Lunar Eclipse 2022: ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କର ସୁନାବେଶ ଅର୍ଥାତ ରାଜାଧିରାଜ ବେଶ। ସମାନ ଦିନରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସୋମବାର ଠାରୁ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ। ସୋମବାର ରାତି ୧୦ଟାରେ ରାତି ପହୁଡ କରାଯିବା ପରେ ରାତ୍ର ୧୨ଟାରେ ଦ୍ୱାରଫିଟା ଓ ଭୋର ୫ଟା ଭିତରେ ସୁନାବେଶ ଓ ସକାଳଧୁପ ଶେଷ ହେବ। ଚନ୍ଦ୍ର ଗ୍ରହଣ ନୀତି ଆରମ୍ଭ ଯାଏ ଅର୍ଥାତ ଅପରାହ୍ନ ୨ଟା ୩୮ ମିନିଟ ପର୍ଯ୍ୟନ୍ତ ଭକ୍ତ ସୁନାବେଶ ଦର୍ଶନ ପାଇବେ। ସେପଟେ ପଞ୍ଚୁକ ପାଇଁ ନିୟୋଜିତ ହେବେ ୪୫ ପ୍ଲାଟୁନ ଫୋର୍ସ। ଆଉ କେବଳ ଶ୍ରୀମନ୍ଦିରରେ ୩୬ପ୍ଲାଟୁନ ଓ ସମୁଦ୍ରରେ ଡଙ୍ଗା ଭସାଣ ପାଇଁ ତିନିପ୍ଲାଟୁନ ଫୋର୍ସ ହେବେ ମୁତୟନ।


COMMERCIAL BREAK
SCROLL TO CONTINUE READING

ପଞ୍ଚୁକ ଲାଗି ଉତ୍ସବମୁଖର ଶ୍ରୀକ୍ଷେତ୍ର। ହଜାର ହଜାର ଭକ୍ତଙ୍କ ଲାଗିଛି ଗହଳିଚହଳି। ସୋମବାର ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁ ଲକ୍ଷ୍ମୀ ନୃସିଂହ ବେଶରେ ଭକ୍ତଙ୍କୁ ଦିବ୍ଯ ଦର୍ଶନ ଦେଇଛନ୍ତି। ମଙ୍ଗଳବାର ପଞ୍ଚୁକର ଅନ୍ତିମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅର୍ଥାତ ରାଜାଧିରାଜ ବେଶ। ସମାନ ଦିନରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ନୀତି ସଅଳ କରାଯିବ। ଗ୍ରହଣ ନୀତି ନିର୍ଘଣ୍ଟ ଅନୁସାରେ ସୋମବାର ରାତି ୧୦ଟାରେ ରାତ୍ରି ପହୁଡ କରାଯାଇ ରାତି ୧୨ଟା ୧୦ ମିନିଟରେ ଦ୍ୱାରଫିଟା ନିତି ଅନୁଷ୍ଠିତ ହେବ। ତାପରେ ୧୨ଟା ୩୦ରେ ମଙ୍ଗଳଆଳତୀ, ୧୨ଟା ୪୫ରେ ରୋଷହୋମ,ମଇଲମ ଓ ତଡପଲାଗି ନୀତି ସମ୍ପର୍ଣ୍ଣ କରାଯିବ। 


Also Read: ବଡ଼ ଦେଉଳରେ କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ? ଦ୍ୱନ୍ଦରେ ନୀତି ନିର୍ଘଣ୍ଟ, ଆଗୁଆ ହେବ ସୁନାବେଶ


ସେହିପରି ୧ଟା ୧୫ରେ ଅବକାଶ ନୀତି ପରେ ୨ଟା ୩୦ରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ସକାଳ ୩ଟା ୨୦ରେ ସକାଳ ଧୁପ, ୪ଟା ୪୫ରେ ବାଳଧୂପ ସହ ୫ଟା ୫୦ରେ ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଗ୍ରହଣ ଯୋଗୁଁ ନୀତି ଅଟକିବ। ସୂର୍ଯ୍ଯୋଦୟ ସମୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ଦେବନୀତି ଆଗକୁ ବଢିବ ନାହିଁ। ତାପରେ ଚନ୍ଦ୍ର ଗ୍ରହଣ ନୀତି ଆରମ୍ଭ ଯାଏ ଅର୍ଥାତ ଅପରାହ୍ନ ୨ଟା ୩୮ ମିନିଟ ପର୍ଯ୍ୟନ୍ତ ଭକ୍ତ ସୁନାବେଶ ଦର୍ଶନ ପାଇବେ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହିତ ବିଭିନ୍ନ ତିର୍ଥ ପୁଷ୍କରିଣୀ ଆଉ ସମୁଦ୍ରରେ ଡଙ୍ଗା ଭସାଇ ପବିତ୍ର କାର୍ତ୍ତିକ ମାସକୁ ବିଦାୟ ଦେବେ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। 


ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହିତ ଡଙ୍ଗାଭସା ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଏଥିପାଇଁ ମୋଟ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଖାସକରି ଶ୍ରୀମନ୍ଦିରରେ ୩୬ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବାବେଳେ ପୁରୀ ସମୁଦ୍ରରେ ଡଙ୍ଗାଭସା ସୃଙ୍ଖଳିତ କରିବାକୁ ୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେପଟେ ଚନ୍ଦ୍ରଗ୍ରହଣ ଯୋଗୁଁ ସୋମବାର ରାତିରୁ ମଙ୍ଗଳାଳତୀ ଠାରୁ ପ୍ରଥମ ଭୋଗମଣ୍ଡପ ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ଯଦି ସମ୍ଭବ ହୁଏ  ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ। କୋରୋନା ଯୋଗୁଁ ଦୁଇବର୍ଷ ପଞ୍ଚୁକ ପୂର୍ଣ୍ଣମୀରେ  ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିନାହାନ୍ତି। ଆଉ ଏଥର ବି ଗ୍ରହଣ ବାଧକ ସାଜିଛି। ତେବେ ପ୍ରଶାସନ କିଭଳି ପଦକ୍ଷେପ ନେବ ଆଉ ସୁନାବେଶ ଦର୍ଶନ କରାଇବାକୁ ପଦକ୍ଷେପ ନେବେ ତା ଉପରେ ରହିଛି ଭକ୍ତଙ୍କ ନଜର।