CSK vs KKR Match Result: ରବିବାର ଇଡେନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୪୯ ରନ ବ୍ୟବଧାନରେ କୋଲକାତାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ପକ୍ଷରୁ ଦିଆଯାଇଥିବା ୨୩୬ ରନ ବିଜୟ ଲକ୍ଷ୍ୟ ବିରୋଧରେ କୋଲକାତା ନାଇଟ ରାଇଡର୍ସ ଧାର୍ଯ୍ୟ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୬ ରନ୍ କରିବାକୁ ସମର୍ଥ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

୪ ଥର ଆଇପିଏଲ ଟାଇଟଲ ହାତେଇଥିବା ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ ବିରୋଧରେ ବୃହତ୍ତ ବିଜୟ ହାସଲ କରିବା ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୭ ମ୍ୟାଚ ଖେଳି ୫ ମୁକାବିଲାରେ ବିଜୟୀ ହେବା ସହ ୧୦ ପଏଣ୍ଟ ହାସଲ କରିଛି। ପୂର୍ବତନ ଆଇପିଏଲ ଚାମ୍ପିୟାନ ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ, ଯଥାକ୍ରମେ ୮-୮ ପଏଣ୍ଟ ହାସଲ କରିଛନ୍ତି। ଏହି ସମସ୍ତ ଆଇପିଏଲ ଟିମ ଯଥାକ୍ରମେ ଦ୍ୱିତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି। ଏ ପର୍ଯ୍ୟନ୍ତ ୭ ମ୍ୟାଚ ଖେଳିଥିବା କୋଲକାତା ଦଳକୁ ପଞ୍ଚମ ପରାଜୟର ସାମ୍ନା କରିବାକୁ ପଡ଼ିଛି। କୋଲକାତା ନାଇଟ ରାଇଡର୍ସ ୪ ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ରହିଛି।


୨୩୬ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କୋଲକାତା ଦଳର ଇନିଂସ ଆରମ୍ଭରୁ ବହୁତ ଖରାପ ରହିଥିଲା। ମାତ୍ର ୧ ରନ୍ ସ୍କୋର କରି କୋଲକାତା ନାଇଟ ରାଇଡର୍ସ ୨ ୱିକେଟ୍ ହରାଇଥିଲେ। ଏହା ପରେ ଭେଙ୍କଟେଶ ଆୟର (୨୨) ଏବଂ ଅଧିନାୟକ ନୀତୀଶ ରାଣା (୨୭) ମଧ୍ୟ ଚେଷ୍ଟା କରିଥିଲେ ମଧ୍ୟ ସେତେମାତ୍ରାରେ ସଫଳ ହୋଇପାରିଲେ ନାହିଁ। କୋଲକାତା ଟିମ ପାଇଁ ଜେସନ ରୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ୨୬ ବଲ ଖେଳି ୬୧ ରନ୍ ସଂଗ୍ରହ କରିଥିଲେ ଜେସନ ରାୟ। ତାଙ୍କ ପାଳିରେ ୫ ଚୌକା ଏବଂ ୬ ଛକା ସାମିଲ ରହିଥିଲା। ଜେସନ ରୟ ପଞ୍ଚମ ୱିକେଟ୍ ପାଇଁ ରିଙ୍କୁ ସିଂହଙ୍କ ସହ ମିଶି ୬୫ ରନ୍ ଯୋଡିଥିଲେ। ରିଙ୍କୁ ସିଂହ ମଧ୍ୟ ନିଜର ଚମତ୍କାର ​​ପ୍ରଦର୍ଶନ ଦେଖାଇଥିଲେ। ୩୩ ବଲ ଖେଳି ୫୩ ରନ ସଂଗ୍ରହ କରିଥିବା ରିଙ୍କୁ ସିଂହ ଅପରାଜିତ ରହିଥିଲେ। ରିଙ୍କୁ ସିଂହ ପାଳିରେ ୩ ଚୌକା ଏବଂ ୪ ଛକା ସାମିଲ ରହିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତୁଷାର ଦେଶପାଣ୍ଡେ ଏବଂ ମହେଶ ଥିଶାନା ୨-୨ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ଆକାଶ ସିଂହ, ମୋଇନ୍ ଅଲ୍ଲୀ, ରବୀନ୍ଦ୍ର ଜାଡେଜା ଏବଂ ପଥରିନା ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।


କୋଲକାତା ନାଇଟ ରାଇଡର୍ସ ଅଧିନାୟକ ନୀତୀଶ ରାଣା ଟସ୍ ଜିତି ଚେନ୍ନାଇ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଅଭିଜ୍ଞ ଆଜିଙ୍କ୍ୟ ରାହାଣେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୨୯ ବଲ ଖେଳି ୭୧ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ଆଜିଙ୍କ୍ୟ ରାହାଣେଙ୍କ ପାଳିରେ ୬ ଚୌକା ଏବଂ ୫ ଛକା ଅନ୍ତର୍ଭୂକ୍ତ ରହିଥିଲା। ତାଙ୍କ ବ୍ୟତୀତ ଡିଭନ୍ କନୱେ ୪୦ ବଲ ଖେଳି ୫୬ ରନ୍ ସଂଗ୍ରହ କରିଥିବାବେଳେ ଶିବମ୍ ଦୁବେ ୨୧ ବଲ ଖେଳି ୨ ଚୌକା ଏବଂ ୪ ଛକା ସହାୟତାରେ ୫୦ ରନ୍ ସଂଗ୍ରହ କରିଥିଲେ। କୋଲକାତା ପକ୍ଷରୁ କୁଲୱନ୍ତ ଖେଜ୍ରୋଲିଆ ୨ ୱିକେଟ୍ ନେଇଥିଲେ। ହେଲେ ୩ ଓଭର ବୋଲିଂ କରି ସେ ୪୪ ରନ୍ ବ୍ୟୟ କରିଥିଲେ। ତାଙ୍କ ବ୍ୟତୀତ ସୁୟଶ ଶର୍ମା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। ସୁୟଶ ଶର୍ମା ଏବଂ ବରୁଣ ଚକ୍ରବର୍ତ୍ତୀ ଯଥାକ୍ରମେ ୨୯ ଏବଂ ୪୯ ରନ ବ୍ୟୟ କରିଥିଲେ।