ ଡ୍ରାମା


ଗୌତମ ସିଂଘାନିଆଙ୍କ ପିତା ବିଜୟପତ ସିଂଘାନିଆଙ୍କ ସମୟରୁ ରେମଣ୍ଡ ପରିବାରର ମେଲୋଡ୍ରାମା ଜାରି ରହିଛି। ବିଜୟପତ ସିଂଘାନିଆଙ୍କର ତାଙ୍କ ବଡ଼ ପୁଅ ମଧୁପତି ସିଂଘାନିଆଙ୍କ ସହ ସମ୍ପର୍କ ଭଲ ନଥିଲା । ଏଭଳି ପରିସ୍ଥିତିରେ ମଧୁପତି ନିଜ ପିତାଙ୍କ ସମ୍ପତ୍ତି ଛାଡି ୧୯୯୮ ମସିହାରେ ସିଙ୍ଗାପୁର ଚାଲି ଯାଇଥିଲେ । ଏହାପରେ ଜୁଲାଇ ୧୯୯୯ରେ ଗୌତମ ସିଂହାନିଆଙ୍କୁ ରେମଣ୍ଡର ନିର୍ଦ୍ଦେଶକ ପଦରେ ପଦୋନ୍ନତି ମିଳିଥିଲା।


କିନ୍ତୁ ପରବର୍ତ୍ତୀ ସମୟରେ ସିଙ୍ଗାପୁରରେ ରହୁଥିବା ମଧୁପତିଙ୍କ ୪ ଟି ସନ୍ତାନ ବଡ଼ ହୋଇଥିଲେ, ତେଣୁ ୨୦୧୫ରେ ସେ ତାଙ୍କ ପୂର୍ବପୁରୁଷଙ୍କ ସମ୍ପତ୍ତି ଉପରେ ଅଧିକାର ମାଗିଥିଲେ ଏବଂ ବିଜୟପତ ଏବଂ ମଧୁପତିଙ୍କ ମଧ୍ୟରେ ଏହି ଝଗଡ଼ା ସାର୍ବଜନୀନ ହୋଇଥିଲା । ସେତେବେଳେ ଗଣମାଧ୍ୟମରେ ପ୍ରକାଶିତ ଖବରରେ ମଧୁପତି ଏକ ସତ୍ୟପାଠରେ କହିଥିଲେ ଯେ ବିଜୟପତ ଜଣେ ଅତ୍ୟନ୍ତ ସାମନ୍ତବାଦୀ ଚିନ୍ତାଧାରାର ବ୍ୟକ୍ତି ଥିଲେ ଏବଂ ନିଜ ପତ୍ନୀଙ୍କ ସହ ଭଲ ବ୍ୟବହାର କରିନଥିଲେ।


କାହଣୀ ଏଇଠି ସରୁନାହିଁ। ପୁଅମାନଙ୍କ ସହିତ ବିବାଦ ଆଗରୁ ବିଜୟପତଙ୍କର ତାଙ୍କ ଭାଇ ଅଜୟପତଙ୍କ ସହ ମଧ୍ୟ ପଡୁନଥିଲା। ବିଜୟପତଙ୍କ ଭାଇ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଭଲ ପାଉଥିଲେ। ତାଙ୍କ ମୃତ୍ୟୁ ପରେ ବିଜୟପତ ଅଜୟପତଙ୍କ ପତ୍ନୀ ବୀଣା ଦେବୀ ଏବଂ ଦୁଇ ପୁଅ ଅନନ୍ତ ଓ ଅକ୍ଷୟପତଙ୍କୁ ସମ୍ପତିରୁ ବେଦଖଲ କରିଥିଲେ।  ସିଂଘାନିଆ ପରିବାରରେ ଝଗଡ଼ାର ଏକ ପ୍ରମୁଖ କାରଣ ଥିଲା ପୁରୁଣା ପିଢ଼ି ସେମାନଙ୍କର ଉଇଲଛାଡିବାରେ ବିଫଳ ହେବା ।


୨୦୧୩ମସିହାରେ ବିଜୟପତ ତାଙ୍କ ସାନ ପୁଅ ଗୌତମ ସିଂହାନିଆଙ୍କୁ ରେମଣ୍ଡ ପରିବାର ଘର ଜେକେ ହାଉସ୍ ପ୍ରଦାନ କରିଥିଲେ। ଏହାର କିଛିଦିନ ପରେ ଗୌତମ,ପିତାଙ୍କୁ ଘରୁ ବାହାର କରିଦେଇଥିଲେ। ତେବେ କାହାଣୀ ଏଇଠି ସରିନଥିଲା। ଗତ ବର୍ଷ ଦୀପାବଳି ସମୟରେ ଗୌତମ ସିଂଘାନିଆ ବିବାହର ୩୨ ବର୍ଷ ପରେ ପତ୍ନୀ ନୱାଜ ମୋଦିଙ୍କ ଠାରୁ ଛାଡପତ୍ର ସାର୍ବଜନୀନ କରିଥିଲେ। ନୱାଜ ମୋଦି ମୋଟ ସମ୍ପତ୍ତିର ୭୫ ପ୍ରତିଶତ (ପାଖାପାଖି ୮,୭୪୫ କୋଟି ଟଙ୍କା) ବୁଝାମଣା ବଦଳରେ ଦାବି କରିବା ସହ ଜେକେ ହାଉସ୍ ପରିସରରେ ମଧ୍ୟରାତ୍ରିରେ ଅନଶନ କରିଥିଲେ।


ଏବେ ବିବାହ ବିଛେଦ ମାମଲାରେ ବୁଝମଣା ହେବାକୁ ଥିବା ବେଳେ ଗୌତମଙ୍କ ପିତାଙ୍କୁ ପୁଣି ଘରକୁ ଫେରାଇ ଆଣିବା ପଛରେ କଣ କାରଣ ରହିଛି ତାହା ଆଗକୁ ଦେଖିବାକୁ ରହିଲା।