Shardiya Navratri 2022 : ଆଜି ଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଦେଶବ୍ୟାପି ଏହି ନବରାତ୍ରୀକୁ ବେଶ ଧୁମଧାମର ସହକାରେ ପାଳନ କରାଯାଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପାର୍ବଣ ନବମୀ ପର୍ଯ୍ୟନ୍ତ ଚାଲିବ। ଘରେ କିପରି କରିବେ ନବରାତ୍ରୀ ପୂଜା । ଯାହା ଦ୍ବାରା ଆପଣ ଦେବୀମାଆଙ୍କ କୃପାଲାଭ କରିପାରିବେ। ତେବେ ଆସନ୍ତୁ ଜାଣିବା ପୂଜାର ବିଧି ଓ ନୀତି ।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଘରକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ । ପରେ ଘରେ ଚିତା ପକାଇ ଏକ ଛୋଟ ଷ୍ଟୁଲ ରଖନ୍ତୁ , ଏହା ଉପରେ କଳସ ସ୍ଥାପନା କରନ୍ତୁ । ପରେ ସେହି କଳସ ଭିତରେ ଜଳ ରଖନ୍ତୁ । ଏବଂ ସେଥିରେ ଆମ୍ବଡାଳ ରଖନ୍ତୁ ।  ଏହାସହ କଳସ ମଧ୍ୟରେ କିଛି କଟା ଗୁଆ, କଏନ ଓ ଖଣ୍ତ ହଳଦୀ ପକାନ୍ତୁ ।  କଳସ ଉପରେ ଏକ ନଡିଆ ରଖି ସେଥିରେ କିଛି ଫୁଲ ଦିଅନ୍ତୁ । କଳସ ନିକଟରେ ଏକ ମା ଶୈଳପୁତ୍ରୀଙ୍କ ଫଟୋ କିମ୍ବା ମୂର୍ତ୍ତୀ ରଖନ୍ତୁ । ମୂର୍ତ୍ତୀକୁ ଏକ ନାଲି କିମ୍ବା ଗୋଲାପୀ ରଙ୍ଗର ଚୁନରୀରେ ଘୋଡ଼ାନ୍ତୁ । ପରେ ସେଠାରେ ଏକ ଅଖଣ୍ତ ଦୀପ ପ୍ରଜ୍ଜଳନ କରନ୍ତୁ।ନଅ ଦିନ ଧରି ପୂଜା ହୋଇ ଆସୁଥିବା ଘଟକୁ ଶେଷ ଦିନ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ କମ୍ ବୟସର ୯ଜଣ କୁମାରୀଙ୍କୁ ଭୋଜନ ଦିଆଯାଏ। ଯାହା ଦ୍ବାରା ଆପଣ ମାଆଙ୍କ କୃପା ଲାଭ କରିବେ।  
 
ବିଶେଷ କରି ନବରାତ୍ର ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପାଳିତ ହୁଏ । ନବରାତ୍ରୀରେ ମା ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ । ଦେବୀ ଶୈଳପୁତ୍ର ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ଦିବ୍ୟଶକ୍ତି । ହିନ୍ଦୁ ପୁରାଣ ଅନୁଯାୟୀ ହିମାଳୟ ରାଜା- ହିମାବତ ଓ ମୈନାଙ୍କର ଝିଅ ଶୈଳପୁତ୍ରୀଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ। ମା ଶୈଳପୁତ୍ରୀଙ୍କୁ ପୂର୍ବଜନ୍ମରେ ସତୀ ବୋଲି କୁହାଯାଏ । ମା ଶୈଳପୁତ୍ରି ନନ୍ଦୀ ଉପରେ ବଷିଥାନ୍ତି । ଆଉ କପାଳରେ ଏକ ଚନ୍ଦ୍ରଟିକା ଲଗାଇଥାନ୍ତି  । ଏହା ସହିତ ଏକ ହାତରେ ତ୍ରିଶୁଳ ଓ ଅନ୍ୟ ଏକ ହାତରେ ପଦ୍ମଫୁଲ ଧରିଥାନ୍ତି । ନବରାତ୍ରୀରେ ମାଙ୍କୁ ପୂଜା କଲେ ସମସ୍ତ ସମସ୍ୟା ଦୂର ହେବ ବୋଲି ବିଶ୍ବାସ ରହିଛି । କେବଳ ସେତିକି ନୁହେଁ, ନବରାତ୍ର ଉପବାସ କରିବା ଦ୍ବାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । 


 


ଏହାବି ପଢନ୍ତୁ : Navratri 2022 : ନବରାତ୍ରୀରେ ଘରକୁ ଆଣନ୍ତୁ ଏହି ୫ ସାମଗ୍ରୀ, ଦୂର ହେବ ଆପଣଙ୍କ ଦୁଃଖ


ନଅ ଦିନରେ ମାଆ ନଅଟି ରୂପରେ ପୂଜା ପାଇଥାନ୍ତି :


ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ  । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।


ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।


ଚନ୍ଦ୍ରଘଣ୍ଟା: ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ।


କୁଷ୍ମାଣ୍ଡା: ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।


ସ୍କନ୍ଦମାତା: ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ।


କାତ୍ୟାୟନୀ: ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ । ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। 


କାଳରାତ୍ରୀ: ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି ।


ମହାଗୌରୀ: ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।


ସିଦ୍ଧିଦାତ୍ରୀ: ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ ।